ରାଜ୍ୟ

ମୁଣ୍ଡ ଉପରୁ ଆଶ୍ରୟ ଛଡ଼ାଇନେଲା ବର୍ଷା: ହ୍ୟୁମ୍‌ପାଇପ୍‌ ତଳେ ଭିନ୍ନକ୍ଷମ ଦମ୍ପତିଙ୍କ କଟୁଛି ରାତି, ଗଛ ଉପରେ ମଞ୍ଚା ବାନ୍ଧି ରହୁଛନ୍ତି ପୁଅ ବୋହୂ

ବାଂଶପାଳ,୦୫/୧୦: ଆମେ ଗରିବ ଲୋକ, ଆମ କଥା ଶୁଣିବ, ଏହି କେଇପଦ କଥା ଭିତରେ ଲୁଚିଛି ଅସହାୟତାର କାହାଣୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତଳଚମ୍ପେଇ  ଗ୍ରାମପଞ୍ଚାୟତ ଭାଳିଆଡାଳ ଗ୍ରାମରେ ଅତି ଦୁଃଖଦ ଜୀବନ କାଟୁଛନ୍ତି ୬୫ ବର୍ଷୀୟ ବିକଳାଙ୍ଗ ସୁନାରାମ ମୁଣ୍ଡା ଓ ତାଙ୍କ ୫୫ ବର୍ଷୀୟ ବିକଳାଙ୍ଗ ସ୍ତ୍ରୀ ମୁଣ୍ଡୁରୀ ମୁଣ୍ଡା । ମୁଣ୍ଡ ଗୁଞ୍ଜିବାର ଶେଷ ଆଶ୍ରୟ ଲଗାଣ ବର୍ଷା ଓ ବାତ୍ୟାର ତାଣ୍ଡବରେ ଭାଙ୍ଗି ଉଜୁଡ଼ି ଯାଇଛି । ଘରର ପଛପଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବା ସହ ରହିବା ପାଇଁ ଆଉ କୌଣସି ସୁରକ୍ଷିତ ସ୍ଥାନ ନାହିଁ । ଫଳରେ ବାଧ୍ୟ ହୋଇ ଏହି ବୃଦ୍ଧ ବିକଳାଙ୍ଗ ଦମ୍ପତି ଏବେ କଲଭର୍ଟ ହ୍ୟୁମ୍ ପାଇପ୍ ପୋଲ ତଳେ ରାତି କାଟୁଛନ୍ତି ।

ଅନ୍ଧାର ହେଲେ ପୋଲ ତଳ ହିଁ ପାଲଟିଯାଉଛି ସେମାନଙ୍କ ଶୋଇବା ଘର । ଦିନରେ ଗଛମୂଳେ ଚୁଲି ଜାଳି ରୋଷେଇ କରୁଛନ୍ତି । ବର୍ଷା ହେଲେ ମୁଣ୍ଡ ଉପରେ ଛାତ ନାହିଁ, ଶୀତ ଆସିଲେ ନାହିଁ ଆଶ୍ରୟର ନିଶ୍ଚିତତା । ବୟସର ଅପରାହ୍ଣରେ ଦୁଇ ବିକଳାଙ୍ଗ ବୃଦ୍ଧଙ୍କ ଏଭଳି ଜୀବନ ଯେ କୌଣସି ସମ୍ବେଦନଶୀଳ ମନକୁ ବ୍ୟଥିତ କରିବ । ସୁନାରାମ ଓ ମୁଣ୍ଡୁରୀଙ୍କ ପୁଅ ରଂଜିତ ମୁଣ୍ଡା ଓ ବୋହୂଙ୍କର ମଧ୍ୟ ଘର ନଥିବାରୁ ଅସହାୟ ଅବସ୍ଥାରେ ରହୁଛନ୍ତି । ସେମାନେ ଗଛ ଉପରେ ମଞ୍ଚା ବାନ୍ଧି ରାତି କାଟୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ବୃଦ୍ଧ ବିକଳାଙ୍ଗ ଦମ୍ପତିଙ୍କ ନିରାଶ୍ରୟ ଜୀବନ, ଅନ୍ୟପଟେ ପୁଅ-ବୋହୂଙ୍କ ଅସୁରକ୍ଷିତ ଆଶ୍ରୟ ସମଗ୍ର ପରିବାରର ଦୁର୍ଦ୍ଦଶା ଏବେ ହୃଦୟ ବିଦାରକ ଚିତ୍ର ପାଲଟିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button