ODI World Cup: ଆଇସିସିର ବଡ଼ ଘୋଷଣା…୨୦୩୫ ଯାଏ କ୍ରିକେଟ୍ ସିଡ୍ୟୁଲ ପ୍ରସ୍ତୁତ, ଭାରତରେ ହେବ ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୬/୧୧; କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ହେବାକୁ ଯାଉଛି ୨ଟି ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଆଇସିସି କରିଛି ବଡ଼ ଘୋଷଣା । ୨୦୩୫ ମସିହା ପର୍ଯ୍ୟନ୍ତ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଘୋଷଣା ହୋଇଛି । ଇଣ୍ଡୋନେସିଆର ବାଲିରେ ହୋଇଥିବା ବୈଠକରେ ଆଇସିସି ବୋର୍ଡ ନୂଆ ନିଷ୍ପତ୍ତି ନେଇଛି । କ୍ରିକେଟ୍ କ୍ୟାଲେଣ୍ଡରରେ ଟି-ଟ୍ୱେଣ୍ଟି ବିଶ୍ୱକପ, ଚାମ୍ପିଅନ୍ସ ଟ୍ରଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ସାମିଲ ଅଛି । ଏହି ଘୋଷଣା ମୁତାବିକ ଭାରତକୁ ୨ଟି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ଅନୁମତି ମିଳିଛି । ଆଇସିସି ସିଇଓ ସଞ୍ଜୋଗ ଗୁପ୍ତା କହିଛନ୍ତି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟର କ୍ୟାଲେଣ୍ଡର କ୍ରିକେଟର ବିଶ୍ୱ ଢାଞ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ଇଭେଣ୍ଟଗୁଡିକ ଖେଳାଳି ଏବଂ ପ୍ରଶଂସକଙ୍କ ପାଇଁ ସୁଯୋଗ ଉପଲବ୍ଧ କରାଇଥାଏ ।
ଭାରତ ଓ ବାଂଲାଦେଶ ମିଳିତ ଭାବେ ୨୦୩୧ରେ ପୁରୁଷ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବେ । ଭାରତ ବିଶ୍ୱକପ୍ ଆୟୋଜନ କରିବା ପୂର୍ବରୁ ୨୦୨୯ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳାଯିବ । ଏହା ମଧ୍ୟ ବିସିସିଆଇ ଆୟୋଜନ କରିବ । ଅକ୍ଟୋବର ୯ରୁ ଏହା ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୩୧ ଦିନିକିଆ ବିଶ୍ୱକପ୍ରେ ଭାରତ ଯୁଗ୍ମ ଆୟୋଜକ ରହିଛି । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୯ ତାରିଖରେ ଉଦଘାଟିତ ହୋଇ ନଭେମ୍ବର ୨୩ ତାରିଖରେ ଉଦଯାପିତ ହେବ । ୨୦୨୮ରେ ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯିବ । ବିଶ୍ୱକପ୍ ଅକ୍ଟୋବର ୧୨ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ୨୦୨୯ ଇଂଲଣ୍ଡରେ ଜୁନ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ସୂଚୀ ଚୂଡ଼ାନ୍ତ ହୋଇଛି ।
ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ ୨୦୩୦ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମିଳିତ ଭାବରେ ଆୟୋଜନ କରିବେ । ଜୁଲାଇ ୪ ତାରିଖରେ ଉଦଘାଟିତ ହୋଇ ଏହା ଅଗଷ୍ଟ ୪ ତାରିଖରେ ଶେଷ ହେବ । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ୨୦୩୧ ଇଂଲଣ୍ଡରେ ଜୁନ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ୨୦୩୨ରୁ ୨୦୩୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟ ଗୁଡ଼ିକର କେବଳ ତାରିଖ ଚୂଡ଼ାନ୍ତ ହୋଇଛି, ପରବର୍ତ୍ତୀ ସମୟରେ ଆୟୋଜକଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।
ସୌଜନ୍ୟ ପ୍ରମେୟ




