
କନକ ବ୍ୟୁରୋ : ସମ୍ପତ୍ତି ହାତେଇବା ପାଇଁ ଡକାୟତି ଯୋଜନା । ଘର ଭିତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ପଶିଲେ ୫ ଡକାୟତ । ପରିବାର ଲୋକଙ୍କୁ ଲୁଟିଲେ, ଭୟ ଦେଖାଇ ଫେରାର ହେଲେ । ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୁଲିସ୍ । ଗତ ୧୩ ତାରିଖ ରାତିରେ ୫ ଜଣ ଅଜଣା ବ୍ୟକ୍ତି ଡକାୟତି ଉଦ୍ଦେଶ୍ୟରେ ଅଭିଯୋଗକାରିଣୀ ଏବଂ ତାଙ୍କ ମାଆଙ୍କ ଘରେ ବେଆଇନ ଭାବେ ପ୍ରବେଶ କରିଥିଲେ । ଅଭିଯୁକ୍ତମାନେ କାତି, ଠେଙ୍ଗା ଓ ଛୁରୀ ଭଳି ମାରଣାସ୍ତ୍ର ବ୍ୟବହାର କରି ଉଭୟଙ୍କୁ ଆକ୍ରମଣ କରି ଆହତ କରିଥିଲେ। ପରେ ଘର ଭିତରେ ଖୋଜାଖୋଜି କରି ନଗଦ ଟଙ୍କା, ମୋବାଇଲ ଫୋନ, ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ । ଅଭିଯୁକ୍ତମାନେ ମୋବାଇଲ ଫୋନ ଭାଙ୍ଗିଦେବା ସହ ସିସିଟିଭି କ୍ୟାମେରା ବନ୍ଦ କରି ଦେଇଥିଲେ ଏବଂ ପୀଡ଼ିତମାନଙ୍କୁ ଭୟଭୀତ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।
ତଦନ୍ତରୁ ଜଣାପଡ଼ିଥିଲା ଯେ, ଘଟଣାଟି ଉକ୍ତ ସମ୍ପତ୍ତିକୁ କେନ୍ଦ୍ର କରି ଚାଲିଥିବା ଏକ ଦେୱାନୀ ବିବାଦ ସହ ଜଡିତ ଥିଲା । ସିସିଟିଭି ଫୁଟେଜ, ବୈଷୟିକ ପ୍ରମାଣ, ହୋଟେଲ ରେକର୍ଡ ଏବଂ ସାକ୍ଷୀମାନଙ୍କ ବୟାନରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଘଟଣା ପୂର୍ବରୁ ଘରର ରେକି କରିଥିଲେ ଏବଂ ଅପରାଧ ଘଟାଇବା ପୂର୍ବରୁ ଭୁବନେଶ୍ୱରର ଏକ ହୋଟେଲରେ ରହିଥିଲେ । ଅଧିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ରବି ନାରାୟଣ ପ୍ରଧାନ ଉର୍ଫ ବୁଢା ଏବଂ ମନୋରଞ୍ଜନ ମହାପାତ୍ର ମିଳିତ ଭାବେ ଅନ୍ୟ ଅଭିଯୁକ୍ତମାନଙ୍କୁ ନିଯୁକ୍ତ କରି ବିବାଦୀୟ ସମ୍ପତ୍ତିର ଦଖଲକାରୀମାନଙ୍କୁ ଭୟଭୀତ କରି ବଳପୂର୍ବକ ବାହାର କରିବାକୁ ଯୋଜନା କରିଥିଲେ । ଅଭିଯୁକ୍ତଙ୍କ ନିକଟରୁ ଏକ ପିସ୍ତଲ, ୧୦ ରାଉଣ୍ଡ ଲାଇଭ ଗୁଳି ଏବଂ ୨ଟି ମ୍ୟାଗାଜିନ ଜବତ ହୋଇଛି ।
ସୌଜନ୍ୟ KANAK NEWS




