ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ ବ୍ୟକ୍ତି ଜଣେ ଯୁବକଙ୍କୁ ହାତଗୋଡ଼ ବାନ୍ଧି ବାଉଁଶରେ ଟେକି ବିଧା ଗୋଇଠା ସହ ନିସ୍ତୁକ ମାଡ଼ ମାରି ଥିଲେ। ଫଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ମୃତକ ହେଲେ ମୌଜପୁର ଗାଁର ସୌମ୍ୟରଞ୍ଜନ ସ୍ୱାଇଁ। ସେ ଜିଆପିରେ ଚାକିରି କରୁଥିବା ପ୍ରାରମ୍ଭିକ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ସମ୍ମୁଖରେ ଲୋକେ ଆଇନ ହାତକୁ ନେବା ପୋଲିସର ପାରିବା ପଣିଆ ପ୍ରତି ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ମୁତାବକ ୨ଜଣ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ସହ ୨ଜଣ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ସୌମ୍ୟରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଥାନାରେ ଅଟକ ଥିବା ଜଣାପଡିଛି। ଏପରିକି ପରିବାର ଲୋକେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହେଲେ ଯୁବତୀ ଜଣକ ତାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

 

 

 

ସୌଜନ୍ୟ ଧରିତ୍ରୀ