୧୪ କ୍ୱିଣ୍ଟାଲ ଖଜା ନଷ୍ଟ

ପୁରୀ : ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ପୁରୀ ଖଜା। ନିମ୍ନମାନର ତେଲ ଓ ୭ ଦିନର ଚିନି ସିରା ବ୍ୟବହାର କରାଯାଉଛି। ବାହାର ଚକଚକ୍ କରୁଥିବା ବେଳେ ଭିତରେ ଫିମ୍ପି ମାରିଗଲାଣି। ମଙ୍ଗଳବାର ୭ଟି ଖଜା ଭାଟିରେ ଚଢ଼ଉ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବିକ୍ରି ପାଇଁ ପ୍ରସ୍ତୁତ ହୋଇ ରହିଥିବା ଗୋଟିଏ ଟ୍ରାକ୍ଟର ଖଜା ନଷ୍ଟ କରାଯାଇଛି। ସେସବୁ ଖଜା ପ୍ରସ୍ତୁତ ହେଉଥିବା ଭାଟିଗୁଡ଼ିକୁ ସିଲ୍ କରାଯାଇଛି। ୨୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହାସହ ଖଜା ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ରିପୋର୍ଟ ମିଳିବା ପରେ ସେସବୁ ଖଜା ବ୍ୟବସାୟୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବ। ପୁଲିସ, ମହାନଗର ନିଗମ, ଖାଦ୍ୟ ଓ ଯୋଗାଣ ବିଭାଗ, ଖାଦ୍ୟ ନିରାପତ୍ତା ଅଧିକାରୀ ମିଳିତ ଭାବେ ଏହି ଚଢ଼ଉ କରିଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ନିକଟ କାଳିକାଦେବୀ ସାହିରେ ଥିବା ୫ଟି ଖଜା ପ୍ରସ୍ତୁତ କେନ୍ଦ୍ରରେ ଚଢ଼ଉ କରି ବହୁ ପରିମାଣର ଖଜା ଜବତ କରାଯାଇଛି। ସେହିପରି ବାସେଳୀସାହି ଓ ବଡ଼ପୋଖରୀରେ ଥିବା ଦୁଇଟି ଖଜା ଭାଟିରେ ଚଢ଼ଉ କରାଯାଇଥିଲା। ସିଟି ଡିଏସ୍ପି ରଶ୍ମିରଞ୍ଜନ ମହାପାତ୍ର, ପୌର ଏନ୍ଫୋର୍ସମେଣ୍ଟ ଅଫିସର୍ ସ୍ୱାଧୀନ ବିଶ୍ୱାଳ, ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ୱିନୀ ବେହେରା ଓ ବେଦଶ୍ରୀ ସାହୁ ପ୍ରମୁଖ ଚଢ଼ଉ କରିଥିଲେ। ପୁରୀ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରାୟ ୫୦ଟି ଖଜା ପ୍ରସ୍ତୁତ କେନ୍ଦ୍ର ରହିଛି। ୧୫ ଦିନ ମଧ୍ୟରେ ମାତ୍ର ୧୧ଟି ଖଜା ଭାଟିରେ ଚଢ଼ଉ କରାଯାଇଛି। ଏହା ସତ୍ତ୍ୱେ ଅପମିଶ୍ରିତ ଓ ନିମ୍ନମାନର ଖଜା ପ୍ରସ୍ତୁତି ଓ ବିକ୍ରି ଏପର୍ଯ୍ୟନ୍ତ ବନ୍ଦ ହୋଇପାରି ନାହିଁ। କେତେକ ଖଜା ବ୍ୟବସାୟୀ ଓଜନରେ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ପୁରୀ ଖଜା ନିନ୍ଦିତ ହେଉଛି। ଠକାମିରେ ପଡ଼ୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏଠାରୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ବାହାରେ ପ୍ରସ୍ତୁତ ହେଉଥିବା ନିମ୍ନମାନର ଖଜାକୁ ଶ୍ରୀଜଗନ୍ନାଥଙ୍କ ଭୋଗ ବୋଲି କହି କେତେକ ଖଜା ବ୍ୟବସାୟୀ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି।
ସୌଜନ୍ୟ ସମାଜ




