ରାଜ୍ୟ

୩୦% ଅଧିକ ବର୍ଷିଲା

ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବରେ ସମଗ୍ର ଦେଶରେ ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ନିଅଣ୍ଟିଆ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ, ଚଳିତବର୍ଷ ପ୍ରଶାନ୍ତ ମହାସାଗରରେ ଏଲ୍‌-ନିନୋ ପ୍ରଭାବ ସତ୍ତ୍ବେ ରାଜ୍ୟର ସ୍ବାଭାବିକଠାରୁ ୩୦% ଅଧିକ ବର୍ଷା ହୋଇଛି। ୧୨ଟି ଲଘୁଚାପ କ୍ଷେତ୍ର ସୃ‌ଷ୍ଟି ହୋଇଥିବା ବେଳେ ତନ୍ମଧ୍ୟରୁ ୪ଟି ଅବପାତ ଏବଂ ଗୋଟିଏ ଗଭୀର ଅବପାତରେ ପରିଣତ ହୋଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଜୁନ ୧ରୁ ସେପ୍ଟେମ୍ବର ୩୦ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଋତୁ। ବୁଧବାର ମୌସୁମି ବାୟୁର ଶେଷ ଦିନ। ରାଜ୍ୟର ସ୍ବାଭାବିକ ବର୍ଷା ୧୧୪୪.୩ମି.ମି. ଥିବା ବେଳେ ଜୁନ ୧ରୁ ସେପ୍ଟେମ୍ବର ୨୯ ସୁଦ୍ଧା ରାଜ୍ୟରେ ୧୪୮୪.୩ମି.ମି. ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକରୁ ୩୦% ଅଧିକ। ବୌଦ୍ଧରେ ଜିଲାର ସ୍ବାଭାବିକ ବର୍ଷାଠାରୁ ୭୧% ଅଧିକ ବର୍ଷା ହୋଇଛି। ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ମାଲକାନଗିରି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ଅବଶିଷ୍ଟ କୋରାପୁଟ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କେନ୍ଦୁଝର, ଯାଜପୁର, କଟକ, ନୟାଗଡ଼, ଖୋରଧା, ‌େ‌ଢଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗିର ଏବଂ କନ୍ଧମାଳ ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ଜୁନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଆଗପଛ ହୋଇ ବଙ୍ଗୋପସାଗରରେ ଲଘୁଚାପ ସୃ‌ଷ୍ଟି ହୋଇଥିଲା। ଲଘୁଚାପ ଜନିତ ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ଜଳକା ଏବଂ ସାଳନ୍ଦୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଦ୍ବାରା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲା ଅଧିକ ପ୍ରଭାବିତ ହୋଇଥିଲା। ମହାନଦୀରେ ମଧ୍ୟ ଛୋଟଧରଣର ୪ଟି ବନ୍ୟା ଆସିବା ଦ୍ବାରା କଟକ, ଖୋରଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏଲ୍‌-ନିନୋ ପ୍ରଭାବରେ ଉତ୍ତର ଓଡ଼ିଶାରେ କମ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଉତ୍ତରରେ ସର୍ବାଧିକ ବର୍ଷା ହେବା କାରଣରୁ ବନ୍ୟାରୁ ମୁକୁଳିପାରିଲେ ନାହିଁ ବନ୍ୟା ବିପନ୍ନ। ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ଥିଲା। କିନ୍ତୁ ସେପ୍ଟେମ୍ବର ୨୩ରେ ଗଭୀର ଅବପାତ ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାମୁହଁା ହୋଇଥିବାରୁ ଦକ୍ଷିଣରେ ଅତି ପ୍ରବଳ ବର୍ଷା ହେବା ଦ୍ବାରା କୋରାପୁଟ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button