ତେହେରାନ: ଇରାନ ଓ ଆମେରିକା- ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ଶୁକ୍ରବାର ୨୧ ଦିନ ହୋଇଯାଇଛି। ଇରାନ ଯୁଦ୍ଧରେ ଆମେରିକା ଓ ଇସ୍ରାଏଲକୁ କଡ଼ା ଟକ୍କର ଦେଉଥିବାବେଳେ ଦେଶ ଭିତରେ ଥିବା ଶତ୍ରୁ ଦେଶର ୧୭୮ ଜଣ ଭଡ଼ାଟିଆ ସୈନିକ ଓ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କରିଛି। ଇରାନର ଆଇଆରଜିସି ଗୁଇନ୍ଦା ସଂସ୍ଥା ଅନେକ ପ୍ରଦେଶରେ ଲୁଚି ରହିଥିବା ମୋସାଦ (ଇସ୍ରାଏଲ ଗୁଇନ୍ଦା ସଂସ୍ଥା) ଓ ଆମେରିକାର ଏଜେଣ୍ଟ ଓ ଆତଙ୍କବାଦୀ ଗୋଷ୍ଠୀର ଗୁପ୍ତ ଠିକଣା ଉପରେ ଚଢ଼ଉ କରିଛି।
ଇସ୍ରାଏଲ -ଆମେରିକାକୁ ଦେଉଥିଲେ ଗୁପ୍ତ ଖବର
ଏମାନେ ଇରାନରେ ରହି ଅଶାନ୍ତି ସୃଷ୍ଟି କରିବା ସହିତ ଇସ୍ରାଏଲ -ଆମେରିକାକୁ ଗୁପ୍ତ ଖବର ଦେଉଥିଲେ। ନିକଟରେ ଇରାନ ମୋସାଦ ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେଇଥିଲା, ଯାହାକି ଏହି ଯୁଦ୍ଧ ଭିତରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ମଧ୍ୟପୂର୍ବରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ସୁରକ୍ଷା ଏଜେନ୍ସି ଦ୍ବାରା କରାଯାଇଥିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ। ଏହି ଘଟଣା ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ପ୍ରକ୍ସି ୱାର (ଛଦ୍ମ ଯୁଦ୍ଧ) ଓ ଆମେରିକା-ଇସ୍ରାଏଲ ମେଣ୍ଟ ସହିତ ଇରାନର ବଢ଼ୁଥିବା ଉତ୍ତେଜନାକୁ ଦର୍ଶାଉଛି।
ସୌଜନ୍ୟ ସମ୍ବାଦ
