ପ୍ରଦୀପ କୁମାର ପାଢ଼ୀ
କୋରାପୁଟ: ମଦ ଛାଡ଼ିବା ପାଇଁ ବହୁ ନେହୁରା ହେଲି। କିଛି ଶୁଣିଲେନି। ଦିନରାତି ନିଶାରେ ରହିଲେ। ଶେଷରେ ଜୀବନ ଚାଲିଗଲା। ସ୍ବାମୀଙ୍କ ମୃତ୍ୟୁ ପରେ ୩ ସନ୍ତାନଙ୍କୁ ନେଇ ବହୁକଷ୍ଟରେ ବଞ୍ଚୁଛି। ମଦ ମୋ ସଂସାର ଉଜାଡ଼ି ଦେଇଛି। କୋହଭରା କଣ୍ଠରେ ଏପରି କହିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ସାନକାଉଡ଼ି ଗାଁର ଦନେଇ ନାୟକ।
ଗାଁର ପଦ୍ମିନୀ ମଧ୍ୟ ସମାନ ଦଶା ଭୋଗିଛନ୍ତି। ପଦ୍ମିନୀଙ୍କ ସ୍ବାମୀ ସେନାରେ ଚାକିରି କରୁଥିଲେ। ସ୍ବେଚ୍ଛାକୃତ ଅବସର ପରେ ଗାଁକୁ ଫେରିଥିଲେ। ୨୦ ବର୍ଷର ଚାକିରି ଜୀବନ ପରେ ଯବାନ ସ୍ବାମୀ ଘରକୁ ଫେରିଥିବାରୁ ଖୁସି ହୋଇଥିଲେ ପଦ୍ମିନୀ। ହେଲେ ମଦରୂପୀ ରାକ୍ଷସ ତାଙ୍କ ଖୁସି ଛଡ଼ାଇନେଲା। ଅତ୍ୟଧିକ ମଦ୍ୟପାନ ଯୋଗୁଁ ସ୍ବାମୀଙ୍କର ଦେହାନ୍ତ ହୋଇଗଲା। ଦନେଇ ଓ ପଦ୍ମିନୀଙ୍କ ପରି ସାନକାଉଡ଼ି ଗାଁରେ ୪୦୦ରୁ ଊର୍ଦ୍ଧ୍ବ ମହିଳାଙ୍କ ସିନ୍ଥିରୁ ସିନ୍ଦୂର ପୋଛି ନେଇଛି ମଦ। ତେବେ ବହୁ ବିରୋଧ ସତ୍ତ୍ବେ ମଦ ବିକ୍ରି ବନ୍ଦ ହେଉ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗାଁର ମହିଳା। ବିଧବାଙ୍କ ସହ ସଧବା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ନିଜ ସିନ୍ଦୂରକୁ ବଞ୍ଚାଇବା ପାଇଁ ପ୍ରଶାସନକୁ ଦେଇଛନ୍ତି କଡ଼ା ଚେତାବନୀ। ମାଫିଆଙ୍କୁ ହଟାଇବା ସହ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ ନ କଲେ ପୁଲିସ ଓ ଅବକାରୀ କାର୍ଯ୍ୟାଳୟ ଘେରାଉ କରିବାକୁ ରୋକ୍ଠୋକ୍ ଶୁଣାଇଛନ୍ତି।
ବିରୋଧ ସତ୍ତ୍ବେ ବନ୍ଦ ହେଉନି ବିକ୍ରି
ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ
ଜୟପୁର ବ୍ଲକ୍ର ସାନକାଉଡ଼ି ଗାଁରେ ରହିଛି ୪୨୦ ଘର। ଅଧିକାଂଶ ପରିବାର ଦିନମଜୁରିଆ ଶ୍ରେଣୀର। ମଦ ପାଇଁ ଗାଁର ପ୍ରତ୍ୟେକ ଘରୁ କାହାର ନା କାହାର ଜୀବନ ଯାଇଛି। କିଏ ସ୍ବାମୀ ତ କିଏ ଭାଇ ଆଉ କିଏ ଭେଣ୍ଡିଆ ପୁଅକୁ ହରାଇଛି। ୪୦୦ରୁ ଊର୍ଦ୍ଧ୍ବ ବିଧବା ମହିଳା ରହୁଥିବାରୁ ଏହି ଗାଁ ବିଧବାଙ୍କ ଗାଁ ଭାବେ ପରିଚିତ ହୋଇ ସାରିଲାଣି। ଗାଁର ନାବାଳକଙ୍କଠାରୁ ଆରମ୍ଭ କରି ଯୁବକ ଓ ବୟସ୍କ ସମସ୍ତେ ମଦ ପିଉଥିବାର ଅଭିଯୋଗ କରିଛନ୍ତି ମହିଳା। ବିହାରୀ ମଦ ବ୍ୟବସାୟୀ ରାତି ଅଧରେ ମଦ ଆଣି ଗାଁରେ ଦେଇ ଯାଉଛନ୍ତି। ଗାଁର ସବୁଠି ମଦ ବିକ୍ରି ହେଉଥିବାରୁ ମୂଲ ଲାଗି କାମରୁ ଫେରିବା ସମୟରେ ମଦ ପିଇ ମାତାଲ ହେଉଛନ୍ତି। ବାରମ୍ବାର ତାଗିଦ୍ ପରେ ବି ମଦ ବିକ୍ରି ବନ୍ଦ ହେଉନାହିଁ। ଏ ନେଇ ଗାଁ ମହିଳା ପୁଲିସ ଓ ଅବକାରୀ ବିଭାଗରେ ବାରମ୍ବାର ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମଧ୍ୟ ସିନ୍ଦୂର ସୁରକ୍ଷା ପାଇଁ ନେହୁରା ହୋଇଛନ୍ତି। ହେଲେ ପୁଲିସ, ଅବକାରୀ କିମ୍ବା ପ୍ରଶାସନ; କେହି ମଧ୍ୟ ମଦରୂପୀ ରାକ୍ଷସକୁ ବନ୍ଦ କରିବା ଦିଗରେ ଦୃଷ୍ଟି ଦେଉନାହାନ୍ତି।
ସୌଜନ୍ୟ ସମ୍ବାଦ
