400 Crore suit: ୪୦୦ କୋଟିର ମାମଲା: ଟିପ୍ସ ମ୍ୟୁଜିକ୍‌ ଓ ଡେଭିଡ୍ ଧଓ୍ବନଙ୍କ ବିରୋଧରେ କୋର୍ଟକୁ ଗଲେ ବାସୁ ଭଗନାନୀ

ମୁମ୍ବାଇ: ଗତ କିଛି ଦିନ ଧରି ପୂଜା ଏଣ୍ଟରଟେନମେଣ୍ଟ (ଇଣ୍ଡିଆ) ଲିମିଟେଡ୍‌ ଓ ଟିପ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ମଧ୍ୟରେ ବିବାଦ ଚର୍ଚ୍ଚାରେ ରହିଥିଲା। ପୂଜା ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ଓ ପ୍ରଯୋଜକ ବାସୁ ଭଗନାନୀ ଟିପ୍ସ ମ୍ୟୁଜିକ୍‌, ଏହାର ଚେୟାରମ୍ୟାନ୍ ରମେଶ ତୌରାନୀ, କୁମାର ଏସ୍‌ ତୌରାନୀ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ଡେଭିଡ୍ ଧଓ୍ବନଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୪୦୦ କୋଟି ଟଙ୍କାର ମାମଲା ରୁଜୁ କରିଛନ୍ତି। ଏହି ବିବାଦର ସମ୍ପର୍କ ବରୁଣ ଧଓ୍ବନଙ୍କ ନୂଆ ଫିଲ୍ମ ‘ହୈ ଜଓ୍ବାନୀ ତୋ ଇଶ୍କ ହୋନା ହୈ’ ସହ ଜଡିତ ରହିଛି। ଅଭିଯୋଗ ଅନୁସାରେ, ବାସୁ ଭଗନାନୀଙ୍କ ଲୋକପ୍ରିୟ ଫିଲ୍ମ ‘ବିଓ୍ବି ନମ୍ବର ୧’ର ଚର୍ଚ୍ଚିତ ଗୀତ ‘ଚୁନରୀ ଚୁନରୀ’ ଓ ‘ଇଶ୍କ ସୋନା ହୈ’କୁ ଅନୁମତି ବିନା ବରୁଣଙ୍କ ଫିଲ୍ମରେ ବ୍ୟବହାର କରାଯାଇଛି।

ବାସୁ ଭଗନାନୀଙ୍କ ପକ୍ଷ ରଖିଲେ ଆଇନଜୀବୀ

ଏହି ମାମଲାରେ ବାସୁ ଭଗନାନୀ ଅଡିଓ ଅଧିକାରକୁ ବାତିଲ କରିବା ସହ ଫିଲ୍ମ ଓ ପ୍ରଚାର ସାମଗ୍ରୀରୁ ଉକ୍ତ ଗୀତଗୁଡ଼ିକୁ ହଟାଇବାକୁ ଦାବି କରିଛନ୍ତି। ଏଥିସହ ଫିଲ୍ମର ନାମ ‘ହୈ ଜବାନୀ ତୋ ଇଶ୍କ ହୋନା ହୈ’ ପରିବର୍ତ୍ତନ କରିବାକୁ ମଧ୍ୟ ଆବେଦନ କରାଯାଇଛି। ଏଏନଆଇ ସହ କଥାହେବା ବେଳେ ବାସୁ ଭଗନାନୀଙ୍କ ଆଇନଜୀବୀ କହିଛନ୍ତି ଯେ, ଟିପ୍ସ ମ୍ୟୁଜିକ୍‌ ସହ ଆଗରୁ ହୋଇଥିବା ଚୁକ୍ତିରେ କେବଳ ଅଡିଓ ରାଇଟ୍ସ ଦିଆଯାଇଥିଲା। ୨୦୧୮ରେ ଟିପ୍ସ ପକ୍ଷରୁ ଭିଜୁଆଲ୍ ରାଇଟ୍ସ ଚାହିଁ ଇମେଲ୍ କରାଯାଇଥିଲା। ଏନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା।

ଆଇନଜୀବୀ ଆହୁରି କହିଛନ୍ତି, ଯଦି ଟିପ୍ସ ମ୍ୟୁଜିକ୍‌ ସଙ୍ଗୀତ ଅଧିକାରର ଆଇନଗତ ମାଲିକ ହୋଇଥାଏ, ତେବେ ସେମାନେ ତାହାର ପ୍ରମାଣପତ୍ର ଦେଖାଇବା ଉଚିତ। ଏହାସହ ପୂଜା ଏଣ୍ଟରଟେନମେଣ୍ଟ ଅତିରିକ୍ତ ୧୦୦ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଛି। ପ୍ରଯୋଜନା ସଂସ୍ଥା ପକ୍ଷରୁ ଟିପ୍ସ ମ୍ୟୁଜିକ୍‌ ଓ ଡେଭିଡ୍ ଧଓ୍ବନଙ୍କ ଉପରେ ବୌଦ୍ଧିକ ସମ୍ପତ୍ତି ଅଧିକାରର ଅବୈଧ ବ୍ୟବହାର ଅଭିଯୋଗ ଅଣାଯାଇଛି। ଏହି ମାମଲା ବଲିଉଡ୍‌ରେ ସଙ୍ଗୀତ ଅଧିକାର ଓ କପିରାଇଟ୍‌ ବିବାଦକୁ ନେଇ ପୁନର୍ବାର ଚର୍ଚ୍ଚାକୁ ଜୋରଦାର କରିଛି।

 

 

 

ସୌଜନ୍ୟ ସମ୍ବାଦ