Ebola Bundibugyo Vaccine:୨୦୨୬ ଶେଷ ସୁଦ୍ଧା ଇବୋଲା ବୁଣ୍ଡିବୁଗିଓ ଟିକା, ପ୍ରତିଶ୍ରୁତି ଦେଲା ଆଫ୍ରିକୀୟ ସଂଘ ସ୍ବାସ୍ଥ୍ୟ ଏଜେନ୍ସି

ନାଇରୋବି: ଚଳିତ ବର୍ଷ ଶେଷସୁଦ୍ଧା ମାରାତ୍ମକ ଇବୋଲା ଭାଇରସର ବୁଣ୍ଡିବୁଗିଓ ଷ୍ଟ୍ରେନ ବିରୋଧରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆଫ୍ରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ଆଫ୍ରିକା ସିଡିସି)ର ମହାନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଛନ୍ତି। ବୁଣ୍ଡିବିୁଗିଓ ଷ୍ଟ୍ରେନ୍‌ ଯୋଗୁଁ କଙ୍ଗୋ ରିପବ୍ଲିକ୍‌ରେ ଇବୋଲା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାବେଳେ ଏଥିପାଇଁ କୌଣସି ଅନୁମୋଦିତ ଟିକା କିମ୍ବା ଚିକିତ୍ସା ସୁବିଧା ନାହିଁ। ଆଫ୍ରିକା ସିଡିସି ମୁଖ୍ୟ ଜିନ୍‌ କାସେୟା ଆଭାସୀ ମାଧ୍ୟମରେ ସମ୍ବୋଧନ କରି କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ବୁଣ୍ଡିବୁଗିଓ ବିରୋଧରେ ଟିକା ମିଳିଯିବ। ଆମର ନେତାମାନେ ନିବେଶ କରିବାକୁ ପ୍ରସ୍ତୁତ। ଟିକା ପ୍ରସ୍ତୁତ ନେଇ ଆମେ ବୈଷୟିକ ଓ ରଣନୈତିକ ସ୍ତରରେ ନିବେଶ କରୁଛୁ ବୋଲି କାସେୟା କହିଛନ୍ତି। କାସେୟା ଆହୁରି କହିଛନ୍ତି ଯେ, ଦିନକ ପୂର୍ବରୁ ରୁଷ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଣ୍ଡିବୁଗିଓ ଷ୍ଟ୍ରେନ୍‌ ପାଇଁ ଟିକା ବିକଶିତ କରିସାରିଥିବା ଦାବି କରିଛି। ପ୍ରସ୍ତାବିତ ଟିକା ଇବୋଲାର ଜାଇର ଷ୍ଟ୍ରେନ ଉପରେ କାର୍ଯ୍ୟ କରୁଛି। ମସ୍କୋର ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ସହିତ ଆଗାମୀ ଆଲୋଚନା ସୂଚାଇବ ଯେ, ଏହା କାହିଁକି ବୁଣ୍ଡିବୁଗିଓ ଷ୍ଟ୍ରେନ ବିରୋଧରେ ପ୍ରଭାବଶାଳୀ ହୋଇପାରେ। ସୂଚନାଯୋଗ୍ୟ, ମେ ୧୫ରେ ଇବୋଲା ସଂକ୍ରମଣ ସମ୍ପର୍କରେ ଘୋଷଣା କରାଯିବା ପରେ ଏପର୍ଯ୍ୟନ୍ତ ଅତିକମ୍‌ରେ ୧୦୭୭ ସନ୍ଦିଗ୍ଧ ଇବୋଲା ସଂକ୍ରମଣ ମାମଲା ଆସିଥିବାବେଳେ ଏଥିରେ ୨୪୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଜାତିସଂଘ ପକ୍ଷରୁ ଇବୋଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଥିବାବେଳେ ୨୨୩ଟି ସନ୍ଦିଗ୍ଧ ଇବୋଲା ମୃତ୍ୟୁ ମାମଲା ରହିଛି।

 

 

 

ସୌଜନ୍ୟ ସମ୍ବାଦ