ମହାନଗର

Unit-4 market: ୟୁନିଟ୍-୪ ହାଟରେ ଗଣସଫେଇ: ବାହାରିଲା ୩ ଟ୍ରକ୍ ଅଳିଆ, ବସ୍ତାବସ୍ତା ମଦ ବୋତଲ

ଜନଗହଳିପୂର୍ଣ୍ଣ ୟୁନିଟ୍-୪ ହାଟରେ ଆଜି ସକାଳେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗଣସଫେଇ କରାଯାଇଛି। ଗଣସଫେଇ ବେଳେ ରାସ୍ତାକଡ଼ରୁ ୩ ଟ୍ରକ୍‌ରୁ ଅଧିକ ଆବର୍ଜନା ବାହାରିଛି।

ଭୁବନେଶ୍ବର: ଜନଗହଳିପୂର୍ଣ୍ଣ ୟୁନିଟ୍-୪ ହାଟରେ ଆଜି ସକାଳେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗଣସଫେଇ କରାଯାଇଛି। ଗଣସଫେଇ ବେଳେ ରାସ୍ତାକଡ଼ରୁ ୩ ଟ୍ରକ୍‌ରୁ ଅଧିକ ଆବର୍ଜନା ବାହାରିଛି। ସେପଟେ ନିକଟରେ ଥିବା ପାର୍କ, ନାଳ, ରାସ୍ତାରୁ ବସ୍ତାବସ୍ତା ମଦ ବୋତଲ ବାହାରିଛି।  ଦୁର୍ଗନ୍ଧ ମାଛ, ମାଂସ ବଜାର ପାର୍ଶ୍ବରୁ ବାହାରୁଥିବା ଦୁର୍ଗନ୍ଧକୁ ନେଇ ମେୟର ସୁଲୋଚନା ଦାସ ବିରକ୍ତ ହୋଇଛନ୍ତି। ଦୋକାନୀମାନଙ୍କୁ ତାଗିଦ କରିଛନ୍ତି। ହାଟକୁ ଅପରିଷ୍କାର କରୁଥିବା ଅମାନିଆ ଦୋକାନୀ ଓ ଅନ୍ୟମାନଙ୍କୁ ଜରିମାନା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଫେଇ ଦାୟିତ୍ବ କେବଳ ବିଏମ୍‌ସିର ନୁହେଁ, ଏ ଦିଗରେ ସାମୁହିକ ସହଯୋଗ ଜରୁରୀ ବୋଲି କହିଛନ୍ତି।

ପରିଚ୍ଛନ୍ନତା ପାଇଁ ସାମୂହିକ ସହଯୋଗ ଜରୁରି: ମେୟର

ଆଜି ସକାଳେ ମେୟର ଶ୍ରୀମତୀ ଦାସ, ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିସନର୍ ଏନ୍. ଗଣେଶ ବାବୁଙ୍କ ସମେତ ସ୍ବଚ୍ଛ ସାଥୀ ଓ ସ୍ଥାନୀୟ ଅଞ୍ଚଳବାସୀ ଝାଡ଼ୁ ଧରି ୪ ନମ୍ବର ହାଟରେ ଗଣସେଫଇ କରିଥିଲେ। ଏହି ସମୟରେ ଟ୍ରକ୍ ଟ୍ରକ୍ ଆବର୍ଜନା ହାଟ ରାସ୍ତା କଡ଼ରେ ଗଦା ହୋଇଥିବା ଦେଖିବାକୁ ମିଳିଥିଲା। ଗାଡ଼ି ଲଗାଇ ଏହାକୁ ସଫା କରାଯାଇଥିଲା। ରାସ୍ତାକଡ଼ ଜବରଦଖଲକୁ ବି ହଟାଯାଇଥିଲା। ମେୟର ଶ୍ରୀମତୀ ଦାସ କହିଛନ୍ତି, ୟୁନିଟ୍-୪ ହାଟର ଦୋକାନୀମାନେ ଅପରିଷ୍କାର ପାଣିକୁ ରାସ୍ତାକୁ ଛାଡ଼ୁଛନ୍ତି। ଅଳିଆ ନେବାକୁ ଆସୁଥିବା ବିଏମ୍‌ସି ଗାଡ଼ିକୁ ଅଳିଆ ନ ଦେଇ ଏଣେ ତେଣେ ଗଦା କରି ରଖୁଛନ୍ତି ଓ ରାସ୍ତାରେ ଫିଙ୍ଗୁଛନ୍ତି। ଯାହା ଅପରିଛନ୍ନ ପରିବେଶ ସୃଷ୍ଟି କରୁଛି।

କନ୍‌ଜର୍‌ଭେନ୍ସି ଲେନ୍ ବି ଅଳିଆରେ ଭରିଗଲାଣି ଓ ଜବରଦଖଲକୁ ଚାଲିଗଲାଣି। ହୋଟେଲର ଅଇଁଠା, ବାସନକୁସନ, ହାତଧୁଆ ପାଣି ଏଣେତେଣେ ଛାଡ଼ୁଛନ୍ତି। ପାର୍କରେ ମଦବୋତଲ ଗଦା ହୋଇଛି। ଦୋକାନୀଙ୍କୁ ସଚେତନ ଉଦ୍ଦେଶ୍ୟରେ ଆମେ ଆଜି ଗଣସଫେଇ କରିଛୁ।ଆଜିର ଗଣସଫେଇରେ ବି ଅଞ୍ଚଳବାସୀ ଓ ସ୍ଥାନୀୟ କର୍ପୋରେଟର୍ ପୂର୍ଣ୍ଣ ସହଯୋଗ କରିଛନ୍ତି। ନିଜ ପରିବେଶକୁ ନିଜେ ପରିଛନ୍ନ ରଖିବାକୁ ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button