ଦେଶ ବିଦେଶ

Bangladesh Protest: ତଳ ମହଲାରେ ନିଆଁ ଲଗାଇଦେଲେ ଦଙ୍ଗାକାରୀ, ୯ମ ମହଲାରେ ୩ଘଣ୍ଟା କାଳ ଫସିରହିଲେ ୨୮ସାମ୍ବାଦିକ

ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ବାଂଲାଦେଶର ଇଂରାଜୀ ଦୈନିକ ଖବରକାଗଜ 'ଦି ଡେଲି ଷ୍ଟାର' କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି।

ନୂଆଦିଲ୍ଲୀ: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି। ଗୁରୁବାର ମଧ୍ୟରାତ୍ରିରେ ବାଂଲାଦେଶର ଗଣମାଧ୍ୟମକାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରାଯାଇଥିଲା। ଦଙ୍ଗାକାରୀମାନେ ବାଂଲାଦେଶର ଇଂରାଜୀ ଦୈନିକ ଖବରକାଗଜ ‘ଦି ଡେଲି ଷ୍ଟାର’ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ପ୍ରାୟ ୨୮ଜଣ ସାମ୍ବାଦିକ କାର୍ଯ୍ୟାଳୟ ଭିତରେ ଥିଲେ।

ମୃତ୍ୟୁର ଅତି ପାଖକୁ ଆସିଯାଇଥିଲେ ୩ସାମ୍ବାଦିକ

ସୂଚନା ମୁତାବକ, ସାମ୍ବାଦିକ କାର୍ଯ୍ୟାଳୟର ୯ମ ମହଲାରେ ଥିବା ବେଳେ ଦଙ୍ଗାକାରୀମାନେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲଗାଇ ଦେଇଥିଲେ। ପ୍ରାୟ ୩ଘଣ୍ଟା କାଳ ୯ମ ମହଲାରେ ଫସିରହିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଜଣାପଡ଼ିଛି। ‘ଦି ଡେଲି ଷ୍ଟାର’ର କାର୍ଯ୍ୟାଳୟ ଏବେ ସମ୍ପୂର୍ଣ୍ଣ ଜଳିଯାଇଛି। ଦଙ୍ଗାକାରୀମାନେ ଅନ୍ୟ ଏକ ବାଂଲାଦେଶୀ ଖବରକାଗଜ ‘ପ୍ରଥମ ଆଲୋ’ର କାର୍ଯ୍ୟାଳୟକୁ ମଧ୍ୟ ପୋଡ଼ି ଦେଇଥିବା ସାମ୍ନାକୁ ଆସିଛି।

ତଳକୁ ଆସିବାକୁ ଚେଷ୍ଟା କରିଥିଲେ ସାମ୍ବାଦିକ

ଦଙ୍ଗା ଆରମ୍ଭ ହେବା ଜାଣି ନ୍ୟୁଜରୁମର କର୍ମଚାରୀମାନେ ପ୍ରଥମେ ତଳ ମହଲାକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ଦଙ୍ଗାକାରୀମାନେ ତଳ ମହଲାରେ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ ଏବଂ ପରେ ଏହାର କିଛି ଅଂଶରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗି ଧୁଆଁ ବାହାରିବାରୁ ଆଉ ବାହାରକୁ ଆସିପାରିନଥିଲେ ସାମ୍ବାଦିକମାନେ। ତେଣୁ ସେମାନଙ୍କୁ ବାଧ୍ୟ ହୋଇ ଉପରକୁ ଯିବାକୁ ପଡ଼ିଥିଲା। କିଛି ଘଣ୍ଟା ପରେ ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇବାରୁ ସାମ୍ବାଦିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

କେମିତି ହେଲା ମୃତ୍ୟୁ?

କିଛି ଦିନ ପୂର୍ବରୁ ୩୪ ବର୍ଷୀୟ ହାଦିଙ୍କୁ ଗୁଳି କରାଯାଇଥିଲା ଏବଂ ସେ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ସେ ପ୍ରଖର ଭାରତ ବିରୋଧୀ ଭାବେ ଜଣାଶୁଣା ଥିଲେ ।ସେ ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ପୁରୁଣା ପଲଟନ ଅଞ୍ଚଳରେ ବ୍ୟାଟେରୀ ଚାଳିତ ରିକ୍ସାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ମୋଟରସାଇକେଲ ଆତତାୟୀମାନେ ଗୁଳି କରିଥିଲେ। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ହାଦି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସେ ବଞ୍ଚି ପାରି ନଥିଲେ।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button