ମହାନଗର

Abandoned classrooms: ପିଲାଙ୍କ ପାଇଁ ବିପଦ ପରିତ୍ୟକ୍ତ ଶ୍ରେଣୀଗୃହ: ପୂରା ଭାଙ୍ଗିବାକୁ ଦାବି

ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଶ୍ରେଣୀଗୃହଗୁଡ଼ିକ ପିଲାଙ୍କ ପାଇଁ ବିପଦର କାରଣ ହେବା ଆଶଙ୍କା ରହିଛି। କାନ୍ଥ ସବୁ ଫାଟି ଆଁ କରିଛି। ଭଙ୍ଗା ଆଜ୍‌ବେଷ୍ଟସ ଓ ଖତିରା କାଠ ଶେଣୀ ବିପଜ୍ଜନକ ଅବସ୍ଥାରେ ଝୁଲିରହିଛି।

ବାଲିପାଟଣା: ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଶ୍ରେଣୀଗୃହଗୁଡ଼ିକ ପିଲାଙ୍କ ପାଇଁ ବିପଦର କାରଣ ହେବା ଆଶଙ୍କା ରହିଛି। କାନ୍ଥ ସବୁ ଫାଟି ଆଁ କରିଛି। ଭଙ୍ଗା ଆଜ୍‌ବେଷ୍ଟସ ଓ ଖତିରା କାଠ ଶେଣୀ ବିପଜ୍ଜନକ ଅବସ୍ଥାରେ ଝୁଲିରହିଛି। ଶ୍ରେଣୀଗୃହ ଭିତରେ ଅନାବନା ଲତା ମାଡ଼ିଗଲାଣି। ଫଳରେ ସରୀସୃପମାନଙ୍କ ପାଇଁ ଭଲ ଆସ୍ଥାନ ମିଳିଯାଇଛି। ସେହିଭଳି ନିଶାଡ଼ିମାନେ ଆଡ଼ା ଜମାଇବାକୁ ପରିତ୍ୟକ୍ତ ଘର ଭଲ ସୁଯୋଗ ଦେଇଛି। ଫଳରେ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ବାଲିପାଟଣା ଧାନହରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ। ତୁରନ୍ତ ପରିତ୍ୟକ୍ତ ଶ୍ରେଣୀଗୃହଗୁଡ଼ିକ ଭାଙ୍ଗି ଦେବାକୁ ଅଭିଭାବକ ଓ ଶିକ୍ଷାବିତ୍‌ମାନେ ଦାବି କରିଛନ୍ତି।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୯ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୮ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ଫନି ବାତ୍ୟାରେ ବିଦ୍ୟାଳୟର ପୁରୁଣା ଆଜବେଷ୍ଟସ୍‌ ଘର ଭାଙ୍ଗିରୁଜି ଯାଇଥିଲା। ସେତେବେଳେ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ା ହୋଇଥିଲା। ପରେ ନୂଆ ଶ୍ରେଣୀଗୃହ ନିର୍ମାଣ ହେଲା ଏବଂ ସେଠାରେ ପାଠପଢ଼ା ଚାଲିଛି। ଶ୍ରେଣୀଗୃହ ନିଅଣ୍ଟ ହେଲେ ହେଁ ନୂଆ କୋଠାରେ ପିଲା ବସୁଛନ୍ତି। ପୁରୁଣା ଭଙ୍ଗା ଶ୍ରେଣୀଗୃହଗୁଡ଼ିକୁ ବିପଜ୍ଜନକ ଘୋଷଣା କରାଯାଇଛି ଏବଂ ସେବେଠୁ ‌ପରିତ୍ୟକ୍ତ ହୋଇ ପଡ଼ିଛି। ଶ୍ରେଣୀଗୃହ ଗୁଡ଼ିକର କବାଟ, ଝରକା କିଛି ନାହିଁ, ସବୁ ଉପୁଡ଼ି ଯାଇଛି। ମଝିରେ ମଝିରେ ଭଙ୍ଗା ଆଜ୍‌ବେଷ୍ଟସ୍‌ ଓ ଖତିରା କାଠ ଶେଣୀ ଗଳିପଡ଼ୁଛି। ଭାଙ୍ଗି ତଳେ ପଡ଼ୁଛି। ପିଲାମାନଙ୍କୁ ପୁରୁଣା ଘର ଆଡ଼େ ଯିବାକୁ ବାରଣ କରାଯାଇଛି। ମାତ୍ର କୋମଳମତି ଛୋଟପିଲାମାନେ ଖେଳୁ ଖେଳୁ ସେମାନଙ୍କ ଅଜ୍ଞାତରେ ସେଆଡ଼କୁ ଚାଲିଯାଉଛନ୍ତି। ସୌଭାଗ୍ୟକୁ ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ। କିନ୍ତୁ ପିଲାଙ୍କ ପାଇଁ ବିପଦକୁ ଜଗି ବସିବା ଭଳି ସ୍ଥିତି ଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ଦାସ କହିଛନ୍ତି।

ପୁରୁଣା ଶ୍ରେଣୀଗୃହ କଡ଼ରେ ଗୁରୁବାର ଓ ରବିବାର ସକାଳୁ ଧାନହରା ସାପ୍ତାହିକ ହାଟ ବସୁଛି। ଭଙ୍ଗା କାନ୍ଥକୁ ଲାଗି ହାଟ ବସୁଛି। ଶହଶହ ଗ୍ରାହକ ଓ ବେପାରୀ ବସି କିଣାବିକା କରୁଛନ୍ତି। ତେଣୁ କେବେ ଯଦି ଭଙ୍ଗା କାନ୍ଥ ଭୁଶୁଡ଼ିଲା, ବଡ଼ଧରଣର ଅଘଟଣ ଘଟିବା ଥୟ। ପ୍ରଧାନଶିକ୍ଷକ ବଳରାମ ପଣ୍ଡାଙ୍କ କହିବା କଥା ପରିତ୍ୟକ୍ତ ଶ୍ରେଣୀଗୃହ ଭାଙ୍ଗିବା ଲାଗି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ ଅନୁମତି ମିଳିଲେ, ପୁରୁଣା ଘର ଭଙ୍ଗାଯିବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button