uncategories

India-Pakistan: ଭାରତ-ପାକ୍‌ ଅସ୍ତ୍ରବିରତି: ଚୀନ୍‌ର ଶ୍ରେୟ ଦାବିକୁ ଭାରତର ପ୍ରତ୍ୟାଖ୍ୟାନ, ‘ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ’

ଭାରତ-ପାକ୍‌ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଆମେରିକା ବ୍ୟାକୁଳ ଥିବା ବେଳେ ଏବେ ଚୀନ୍‌ ଏହି ବିବାଦକୁ କୁଦିଛି । ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଦାବି କରିଛନ୍ତି ଯେ ବେଜିଂ ୨୦୨୫ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟସ୍ଥତା କରି ଯୁଦ୍ଧବିରତି କରାଇଥିଲା।

ନୂଆଦିଲ୍ଲୀ: ଭାରତ-ପାକ୍‌ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଆମେରିକା ବ୍ୟାକୁଳ ଥିବା ବେଳେ ଏବେ ଚୀନ୍‌ ଏହି ବିବାଦକୁ କୁଦିଛି । ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଦାବି କରିଛନ୍ତି ଯେ ବେଜିଂ ୨୦୨୫ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟସ୍ଥତା କରି ଯୁଦ୍ଧବିରତି କରାଇଥିଲା।  ଏହି ଦାବିକୁ ଆଜି ଭାରତ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଭୂମିକା ନାହିଁ ଏବଂ ଏହିଭଳି ଦାବିଗୁଡ଼ିକୁ ପୂର୍ବରୁ ମଧ୍ୟ ଖଣ୍ଡନ କରାଯାଇଛି। ଭାରତ ସ୍ପଷ୍ଟ କରିସାରିଛି ଯେ ଯୁଦ୍ଧବିରତି ଭାରତ ଓ ପାକିସ୍ତାନର ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରି ଅପରେସନ୍ସ (ଡିଜିଏମ୍‌ଓ) ମଧ୍ୟରେ ସିଧାସଳଖ କଥାବାର୍ତ୍ତାର ଫଳ ଥିଲା। ଏହି ଯୁଦ୍ଧବିରତି ମେ ୧୦ରେ ଘୋଷଣା ହୋଇଥିଲା ଏବଂ ଏହା ଅପରେସନ୍ ସିନ୍ଦୂର ପରେ ହୋଇଥିଲା। ଅପରେସନ୍ ସିନ୍ଦୂର ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିଲା।

 

ଅସ୍ତ୍ରବିରତି ଶ୍ରେୟ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁହାକୁ ତୁହା ଦାବି କରୁଥିବା ବେଳେ ଏବେ ଚୀନ୍‌ର ଦାବି ଏହାର ବିବାଦୀୟ କୂଟନୀତିକୁ ଦର୍ଶାଉଛି। ସୂଚନାଯୋଗ୍ୟ, ଏ ବାବଦ ପ୍ରତ୍ୟେକଟି ଦାବିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଥିଲେ ମଧ୍ୟ  ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶ୍ରେୟ ଦାବି ଛାଡ଼ିନାହାନ୍ତି ଏବଂ ଚୀନ୍‌  ମଧ୍ୟ ନିଜର ଆଧିପତ୍ୟ ଦେଖାଇବାକୁ ଏବେ ଶ୍ରେୟ ଦାବି କରିବା  ସମସ୍ତଙ୍କୁ ବିସ୍ମିତ କରିଛି।  ହଠାତ୍‌ ଶ୍ରେୟ ପାଇଁ ଚୀନ୍‌ର  ଦାବି ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରିଥିବା ବେଳେ ଏହା ଦୁଇ ଦେଶ ମଧ୍ୟରେ ଅବିଶ୍ୱାସର ବାତାବରଣକୁ ଆହୁରି ବଢ଼ାଇଛି। ଚୀନ୍‌ର  ନୂଆ ଦାବି ଭାରତ-ଚୀନ୍ ସମ୍ପର୍କରେ ନୂଆ ଉତ୍ତେଜନା ସୃଷ୍ଟି କରିପାରେ ଏବଂ ଦକ୍ଷିଣ ଏସିଆର ସ୍ଥିରତା ଉପରେ ପ୍ରଭାବ ପକାଇପାରେ ବୋଲି ଏସିଆ ବ୍ୟାପାର ବିଶେଷଜ୍ଞମାନେ କହିଛନ୍ତି। ଚୀନ୍‌ର ଏହି ଦାବି ପଛରେ ପାକିସ୍ତାନ ସହ କିଛି ଗୁପ୍ତ ବୁଝାମଣା ରହିଥିବା କୁହାଯାଉଛି। ଭାରତ ବିରୋଧରେ ଏହା ଚୀନ୍‌ର ଚାପ ରଣନୀତିର ଅଂଶ ହୋଇପାରେ ବୋଲି ମଧ୍ୟ ବରିଷ୍ଠ କୂଟନୀତିଜ୍ଞମାନେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button