AI: ସୃଜନଶୀଳତାରେ ମଣିଷକୁ ଟପିପାରିବ କି ଏଆଇ?

ଅନେକ ବିଶେଷଜ୍ଞଙ୍କ ଯୁକ୍ତି ଯେ କୃତ୍ରିମ ବୁଦ୍ଧମତ୍ତା ବା ‘ଏଆଇ’କୁ ଯେମିତି ଇନ୍‌ପୁଟ୍‌ ଦିଆଯିବ ତା’ର ଆଉଟ୍‌ପୁଟ୍‌ ମଧ୍ୟ ସେ ପ୍ରକାର ହେବ- ଅର୍ଥାତ୍‌ ଏହାର କ୍ଷମତା ବୃଦ୍ଧିର ସୀମା ନାହିଁ। କିନ୍ତୁ ଏଆଇ କଦାପି ମନୁଷ୍ୟ ଅ‌େପକ୍ଷା ଅଧିକ ସର୍ଜନଶୀଳ ହୋଇପାରିବ ନାହିଁ ବୋଲି ଜର୍ଣ୍ଣାଲ୍‌ ଅଫ୍‌ କ୍ରିଏଟିଭ୍‌ ବିହେଭିୟର୍‌ରେ ପ୍ରକାଶିତ ଏକ ଗବେଷଣା ପତ୍ର କହୁଛି। ସେଥିରେ ଉଲ୍ଲେଖ ଅଛି- ‘ଏଆଇ’ର କଳ୍ପିତ ସର୍ଜନଶୀଳତା କେବଳ ଗାଣିତିକ କ୍ଷେତ୍ରରେ ସୀମାବଦ୍ଧ।

ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟସ୍ଥିତ ଇଞ୍ଜିନିୟରିଙ୍ଗ୍‌ ଇନୋଭେସନ୍‌ ବିଭାଗର ପ୍ରାଧ୍ୟାପକ ତଥା ଉପରୋକ୍ତ ଗବେଷଣା ପତ୍ରର ରଚୟିତା ଡେଭିଡ୍‌ କ୍ରପ୍‌ଲି କହନ୍ତି, ‘‘ମାନବର ସଉକିନ୍‌ ଓ ପେସାଦର ସ୍ତର ମଧ୍ୟରେ ‘ଏଆଇ’ର ଦକ୍ଷତା ସୀମିତ। ଅର୍ଥାତ୍‌, ସୁଦକ୍ଷ ମାନବ କଳାକାରଙ୍କ ସର୍ଜନାକୁ ‘ଏଆଇ’ କଦାପି ଟପିଯାଇ ପାରିବ ନାହିଁ।’’ କ୍ରପ୍‌ଲି ପୁଣି କହିଛନ୍ତି, ‘‘ଚାଟ୍‌ଜିଟିପି ଗଳ୍ପ, କବିତା ଅଥବା ଚିତ୍ର ତିଆରି କରିପାରୁଥିବାରୁ ଅନେକ ଲୋକ ଏହାକୁ ସର୍ଜନଶୀଳତା ବୋଲି ଭାବୁଛନ୍ତି। କିନ୍ତୁ, କିଛି ଜିନିଷ ତିଆରି କରିବା ଅର୍ଥ ନୁହେଁ ସର୍ଜନଶୀଳ ହୋଇଯିବା। ୬୦%ରୁ କମ୍‌ ଲୋକଙ୍କର ସାଧାରଣ ସର୍ଜନଶୀଳ ଗୁଣ ନ ଥାଏ। ତେଣୁ, ଚାଟ୍‌ଜିଟିପି ଭଳି ଲାର୍ଜ ଲାଙ୍ଗୁଏଜ୍‌ ମଡେଲ୍‌ ବା ଏଲ୍‌ଏଲ୍‌ଏମ୍‌ଗୁଡ଼ିକ ସର୍ଜନଶୀଳ ବୋଲି ଅଧିକାଂଶ ଲୋକେ ଭାବିବା ସ୍ବାଭାବିକ। କେବଳ ଅତି ଉନ୍ନତ ସର୍ଜନଶୀଳ ଲୋକେ ହିଁ ‘ଏଆଇ’ର ଦୋଷଦୁର୍ବଳତାକୁ ଧରିପାରିବେ।’’

‘ଏଆଇ’ ସର୍ଜନଶୀଳତା କ୍ଷେତ୍ରର ଅର୍ଥନୀତିକୁ ଡୁବାଇ ଦେବ ବୋଲି ଯେଉଁ ଉଦ୍‌ବେଗ ପ୍ରକାଶ ପାଇଛି ତାକୁ ଦୂର କରିବା ଲାଗି କ୍ରପ୍‌ଲିଙ୍କ ଗବେଷଣା କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିନାହିଁ। ତେଣେ, ‘ଏଆଇ’ର ସମ୍ଭାବ୍ୟ ସର୍ଜନାଶୀଳତା ଉପରେ ବିଶେଷଜ୍ଞମାନେ ବିତର୍କ ଚାଲୁ ରଖିଛନ୍ତି। ତା’ଛଡ଼ା ସାଧାରଣରେ ଯାହାକୁ ସର୍ଜନଶୀଳତାର ସଂଜ୍ଞା କୁହାଯାଉଛି, ତାହା ହେଉଛି ‘ଏଆଇ’ର ସର୍ଜନଶୀଳତା କ୍ଷେତ୍ରରେ ଗୋଟାଏ ଗୁରୁତ୍ବପୂର୍ଣ୍ଣ ପ୍ରତିବନ୍ଧକ। ‘ବିଚକ୍ଷଣ’ ଓ ‘ଆକର୍ଷଣୀୟ’ ଭଳି ‘ସର୍ଜନଶୀଳତା’ ମଧ୍ୟ ‌ଗୋଟାଏ ମାନବୀୟ ବ୍ୟାଖ୍ୟା। ତେଣୁ ସର୍ଜନଶୀଳତା ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଜିନିଷକୁ ବୁଝାଏ।
ଇ-କମର୍ସ ବିଜ୍ଞାପନ ପ୍ରସ୍ତୁତିରେ ‘ଏଆଇ’ ପ୍ରୟୋଗ କରିଥିବା ସଫାୟାର୍‌ ମିଡିଆ ସଂସ୍ଥାନର ଜ୍ୟାକ୍‌ ସ’ଙ୍କ ମତରେ, ‘ଏଆଇରେ ସର୍ଜନଶୀଳତା ସମ୍ଭାବନା ନିହିତ ଅଛି, କିନ୍ତୁ ତାହାର ନିଜସ୍ବ ଅନୁଭୂତି ନ ଥାଏ କି, ତାହା ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରିପାରେ ନାହିଁ। ତେଣୁ, ଉପରୋକ୍ତ ଗବେଷଣାର ନିଷ୍କର୍ଷ ସତ୍ୟ।’ ସେହିପରି, ଫ୍ରୁଟ୍‌ସନ୍‌ ପବ୍ଲିସିଙ୍ଗ୍‌ ଜନ୍‌ସାଏରେଜ୍‌ ସର୍ଭିସେସ୍‌ର ସଂସ୍ଥାପକ ଆଲେସା ବ୍ରାଉନ୍‌ ମଧ୍ୟ କହନ୍ତି ଯେ ‘ଏଆଇ’ର ସର୍ଜନଶୀଳତାରେ ମାନବୀୟ ଅନୁଭୂତିର ଅଭାବ ଏହାର ସବୁଠାରୁ ବଡ଼ ଦୁର୍ବଳତା।

ସୌଜନ୍ୟ ସମ୍ବାଦ