uncategories
Literature: ସୂର୍ଯ୍ୟକାନ୍ତ ବେହେରାଙ୍କ କବିତା ‘ମାୟା ମିରିଗ’…
ମନର ଆଶା ଓ ଆକାଂକ୍ଷା ଆକାଶକୁ ଛୁଇଁଯାଏ, କିନ୍ତୁ ହୃଦୟ ଉଲ୍କା ଖଣ୍ଡ ପରି ଭାଙ୍ଗି ଯାଇ ବେଦନାରେ ଭରିଯାଏ। ତପସ୍ୟା ଓ ସଂଘର୍ଷର ଅର୍ଥ ବଦଳିଯାଏ ଏବଂ ହାର-ଜିତର ମାପକାଠିରେ ଜୀବନର ସୁର ବେସୁରା ହୋଇପଡ଼େ।

ମାୟା ମିରିଗ
ସୂର୍ଯ୍ୟକାନ୍ତ ବେହେରା
ସେ ଥିଲା ଗୋଟେ ଭିନ୍ନ ସମୟ
ମନର ମୂର୍ଚ୍ଛନା ଲଂଘିଯାଏ ଆଶାର ଆକାଶ
ଉଲ୍କା ଖଣ୍ଡ ପରି ହୃଦୟ ଖିନ୍ଭିନ୍ ହୁଏ
ତପସ୍ୟାର ରୂପରେଖ ବଦଳିଯାଏ
ହାର୍-ଜିତ୍ର ମାପକାଠିରେ
ଅଗ୍ନିବୀଣାରୁ ବେସୁରା ସୁର ଶୁଭୁଥାଏ।
କିନ୍ତୁ, ଏ କ’ଣ
ଏ ତ ସେଇ ସୁର
ଗଗନେ ପବନେ ଚିହ୍ନା ପ୍ରତିଧ୍ବନି
ଉଦୟଭାନୁ ବି ବିମୁଖ
ପାଦ ଧାଉଁଥାଏ ବାଟ ଅବାଟ ନ ମାନି।
କେଜାଣି କେତେ କୋଟିରେ ଆସେ
ଏମିତି ଗୋଟେ ମୁହୂର୍ତ୍ତ
ମନରେ ଭାବାନ୍ତର
ଲିଭିଯାଏ ରାଗ ଅନୁରାଗର କରୁଣ ଧାର
ସୁଖର ସଂସାର
ଭାଙ୍ଗିଯିବ କ’ଣ କାଚଘର ପରି ହୋଇ ଚୂରମାର୍
ବାହାରେ ପ୍ରତିଧ୍ବନି ଭିତରେ ଅନ୍ତର୍ଦ୍ବନ୍ଦ୍ବ
ଦୂର ଦିଗ୍ବଳୟରେ ଦୃଷ୍ଟି
ବହୁଥାଏ ଲୁହ ଧାର ଧାର।
ଏବେ ବି ଏଠି ସବୁ ଝିଅ ସୀତା ପରି
କୁହୁଡ଼ି ଘେରା ମଝି ପାହାଚେ ଠିଆ
ନିଶୀଥ ସ୍ବପ୍ନର ଚରିତାର୍ଥ ପାଇଁ
ଡେଇଁବାକୁ ଉଦ୍ୟତ ଲକ୍ଷ୍ମଣଗାର
ଚାରିଆଡ଼େ ଆକାଶର ଆଖି
ଚିହ୍ନା ପଡ଼େନାହିଁ ଯାହା ଭଣ୍ଡ ତପସ୍ବୀ।
ମୋ: ୮୧୦୧୨୧୦୯୮୧
ସୌଜନ୍ୟ ସମ୍ବାଦ




