Hockey India League: ହକି ଇଣ୍ଡିଆ ଲିଗ୍‌: ଲାନ୍‌ସର୍ସର ବିଜୟଧାରା ଜାରି

ଭୁବନେଶ୍ବର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ଭିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଅପରାଜେୟ ଧାରା ଜାରି ରଖିଛି। ବୁଧବାର ନିଜର ଚତୁର୍ଥ ମ୍ୟାଚ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ହାଇଦ୍ରାବାଦ ତୁଫାନ୍‌ସକୁ ପରାସ୍ତ କରଛି। ଏହି ବିଜୟ ସହ ଲାନ୍‌ସର୍ସ ୧୧ ପଏଣ୍ଟ୍‌ ସହ ପୁଣି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ସ୍ଥାନୀୟ ମାରାଙ୍ଗ ଗୋମ୍‌କେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମ ଦୁଇ କ୍ବାର୍ଟରରେ ବହୁବାର ସର୍କଲ ମଧ୍ୟରେ ପ୍ରବେଶ କରିଥିଲେ ମଧ୍ୟ ଗୋଲ୍‌ଦେବାକୁ ସକ୍ଷମ ହୋଇ ନଥିଲେ।

ଏପରିକି ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲ୍‌ଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିଥିଲା। ‌ତେବେ ତୃତୀୟ କ୍ବାର୍ଟର‌ରେ ଲାନ୍‌ସର୍ସକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଆଲେକ୍‌ଜାଣ୍ଡର ‌ହେଣ୍ଡ୍ରିକ୍ସ (୪୦ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ଶେଷ କ୍ବାର୍ଟରରେ ତୁଫାନ୍‌ସ ଗୋଲ୍‌ କରିବାକୁ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ଲାନ୍‌ସର୍ସର ରକ୍ଷଣଭାଗ ଏହାକୁ ଟାଳି ଦେଇଥିଲେ। ଫଳରେ ଚତୁର୍ଥ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବାରୁ ଲାନ୍‌ସର୍ସ ବିଜୟୀ ହୋଇ ପୂରା ୩ ପଏଣ୍ଟ କରାୟତ୍ତ କରିଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ରାଞ୍ଚି ରୟାଲ୍ସ ୬-୨ ଗୋଲ୍‌ରେ ଏସ୍‌ଜି ପାଇପର୍ସକୁ ପରାସ୍ତ କରିଛି।

ସୌଜନ୍ୟ ସମ୍ବାଦ