Foreign Investors: ଭାରତରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ: ଜାନୁଆରିରେ ଉଠାଇ‌ ନେଲେଣି ୨୨,୫୩୦ କୋଟି

ମୁମ୍ବାଇ: ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର) ଉଠାଇ ନେଲେଣି। ୨୦୨୫ ମସିହାରୁ ବିଦେଶୀ ନିବେଶକମା‌ନେ ଭାରତରୁ ମୁହଁ ଫେରାଇଛନ୍ତି। ୨୦୨୫ ମସିହାରେ ସେମାନେ ଭାରତୀୟ ପୁଞ୍ଜି ବଜାରରୁ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ( ୧୮.୯ ବିଲିଅନ ଡଲାର) ପ୍ରତ୍ୟାହାର କରି ନେଇଥିଲେ।

ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଅସ୍ଥିରତା, ଡଲାରରେ ନିବେଶରୁ ଭଲ ଲାଭ ମିଳିବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବା ପ୍ରଭାବ ବିଦେଶୀ ନିବେଶକଙ୍କ ଉପରେ ପଡ଼ିଛି। ସେମାନେ ଭାରତରୁ ପୁଞ୍ଜି ଉଠାଇ ନେଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ବଜାରରେ ଅନୁକୂଳ ପରିସ୍ଥିତି ସୃଷ୍ଟି ନହେବା ପର୍ଯ୍ୟନ୍ତ ଏଭଳି ଧାରା ଜାରି ରହିବ ବୋଲି ସେମାନେ କହିଛନ୍ତି।

ସୌଜନ୍ୟ ସମ୍ବାଦ