ଖେଳ

Tie match adds excitement to World Cup: ଟାଇ ମ୍ୟାଚ୍‌ ବଢ଼ାଇଛି ବିଶ୍ବକପ୍‌ ରୋମାଞ୍ଚ, ଭାରତ-ପାକିସ୍ତାନରୁ ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ଯାଏଁ

ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ୍‌ ଟାଇ ରହିବା ପରେ ଡବଲ୍‌ ସୁପର ଓଭରରେ ଶେଷ ହୋଇଥିଲା। ମ୍ୟାଚ୍‌ ସହ ପ୍ରଥମ ସୁପର ଓଭରରେ ଉଭୟ ଦଳ ସମାନ ରନ୍‌ କରିବା ପରେ ଦ୍ବିତୀୟ ସୁପର ଓଭରରେ ଦକ୍ଷିଣ ଆଫ୍ରିକା ନାଟକୀୟ ବିଜୟ ହାସଲ କରିଥିଲା।

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ୍‌ ଟାଇ ରହିବା ପରେ ଡବଲ୍‌ ସୁପର ଓଭରରେ ଶେଷ ହୋଇଥିଲା। ମ୍ୟାଚ୍‌ ସହ ପ୍ରଥମ ସୁପର ଓଭରରେ ଉଭୟ ଦଳ ସମାନ ରନ୍‌ କରିବା ପରେ ଦ୍ବିତୀୟ ସୁପର ଓଭରରେ ଦକ୍ଷିଣ ଆଫ୍ରିକା ନାଟକୀୟ ବିଜୟ ହାସଲ କରିଥିଲା। ତେବେ ଏହି ମ୍ୟାଚ୍‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ଟାଇ ମ୍ୟାଚ୍‌ ନଥିଲା। ୨୦୦୭ ମସିହାର ପ୍ରଥମ ସଂସ୍କରଣରେ ବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ପ୍ରସିଦ୍ଧ ମ୍ୟାଚ୍‌ ଟାଇ ରହିଥିଲା। ସେତେବେଳର ବୋଲ୍‌ ଆଉଟ୍‌ ନିୟମରେ ଭାରତ ଏହାକୁ ଜିତି ନେଇଥିଲା। ଆସନ୍ତା ୧୫ ତାରିଖରେ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେଉଥିଲା ବେଳେ ୧୯ବର୍ଷ ତଳର ସେହି ଚର୍ଚ୍ଚିତ ମୁକାବିଲା ସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏଭଳି କିଛି ଚର୍ଚ୍ଚିତ ଟାଇ ମ୍ୟାଚ୍‌ ଉପରେ ଆସନ୍ତୁ ନଜର ପକାଇବା।ଭାରତ-ପାକିସ୍ତାନ, ୨୦୦୭

ଟ୍ବେଣ୍ଟି-୨୦ ଇତିହାସର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଟାଇ ୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ-ପାକିସ୍ତାନ ମ୍ୟାଚ୍‌‌ରେ ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଫ୍ରିକାର ଡର୍ବାନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ ବିନିମୟରେ ୧୪୧ ରନ୍‌ କରିଥିଲା। ପାକିସ୍ତାନ ବିଜୟର ଦ୍ବାର ଦେଶରେ ଥିଲେ ମଧ୍ୟ ୭ ୱିକେଟ୍‌ ହରାଇ ସେହି ୧୪୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବୋଲ୍ଆଉଟ୍‌ରେ କିନ୍ତୁ ଭାରତ ବାଜି ମାରି ନେଇଥିଲା। ୩-୦ର ସ୍କୋର୍‌ ସହ ମ୍ୟାଚ୍‌ ଜିତି ନେଇଥିଲା। ପରେ ଭାରତ ଫାଇନାଲ୍‌ରେ ପାକିସ୍ତାନକୁ ପୁଣି ଥ‌ରେ ହରାଇ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିଥିଲା।

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ, ୨୦୧୨

୨୦୧୨ ମସିହାରେ ଶ୍ରୀଲଙ୍କାର ପାଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ମାତ୍ର କିଛି ଦିନ ଭିତରେ ଦୁଇଟି ଟାଇ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ବିଶ୍ବକପ୍‌ ମ୍ୟାଚ୍‌ରେ ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନ୍‌ ଲେଖାଏଁ କରିଥିଲେ। ଫଳରେ ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା। ଜବରଦସ୍ତ ବ୍ୟାଟିଂ ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ୍, ୨୦୧୨

ମାତ୍ର କିଛି ଦିନ ପରେ ପାଲେକେଲ୍‌ ଷ୍ଟାଡିୟମ୍‌ରେ କ୍ରିକେଟ୍‌ପ୍ରେମୀ ଆଉ ଏକ ରୋମାଞ୍ଚଭରା ଟାଇ ମ୍ୟାଚ୍‌ ଦେଖିବାକୁ ପାଇଥିଲେ। ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ୧୩୯ ରନ୍‌ ଲେଖାଏଁ କରିଥିଲେ। ସୁପର ଓଭର ମଧ୍ୟ ବେଶ୍‌ ନାଟକୀୟ ଥିଲା। ନ୍ୟୁଜିଲାଣ୍ଡ ଏଥର ଶ୍ରୀଲଙ୍କା ବିପକ୍ଷରେ କରିଥିବା ଭୁଲ୍‌କୁ ଦୋହରାଇ ନଥିଲା। ଏହି ସୁପର ଓଭରକୁ ଜିତି ଲଗାତାର ଦୁଇଟି ଟାଇ ମ୍ୟାଚ୍‌ ହାରିବାର ଅ‌ଲୋଡ଼ା ରେକର୍ଡ କରିବାରୁ ବର୍ତ୍ତି ଯାଇଥିଲା ନ୍ୟୁଜିଲାଣ୍ଡ୍‌।

ନାମିବ୍ୟା-ଓମାନ, ୨୦୨୪

୨୦୨୪ ମସିହାରେ ବ୍ରିଜ୍‌ଟାଉନ୍‌ଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଆଉ ଏକ ରୋମାଞ୍ଚଭରା ମୁକାବିଲା ‌ଖେଳାଯାଇଥିଲା ଦୁଇ ଅନଭିଜ୍ଞ ଦଳ ନାମିବ୍ୟା ଓ ଓମାନ ମଧ୍ୟରେ। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଲୋ ସ୍କୋରିଂ ମୁକାବିଲାରେ ଓମାନ ୧୦୯ ରନ୍‌ କରିବା ପରେ ନାମିବ୍ୟା ମଧ୍ୟ ସେହି ୧୦୯ ରନ୍‌ରେ ଅଟକି ଯାଇଥିଲା। ଫଳରେ ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା। ନାମିବ୍ୟା ସୁପର ଓଭର ଚାପକୁ ସଫଳତାର ସହ ମୁକାବିଲା କରି ବିଜୟ ମୁକୁଟ ପିନ୍ଧିଥିଲା।

ପାକିସ୍ତାନ-ଆମେରିକା, ୨୦୨୪

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟାଇ ମ୍ୟାଚ୍‌ର ଆଉ ଏକ ନାଟକୀୟ ରୂପ ୨୦୨୪ର ପାକିସ୍ତାନ-ଆମେରିକା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଗ୍ରୁପ୍-ଏ’ର ଏହି ମ୍ୟାଚ୍‌ରେ ୨୦୦୯ ମସିହା ବିଜେତା ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟରୁ ବାହରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ବିନିମୟରେ ୧୫୯ ରନ୍‌ କରିଥିଲା। ଜବାବରେ ଆମେରିକା ଶେଷ ଓଭରରେ ୧୪ ରନ୍‌ ଅମଳ କରିବା ସହ ୧୫୯/୩ରେ ତା’ର ପଶ୍ଚାତଧାବନ ଶେଷ କରିଥିଲା। ଫଳରେ ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା। ସେଠାରେ ପାକିସ୍ତାନ ସମ୍ମୁଖରେ ଆମେରିକା ୧୯ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପୁଣି ସୌରଭ ନେତ୍ରଭାଲକରଙ୍କ ଶାଣିତ ବୋଲିଂ ବଳରେ ପାକିସ୍ତାନକୁ ୧୩/୧ରେ ଅଟକାଇ ଐତିହାସିକ ବିଜୟ ହାସଲ କରିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସର ଏହା ମଧ୍ୟ ଅନ୍ୟତମ ବଡ଼ ବିପର୍ଯ୍ୟୟ ଥିଲା।

ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା, ୨୦୨୬

ଚଳିତ ସଂସ୍କରଣର ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ ବିନିମୟରେ ୧୮୭ ରନ୍‌ କରିଥିଲା। ଜବାବରେ ଆଫଗାନିସ୍ତାନ ସାହସିକ ବ୍ୟାଟିଂ କରିଥିଲେ ମଧ୍ୟ ୧୯.୪ ଓଭରରେ ୧୮୭ ରନ୍‌ରେ ଅଲଆଉଟ୍‌ ହୋଇଯାଇ ବିଜୟର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ଉଭୟ ଦଳ ସମାନ ରନ୍‌ କରିଥିବାରୁ ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା। ପ୍ରଥମ ସୁପର ଓଭରରେ ସଂଯୋଗବଶତଃ ଦୁଇଟି ଯାକ ଦଳ ୧୭ ରନ୍‌ କରିଥିଲେ। ଫଳରେ ଦ୍ବିତୀୟ ସୁପର ଓଭରର ଉପଯୋଗ କରାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୨୩ ରନ୍‌ କରିଥିଲା। ଆଫଗାନିସ୍ତାନ ୧୯ ରନ୍‌ କରି ମାତ୍ର ୪ ରନ୍‌ରେ ପରାଜିତ ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button