ଓଡିଶାଜିଲ୍ଲା

Electricity: ୨୭୪ ଗାଁରେ ନାହିଁ ବିଜୁଳି ଆଲୁଅ: ଅନ୍ଧାରରେ ୩୫୩୩ ପରିବାର

ନବରଂଗପୁର ଜିଲ୍ଲାର ୧୦ଟି ବ୍ଲକର ୨୭୪ ଗାଁରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ଫଳରେ ୩୫୩୩ହଜାର ପରିବାର ଅନ୍ଧାରରେ ରହୁଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍‌ ଆଲୁଅ ଯୋଗାଇ ଦିଆଯାଉଛି ବୋଲି ସରକାରୀ ରେକର୍ଡ କହୁଛି।

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାର ୧୦ଟି ବ୍ଲକର ୨୭୪ ଗାଁରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ଫଳରେ ୩୫୩୩ହଜାର ପରିବାର ଅନ୍ଧାରରେ ରହୁଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍‌ ଆଲୁଅ ଯୋଗାଇ ଦିଆଯାଉଛି ବୋଲି ସରକାରୀ ରେକର୍ଡ କହୁଛି। ବାସ୍ତବତା ହେଲା ସୋଲାର ପ୍ରକଳ୍ପ ଗୁଡ଼ିକ ବହୁ ଦିନ ଧରି ଅଚଳ ରହିଥିଲେ ସୁଦ୍ଧା ମରାମତି ହୋଇପାରୁନି। ପୂର୍ବରୁ ବିଜୁ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାରେ ଛୋଟ ଗାଁକୁ ବିଦ୍ୟୁତ୍‌ ସଂଯୋଗ କାମ ‌ଆରମ୍ଭ ହୋଇଥିଲା। ବିଡ଼ମ୍ବନା ହେଲା ଏହି ସେ।ଲାର ଯୋଜନାରେ ୭୧ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ଏପ୍ରିଲ ସୁଦ୍ଧା ସେହି ୭୧ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଯିବ ବୋଲି ଲକ୍ଷ୍ୟ ରହିଥିଲା। ତେବେ ଧାର୍ଯ୍ୟ ଲକ୍ଷ୍ୟକୁ ୨ମାସ ବିତିସାରିଥିଲେ ହେଁ ତାହା ଏଯାଏଁ କାର୍ଯ୍ୟକାରି ହୋଇ ନି।

ଜିଲ୍ଲାର ନବରଙ୍ଗପୁର ବ୍ଲକର ୪ଟି ଗାଁରେ ୩୧ପରିବାର ଅନ୍ଧାରରେ ରାତି କାଟୁଛନ୍ତି। ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକର ୩୭ଗାଁର ୨୩୩ ପରିବାର, ନନ୍ଦାହାଣ୍ଡି ବ୍ଲକର ୪ ଗାଁର ୭୦ ପରିବାର, ପାପଡ଼ାହାଣ୍ଡି ବ୍ଲକର ୪୪ ଗାଁର ୪୯୮ ପରିବାର, ଡାବୁଗାଁ ବ୍ଲକର ୧୮ ଗାଁର ୧୪୪ ପରିବାର, କୋଷାଗୁମୁଡ଼ା ବ୍ଲକର ୩୧ ଗାଁର ୪୨୪ ପରିବାର, ଉମରକୋଟ ବ୍ଲକର ୨୪ ଗାଁର ୩୩୦ ପରିବାର, ରାଇଘର ବ୍ଲକର ୧୮ ଗାଁର ୨୦୯ ପରିବାର, ଝରିଗାଁ ବ୍ଲକର ୫୪ ଗାଁର ୧୨୫୨ ପରିବାର ଓ ଚନ୍ଦାହାଣ୍ଡି ବ୍ଲକର ୪୦ଟି ଗାଁର ୩୬୨ ପରିବାର ଏଭଳି ସର୍ବମୋଟ ମୋଟ ୨୭୪ ଗାଁର ୩୫୫୩ ପରିବାର ନିକଟରେ ବିଦ୍ୟୁତ ସଂଯୋଗ ପହଚିଂ ପାରିନି।  ଫଳରେ ଏହି ପରିବାର ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ହୋଇଛନ୍ତି।

ଏହି ପରିବାର ଗୁଡିକ ନିକଟରେ ବିଦ୍ୟୁତ୍‌ ଆଲୁଅ ତୁରନ୍ତ ପହଞ୍ଚାଇବା ନିମନ୍ତେ ଜିଲ୍ଲା କମିଟି ନିକଟରେ ଟାଟା ପାୱାର ରିପୋର୍ଟ ଦାଖଲ କରିଥିଲା। ଏଥିପାଇଁ ୨୫କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ସେହିପରି ନନ୍ଦାହାଣ୍ଡି ବ୍ଲକ ପୁଟୁଘର ୮ ପରିବାର, ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଜଲାଗୁଡ଼ା ଓ ଟାଙ୍ଗିଣିକୋଟର ୪୭ ପରିବାର, ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଜଙ୍ଗଲିପାରା ଓ ତୁମାପାରାର ୨୮ ପରିବାରକୁ ୮୩ଟି ସୋଲାର ପ୍ୟାନେଲ୍ ମାଧ୍ୟମରେ ବିଦ୍ୟୁତ୍ ଯୋଗାଇବା ପାଇଁ ୪୧ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।

ତେବେ କିଛି ଗାଁକୁ ପୂର୍ବରୁ ସୋଲାର ମାଧ୍ୟମରେ ଆଲୁଅ ଯୋଗାଇ ଦିଆଯାଇଥିବା କୁହାଯାଉଛି। ବାସ୍ତବରେ ଅଧିକାଂଶ ଗାଁରେ ସୋଲାର ପ୍ରକଳ୍ପ ଅଚଳ ହୋଇଯାଇଛି। ଯେଉଁ ପଡ଼ା ଗାଁରେ ବିଦ୍ୟୁତ୍ ଆଲୁଅ ନାହିଁ ସେଠାରେ କାଠ ଜାଳି କିମ୍ବା ଡିବିରି ଜାଳି ଲୋକ ରାତି ବିତାଉଛନ୍ତି। ଜିଲ୍ଲାପ୍ରଶାସନ ବାରମ୍ବାର ବ୍ଲକ ପ୍ରଶାସନ ଗୁଡିକୁ ଏ ନେଇ ରିପୋର୍ଟ ମାଗୁଛନ୍ତି। ତେବେ କ୍ଷେତ୍ର କର୍ମଚାରୀ ମାନେ ମିଛ ସତ ରିପୋର୍ଟ ଦାଖଲ କରୁଥିବା ଅଭିଯୋଗ ହୋଇଛି। ବାରମ୍ଵାର ସମୀକ୍ଷା ଜିଲ୍ଲାପାଳ ଡ.ମହେଶ୍ଵର ସ୍ଵାଇଁ କରିବା ପରେ ମଧ୍ୟ ସ୍ଥିତି ସୁଧୁରୁନି। ଏହି ଗାଁ ଗୁଡ଼ିକୁ ବିଦ୍ୟୁତିକରଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରକାର ଅନୁମୋଦନ ପାଇଁ ପଠାଇଛନ୍ତି ବୋଲି ଟାଟା ପାଓର, ନିର୍ବାହୀ ଯନ୍ତ୍ରୀ ଇଁ.ସୁନିଲ କୁମାର ରାଉତ କହିଛନ୍ତି। ଅନୁମୋଦିତ ହୋଇ ଆସିଲେ ଟେଣ୍ଡର କରି କାମ ଆରମ୍ଭ ହେବ ବୋଲି କହିଛନ୍ତି ର୍ନିବାହୀ ଯନ୍ତ୍ରୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button