ଦେଶ ବିଦେଶ

Violence erupts : ସାମରିକ କାର୍ଯ୍ୟାନୁଷ୍ଠାନରେ କୁଖ୍ୟାତ ଡ୍ରଗ୍ସ ଚୋରା ଚାଲାଣକାରୀ ଏଲ୍ ମେଞ୍ଚୋ ନିହତ: ମେକ୍ସିକୋରେ ହିଂସା

ମେକ୍ସିକୋର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି, ବିଶ୍ୱର ସବୁଠାରୁ କୁଖ୍ୟାତ ଡ୍ରଗ୍ସ ଚୋରା ଚାଲାଣକାରୀ ଏଲ୍ ମେଞ୍ଚୋ ଓରଫ ନେମେସିଓ ରୁବେନ୍ ଓସେଗୁଏରା ସର୍ଭାଣ୍ଟେସ୍ ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି।

ମେକ୍ସିକୋ ସିଟି: ମେକ୍ସିକୋର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି, ବିଶ୍ୱର ସବୁଠାରୁ କୁଖ୍ୟାତ ଡ୍ରଗ୍ସ ଚୋରା ଚାଲାଣକାରୀ ଏଲ୍ ମେଞ୍ଚୋ ଓରଫ ନେମେସିଓ ରୁବେନ୍ ଓସେଗୁଏରା ସର୍ଭାଣ୍ଟେସ୍ ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଓସେଗୁଏରାଙ୍କ ମୃତ୍ୟୁ ପରେ ସାରା ଦେଶରେ ହିଂସାକାଣ୍ଡ ସୃଷ୍ଟି ହୋଇଛି। ପଶ୍ଚିମ ରାଜ୍ୟ ଜାଲିସ୍କୋରେ ମେକ୍ସିକାନ୍ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଅଭିଯାନରେ ତାଙ୍କର ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ଅନୁଯାୟୀ, ସାମରିକ କାର୍ଯ୍ୟାନୁଷ୍ଠାନ ପରେ ବିମାନରେ ସ୍ଥାନାନ୍ତର ସମୟରେ ଗୁରୁତର ଆଘାତ ଯୋଗୁ ୫୯ ବର୍ଷୀୟ ଏଲ୍ ମେଞ୍ଚୋଙ୍କର ମୃତ୍ୟୁ ଘଟିଥିଲା।

ଏଲ୍ ମେଞ୍ଚୋଙ୍କ ସଂଗଠନ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ (ସିଜେଏନ୍‌ଜି)ଗତ ଦଶନ୍ଧି ମଧ୍ୟରେ ମେକ୍ସିକୋର ସବୁଠାରୁ ଶକ୍ତିଶାଳୀ ଅପରାଧୀ ଗୋଷ୍ଠୀ ତଥା ଯୁକ୍ତରାଷ୍ଟ୍ରକୁ ଡ୍ରଗ୍ସ ଚାଲାଣର ଏକ ପ୍ରମୁଖ ଉତ୍ସ ପାଲଟିଛି। ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଏହି ଘଟଣାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ବିବରଣୀ ସୁରକ୍ଷା କ୍ୟାବିନେଟ୍ ଦ୍ୱାରା ପ୍ରଦାନ କରାଯିବ।

ତାଙ୍କ ମୃତ୍ୟୁ ଖବର ପରେ ସିଜେଏନ୍‌ଜିର ଗଡ଼ ବୋଲି କୁହାଯାଉଥିବା ଅନେକ ରାଜ୍ୟରେ ହିଂସାକାଣ୍ଡ ଘଟିଛି। ବନ୍ଧୁକଧାରୀମାନେ ବସ୍, ଟ୍ରକ୍ ଓ କାର୍‌ରେ ନିଆଁ ଲଗାଇବା ସହିତ ପ୍ରମୁଖ ରାସ୍ତାଗୁଡ଼ିକୁ ଅବରୋଧ କରିଥିଲେ। ଜାଲିସ୍କୋ, ଗୁଆନାଜୁଆଟୋ, ନାୟାରିତ, ମିଚୋଆକାନ୍ ଓ ତାମାଉଲିପାସ୍ ଭଳି ରାଜ୍ୟରେ ସାଧାରଣ ପରିବହନ ବନ୍ଦ କରାଯାଇଥିଲା।
ସ୍ଥାନୀୟ ଗଣମାଧ୍ୟମ ତଥା ଅଧିକାରୀଙ୍କ ଅନୁସାରେ, ଗୁଆଡାଲାଜାରାରୁ ପ୍ରାୟ ୮୦ ମାଇଲ ଦକ୍ଷିଣ-ପଶ୍ଚିମରେ ଏକ ପାର୍ବତ୍ୟ ଅଞ୍ଚଳ, ତାପାଲାପା କିମ୍ବା ନିକଟରେ ଏକ ଅଭିଯାନ ସମୟରେ ଓସେଗୁଏରାଙ୍କ ମୃତ୍ୟୁ ହୋଇଥିଲା। ଗଣମାଧ୍ୟମ ଏହି ଅଞ୍ଚଳରେ ପ୍ରବଳ ଗୁଳିଚାଳନା ହୋଇଥିବା ତଥା ସୁରକ୍ଷା ବାହିନୀ ମୁତୟନର ଦୃଶ୍ୟ ଦେଖାଇଛି। ଏଲ୍ ମେଞ୍ଚୋ ପୂର୍ବରୁ ଜଣେ ପୁଲିସ ଅଧିକାରୀ ଥିଲେ। ଏହାପରେ ସେ ଶକ୍ତିଶାଳୀ କାର୍ଟେଲ ନେଟୱାର୍କର ନେତୃତ୍ୱ ନେଇଥିଲେ। ତାଙ୍କ ସଂଗଠପ ଚୋରା ଚାଲାଣ ପଥଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସାମରିକ ଶୈଳୀ ଆପଣେଉଥିଲା।

ତାଙ୍କ ମୃତ୍ୟୁ ପରେ ମେକ୍ସିକୋରେ ଥିବା ଆମେରିକୀୟ ଦୂତାବାସ ଏକ ସୁରକ୍ଷା ସତର୍କତା ଜାରି କରିଛି। ଜାରି ରହିଥିବା ସୁରକ୍ଷା ଅଭିଯାନ ଓ ରାସ୍ତା ଅବରୋଧ ଯୋଗୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆମେରିକୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଦୂତାବାସ ଅନୁରୋଧ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button