ଖେଳ

world cup Super 8: ସୁପର୍‌-୮ରେ ଝୁଣ୍ଟିଲା ଭାରତ: ୭୬ ରନ୍‌ରେ ଜିିତିଲା ଦକ୍ଷିଣ ଆଫ୍ରିକା

ଆତ୍ମବିଶ୍ବାସ ବିହୀନ ବ୍ୟାଟିଂ ଏବଂ ଆରମ୍ଭରୁ ଜବରଦସ୍ତ ସଫଳତା ସତ୍ତ୍ବେ ପରବର୍ତ୍ତୀ ସମୟରେ ଦୁର୍ବଳ ବୋଲିଂ ଭାରତୀୟ କ୍ରିକେଟ୍‌ ଦଳ ପାଇଁ କାଳ ପାଲଟିଛି। ଲିଗ୍‌ ପର୍ଯ୍ୟାୟର ଚାରିଟିରୁ ଚାରିଟି ମ୍ୟାଚ୍‌ ଜିତିଥିବା ଭାରତ ଏଥିପାଇଁ ସୁପର-୮ର ପ୍ରଥମ ମୁକାବିଲାରେ ପ୍ରଥମ....

ଅହମଦାବାଦ: ଆତ୍ମବିଶ୍ବାସ ବିହୀନ ବ୍ୟାଟିଂ ଏବଂ ଆରମ୍ଭରୁ ଜବରଦସ୍ତ ସଫଳତା ସତ୍ତ୍ବେ ପରବର୍ତ୍ତୀ ସମୟରେ ଦୁର୍ବଳ ବୋଲିଂ ଭାରତୀୟ କ୍ରିକେଟ୍‌ ଦଳ ପାଇଁ କାଳ ପାଲଟିଛି। ଲିଗ୍‌ ପର୍ଯ୍ୟାୟର ଚାରିଟିରୁ ଚାରିଟି ମ୍ୟାଚ୍‌ ଜିତିଥିବା ଭାରତ ଏଥିପାଇଁ ସୁପର-୮ର ପ୍ରଥମ ମୁକାବିଲାରେ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ୭୬ ରନ୍‌ରେ ହାରିଯାଇଛି। ବଡ଼ ପରାଜୟ ପରେ ଦଳ ସୁପର-୮ରେ ଟିମ୍‌ ଇଣ୍ଡିଆର ପଏଣ୍ଟ୍‌ ଘର ଖାଲି ଥିଲା ବେଳେ ରନ୍‌ ରେଟ୍‌ ବିଯୁକ୍ତ ୩.୮କୁ ଚାଲି ଯାଇଛି। ଫଳରେ ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଶେଷ ଦୁଇ ମ୍ୟାଚ୍‌ ଆୟୋଜକ ଦଳ ପାଇଁ କର ବା ମର ସଦୃଶ ହୋଇଛି।
ଭାରତୀୟ ବୋଲର୍‌ମାନେ ରବିବାର ମାତ୍ର ୨୦ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍‌ କରିବାର ସୁଯୋଗ ଦେଇଥିଲେ। ସେହିଭଳି ବ୍ୟାଟ୍‌ସମ୍ୟାନ୍‌ମାନେ  ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ। ଅଭିଷେକ ଶର୍ମା ଚୌକା ମାରି ଚଳିତ ବିଶ୍ବକପ୍‌ର ପ୍ରଥମ ରନ୍‌ ଅର୍ଜନ କରିଥିଲେ। ତେବେ ତାଙ୍କ ପାଳି ମାତ୍ର ୧୫ ରନ୍‌ରେ ସମାପ୍ତ ‌ହୋଇଯାଇଥିଲା। ଶିବମ ଦୁବେଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ଦକ୍ଷିଣ ଆଫ୍ରିକାର ଯୋଜନାବଦ୍ଧ ବୋଲିଂର ସମ୍ମୁଖୀନ ହୋଇ ପାରି ନଥିଲେ। ଫଳରେ ଦଳ କେବଳ ୧୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଗତ ସଂସ୍କରଣର ବିଜେତା ଓ ଉପବିଜେତା ଦଳ ମଧ୍ୟରେ ଖେଳାଯାଇଥିବା ଏହି ପ୍ରତୀକ୍ଷିତ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାୱାର ପ୍ଲେ’ ଭିତରେ ଅଧିକରୁ ଅଧିକ ରନ୍‌ କରି ଭାରତକୁ ଆରମ୍ଭରୁ ଚାପଗ୍ରସ୍ତ କରାଇବା ଥିଲା ଏଭଳି ଏକ ନିଷ୍ପତ୍ତିର ମୂଳଲକ୍ଷ୍ୟ। ହେ‌ଲେ ଦୁଇ ଯଶସ୍ବୀ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଓ ଅର୍ଶଦୀପ ସିଂହଙ୍କ ଶାଣିତ ବୋଲିଂ ବଳରେ ଭାରତ ଘଟଣା ବହୁଳ ପାୱାର ପ୍ଲେ’ରେ ତିନିଟି ୱିକେଟ୍‌ ନେଇ ସବୁକିଛି ଓଲଟ ପାଲଟ କରି ଦେଇଥିଲା। ଅଧିନାୟକ ଐଦେନ ମାରକ୍ରମଙ୍କ ସହ କ୍ବିଣ୍ଟନ୍ ଡି’ କକ୍‌ ଓ ବିପଜ୍ଜନକ ରିୟାନ ରିକେଲଟନ୍‌ଙ୍କୁ ୨୦ ରନ୍‌ରେ ହରାଇବା ପରେ ପାୱାର ପ୍ଲେ’ରେ ଦକ୍ଷିଣ ଆଫ୍ରିକା କଷ୍ଟେମଷ୍ଟେ ୪୧ ରନ୍‌ ସଂଗ୍ରହ କରିପାରିଥିଲା। ଏହି ସଂଘର୍ଷପୂର୍ଣ୍ଣ ଓ ସଙ୍କଟଜନକ ସ୍ଥିତିରେ ଡେମିଡ୍‌ ମିଲର ଓ ଡିୱାଲ୍‌ଡ ବ୍ରେଭିସ୍‌ ପ୍ରାରମ୍ଭିକ ଝଟକାରେ ଜର୍ଜରିତ ଦକ୍ଷିଣ ଆଫ୍ରିକାର ଆତ୍ମବିଶ୍ବାସ ବଢ଼ାଇବା ସହ ପରିସ୍ଥିତି ପୂରା ସୁଧାରି ନେଇଥିଲେ। ଉଭୟ ଚତୁର୍ଥ ୱିକେଟ୍‌ରେ ଦ୍ରୁତ ୯୭ ରନ୍‌ ଯୋଡ଼ି ଚାପ ଭାରତୀୟ ବୋଲରଙ୍କ କାନ୍ଧକୁ ଫେରାଇ ଦେଇଥିଲେ। ମିଲର ନିଜ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳି ମାତ୍ର ୨୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ବ୍ରେଭିସଙ୍କୁ ଅଭିଷେକ ଶର୍ମାଙ୍କ ହାତରେ କ୍ୟାଚ୍‌ କରାଇ ଶିବମ ଦୁବେ ଉଭୟଙ୍କୁ ଅଲଗା କରିଥିଲେ। ସେତେବେଳକୁ କିନ୍ତୁ ଦକ୍ଷିଣ ଆଫ୍ରିକା ଦୃଢ଼ ସ୍ଥିତିରେ ପହଞ୍ଚି ସାରିଥିଲା। ବୁମ୍‌ରା ଗୋଟିଏ ପଟୁ ରନ୍‌ ରୋକୁଥିଲେ ବି ହାର୍ଦିକ ପାଣ୍ଡ୍ୟା, ଦୁବେ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଆକ୍ରମଣ କରି ଦକ୍ଷିଣ ଆଫ୍ରିକା ତା’ ପାଳିକୁ ଆଗେଇ ନେଇଥିଲା। ମିଲର ପ୍ୟାଭିଲିୟନ ଫେରିବା ପରେ ତ୍ରିସ୍ତନ ଷ୍ଟବ୍ସ ଧୂଆଁଧାର ବ୍ୟାଟିଂ କରିଥିଲେ। ଅର୍ଶଦୀପଙ୍କ ଶେଷ ଓଭରର ଶେଷ ଦୁଇ ବଲ୍‌ରୁ ଦୁଇଟି ଦର୍ଶନୀୟ ଛକା ଅମଳ କରି ସେ କେବଳ ୨୪ ବଲ୍‌ରୁ ୪୪* ରନ୍‌ର ଧମାକାଦାର ପାଳି ଖେଳିଥିଲେ। ତାଙ୍କ ପାଇଁ ଦକ୍ଷିଣ ଆଫ୍ରିକା ସ୍କୋର୍‌ ୧୮୭/୭ରେ ପହଞ୍ଚି ଯାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ୨୦ ଓଭରରେ-୧୮୭/୭ (ଡେଭିଡ୍‌ ମିଲର ୬୩, ଡିୱାଲ୍‌ଡ ବ୍ରେଭିସ୍ ୪୫, ତ୍ରିସ୍ତନ ଷ୍ଟବ୍‌ସ ୪୪*, ଯଶପ୍ରୀତ୍‌ ବୁମ୍‌ରା ୩/୧୫, ଅର୍ଶଦୀପ ସିଂହ ୨/୨୮, ଶିବମ ଦୁବେ ୧/୩୨, ବରୁଣ ଚକ୍ରବର୍ତ୍ତୀ ୧/୪୭)। ଭାରତ ୧୮.୫ ଓଭରରେ-୧୧୧ (ଶିବମ ଦୁବେ ୪୨, ସୂର୍ଯ୍ୟକୁମାର ଯାଦବ ୧୮, ହାର୍ଦିକ ପାଣ୍ଡ୍ୟା ୧୮, ମାର୍କୋ ଜାନସେନ ୪/୨୨, କେଶବ ମହାରାଜ ୩/୨୪)।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button