Literature: କୌଶିକ ଲେଙ୍କାଙ୍କ କଲମରୁ ନିସୃତ କବିତା ‘ଆବର୍ତ୍ତନ’…

ଆବର୍ତ୍ତନ 

କୌଶିକ ଲେଙ୍କା

ନା ତଥାପି ପୂରିଲା ନାହିଁ
ତଥାପି ସରିଲା ନାହିଁ
ନାହିଁ ନାହିଁ ନାହିଁ
ଏ ଘରୁ ସବୁକିଛି ବୋହି ନେଇ ଯାଇ ହେଲା ନାହିଁ‌।

ଆହୁରି ମୁଠାଏ ପାଦଚିହ୍ନ
ଗଲା ରାତିରେ ଛିଟିକି ପଡ଼ିଥିବା ଚେନାଏ ଲୁଣ
ଗତରାତିରୁ ଥକା ମେଣ୍ଟ‌ଉଥିବା ମୁଠାଏ କାଲୁଆ ଶୀତୁଆ ପବନ
ଏଯାଏଁ ତ ବାଲ୍‌କୋନିରେ ଶୁଖୁଛି ପ୍ରିୟ ନୀଳ ସାର୍ଟର ଦେହ।

କାହାକୁ ନେବି
କାହାକୁ ଛାଡ଼ି ଦେଇଯିବି
ମୋ ସହ ଏଠୁ କିଏ ଯିବ

ଯ‌ଉ କାନ୍ଥକୁ ଡେରିହେଇ ଦେଖିଲି ଗୋଟେ ନଷ୍ଟ ଜହ୍ନର କଳଙ୍କ
ଯ‌ଉ ଝରକା ବନ୍ଦ ନ କଲେ ଦିଶିଯାଏ ପଡ଼ିଶା ଘରର ଚିତ୍ରିତ କାନ୍ଥ
ଯ‌ଉ ଗାଧୁଆଘରକୁ ନେଇ ଥିଲା ମୋର ଯାବତୀୟ ଅଭିଯୋଗ
ସେ ସମସ୍ତେ ଆଜି ପଛରେ ରହିଯିବେ

ମୋତେ ଯିବାକୁ ହବ
ମଳିଚିଆ ଦିଶୁଥିବା କେଉଁ ଏକ ସଡ଼କର ପିଠି ପାର ହେବାକୁ ହେବ
ମୋର ଅତି ପୁରୁଣା ଏଇ ଘରକୁ ପୁଣି କିଏ ଆସିବ
କାନ୍ଥରେ ଡେରିବ, ସ୍ୱପ୍ନ ଦେଖିବ

ହୁଏତ ମୁଁ ଛାଡ଼ି ଆସିଥିବା ନାଲି ମନ୍ଦାରର ଗଛକୁ ଆପଣେଇ ନେବ
ହୁଏତ ମୁଁ ଛାଡ଼ି ଆସିଥିବା ଜଗନ୍ନାଥଙ୍କ ଫଟୋକୁ ଦେଖି ବତୁରିଯିବ
ହୁଏତ ମୋ ନଥିଲାପଣକୁ ନିଜର କରିନେବ
କିନ୍ତୁ ମୋ ଭଳି ଅପରିଚିତକୁ ନୁହେଁ

ଭୋକ, ସ୍ୱପ୍ନ, ପୋଷାକ ସଜାଡ଼ିବାକୁ ଘରଟେ ଲୋଡ଼ା
ତା’ଛଡ଼ା ଯିଏ ଘର ତୋଳେ ସିଏ କ’ଣ ସେଠି ରହିପାରେ କି!

ଯିବାକୁ ହୁଏ
ଗାଁ, ସହର ଛାଡ଼ି ଦୂରକୁ
ଅପରିଚିତଙ୍କ ଗହଣରେ ଗୋଟେ ଭଡ଼ାଘରକୁ
ମୋର ବୋଲି କହିବାର ମୋହ ନେଇ ଜିଇବାକୁ ହୁଏ।

ମୋ: ୯୩୪୮୬୮୧୯୭୪

ସୌଜନ୍ୟ ସମ୍ବାଦ