ବିଶେଷ

ସୁଭାଷିତ: ମୂର୍ଖପୁତ୍ର ପଦେ ପଦେ ଦୁଃଖ ଦିଏ

ପଣ୍ଡିତ ନାରାୟଣ ବିରଚିତ ‘ହିତୋପଦେଶ’ କେବଳ ଭାରତୀୟ କଥାସାହିତ୍ୟର ନୁହେଁ; ବିଶ୍ବ କଥାସାହିତ୍ୟର ଅମୂଲ୍ୟ ରତ୍ନ। ପଣ୍ଡିତ ନାରାୟଣଙ୍କ ସମୟ ଖ୍ରୀଷ୍ଟ୍ରୀୟ ଚତୁର୍ଦ୍ଦଶ ଶତାବ୍ଦୀ। ‘ହିତୋପଦେଶ’ ଏକ ସଂଗ୍ରହାତ୍ମକ କଥାଗ୍ରନ୍ଥ।

ଅଜାତମୃତମୂର୍ଖାଣାଂ ବରମାଦ୍ୟୌ ନ ଚାନ୍ତିମଃ।
ସକୃଦ୍ଦୁଃଖକରାବାଦ୍ୟାବନ୍ତିମସ୍ତୁ ପଦେ ପଦେ।।
-ହିତୋପଦେଶ, ମିତ୍ରଲାଭ, ୧୩

ପଣ୍ଡିତ ନାରାୟଣ ବିରଚିତ ‘ହିତୋପଦେଶ’ କେବଳ ଭାରତୀୟ କଥାସାହିତ୍ୟର ନୁହେଁ; ବିଶ୍ବ କଥାସାହିତ୍ୟର ଅମୂଲ୍ୟ ରତ୍ନ। ପଣ୍ଡିତ ନାରାୟଣଙ୍କ ସମୟ ଖ୍ରୀଷ୍ଟ୍ରୀୟ ଚତୁର୍ଦ୍ଦଶ ଶତାବ୍ଦୀ। ‘ହିତୋପଦେଶ’ ଏକ ସଂଗ୍ରହାତ୍ମକ କଥାଗ୍ରନ୍ଥ। ଏହାର ପ୍ରସ୍ତାବନାରେ ବିଷ୍ଣୁ ଶର୍ମାଙ୍କ ନାମ ଥିବାରୁ, ଏହା ତାଙ୍କର ରଚନା ବୋଲି ମଧ୍ୟ ମତ ଅଛି। ବିଷ୍ଣୁଶର୍ମା ଉତ୍କଳୀୟ ବୋଲି ମଧ୍ୟ ଗୋଟିଏ ମତ ରହିଛି। ‘ହିତୋପଦେଶ’ର ଚାରିଟି ଭାଗ ହେଉଛି- ମିତ୍ରଲାଭ, ସୁହୃଦ୍‌ଭେଦ, ବିଗ୍ରହ ଓ ସନ୍ଧି। ପ୍ରଥମଭାଗ ‘ମିତ୍ରଲାଭ’ର କଥାମୁଖ ବା ପୃଷ୍ଠଭୂମିରୁ ଉପରୋକ୍ତ ସୁଭାଷିତ ଆହୃତ।

ପାଟଳିପୁତ୍ର ନଗରୀରେ ଥିଲେ ସୁଦର୍ଶନ ନାମକ ଜଣେ ରାଜା। ଥରେ ସେ ଜଣେ ପଣ୍ଡିତ ଶ୍ଳୋକପାଠ କରୁଥିବା ଶୁଣିଲେ। ଶ୍ଳୋକର ମର୍ମ ଥିଲା- ଶାସ୍ତ୍ର ସମସ୍ତଙ୍କର ଚକ୍ଷୁ ସ୍ବରୂପ। ଯେ ଶାସ୍ତ୍ର ଅଧ୍ୟୟନ କରିନାହିଁ, ସେ ଅନ୍ଧତୁଲ୍ୟ। ଯୌବନ, ଧନସମ୍ପତ୍ତି, ପ୍ରଭୁତ୍ବ ଓ ଅବିବେକିତା- ଏ ଚାରିଟିଯାକ ଅନର୍ଥର କାରଣ। ଯେଉଁଠି ଏ ଚାରିଟିଯାକ ବିଦ୍ୟମାନ, ସେଠି କି ଅନର୍ଥ ବା ନ ହୋଇ ପାରେ! ପଣ୍ଡିତଙ୍କର ଏ ଶ୍ଳୋକ ଦୁଇଟି ରାଜା ସୁଦର୍ଶନଙ୍କୁ ଚିନ୍ତିତ କଲା। କାରଣ, ତାଙ୍କର ପୁତ୍ରମାନେ ଥିଲେ ଶାସ୍ତ୍ରାଧ୍ୟୟନ ବିମୁଖ। ସେମାନେ ଥିଲେ ମୂର୍ଖ ଓ ବିପଥଗାମୀ। ରାଜା ଭାବିଲେ- ଯେଉଁପୁତ୍ର ବିଦ୍ବାନ୍‌ ବା ଧାର୍ମିକ ନୁହେଁ, ସେପରି ପୁତ୍ର ଜନ୍ମ ହୋଇ କି ଲାଭ? ଯେଉଁ ଆଖି ଦୃଷ୍ଟିଶକ୍ତିହୀନ, ସେ ଆଖି କେବଳ ପୀଡ଼ାର କାରଣ ଭିନ୍ନ ଆଉ କ’ଣ ହୋଇପାରେ?

ଏହି ପରିପ୍ରେକ୍ଷୀରେ କୁହାଯାଇଛି ଏହି ସୁଭାଷିତ। ଏହାର ଅର୍ଥ- ଆଦୌ ପୁତ୍ର ଜନ୍ମ ‌ନ ହେବା, ପୁତ୍ର ଜନ୍ମ ହୋଇ ମରିଯିବା ଓ ପୁତ୍ର ଆଜୀବନ ମୂର୍ଖ ହେବା- ଏ ତିନିଟି ମଧ୍ୟରୁ ପ୍ରଥମ ଦୁଇଟି ବରଂ ଭଲ। କାରଣ, ପୁଅ ଆଦୌ ଜନ୍ମ ନ ହେଲେ ବା ଜନ୍ମ ହୋଇ ମରିଗଲେ, ଅଳ୍ପ ଦୁଃଖ ହୁଏ। କିନ୍ତୁ ପୁଅ ଯଦି ମୂର୍ଖ ହୁଏ, ସେ ପଦେ ପଦେ ଅର୍ଥାତ୍‌ ପ୍ରତି ମୁହୂର୍ତ୍ତରେ ଦୁଃଖ ଦେଇଥାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button