Film: ସମାଲୋଚକଙ୍କୁ ଅନୁରାଗଙ୍କ ଜବାବ
ଚରିତ୍ରମାନଙ୍କ ଅସ୍ପଷ୍ଟ ନୈତିକତା, ସାମାଜିକ ବିଚ୍ଛିନ୍ନତା, ଅପରାଧ, ହିଂସା ଓ ଯୌନତାର ଆତିଶଯ୍ୟ, ଅସମାନ୍ତରାଳ ଚିତ୍ରନାଟ୍ୟ ଆଦି ଗୋଟିଏ ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ର ଶ୍ରେଣୀବିଭାଗକୁ ସଂଜ୍ଞା ପ୍ରଦାନ କରିଥାଏ। ସିନେପ୍ରେମୀମାନେ ଏହାକୁ ‘ନିଓ-ନୋଆର୍’ ସିନେମା ଭାବରେ ଜାଣନ୍ତି।

ଚରିତ୍ରମାନଙ୍କ ଅସ୍ପଷ୍ଟ ନୈତିକତା, ସାମାଜିକ ବିଚ୍ଛିନ୍ନତା, ଅପରାଧ, ହିଂସା ଓ ଯୌନତାର ଆତିଶଯ୍ୟ, ଅସମାନ୍ତରାଳ ଚିତ୍ରନାଟ୍ୟ ଆଦି ଗୋଟିଏ ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ର ଶ୍ରେଣୀବିଭାଗକୁ ସଂଜ୍ଞା ପ୍ରଦାନ କରିଥାଏ। ସିନେପ୍ରେମୀମାନେ ଏହାକୁ ‘ନିଓ-ନୋଆର୍’ ସିନେମା ଭାବରେ ଜାଣନ୍ତି। ଏହି ବିଭାଗଭୁକ୍ତ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ପ୍ରାୟତଃ ଜଟିଳ ପରିସ୍ଥିତିରେ ଫସି ରହିଥାଏ ଏବଂ ତାକୁ ହତାଶା ଭିତରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ପଡ଼େ।
ଭାରତରେ ‘ବ୍ଲାକ୍ ଫ୍ରାଏଡେ’, ‘ଅଗ୍ଲି’, ‘ଗୁଲାଲ୍’ ଓ ‘ଗ୍ୟାଙ୍ଗ୍ସ ଅଫ ଵାସେପୁର’ ପରି ‘ନିଓ-ନୋଆର୍’ ଚଳଚ୍ଚିତ୍ରର ନିର୍ଦେଶନା ଦେଇ ଅନୁରାଗ କଶ୍ୟପ ଯେଉଁ ମାନଦଣ୍ଡ ସ୍ଥାପନ କରିଥିଲେ ତାହାକୁ ସେ ନିଜେ ଏକ ଦଶନ୍ଧିରୁ ଅଧିକ ସମୟ ହେଲା ଟପି ନ ପାରିବା ଯୋଗୁଁ ତୀବ୍ର ସମାଲୋଚନାର ଶରବ୍ୟ ହୋଇଆସିଥିଲେ। ନିକଟରେ ‘ଜି୫’ ମଞ୍ଚରେ ମୁକ୍ତିଲାଭ କରିଥିବା ‘କେନେଡି’ ହେଉଛି ସମାଲୋଚକମାନଙ୍କୁ ଅନୁରାଗଙ୍କ ଜବାବ ଏବଂ ପ୍ରଶଂସକଙ୍କୁ ଉପହାର। ଏହି ଚଳଚ୍ଚିତ୍ରର ବିଶେଷତ୍ବ ହେଲା ଗୋଟିଏ ଗୋଷ୍ଠୀର ଦର୍ଶକ ଏହାକୁ ସଂପୂର୍ଣ୍ଣ ନାପସନ୍ଦ କରିବେ ଏବଂ ଅନ୍ୟ ଏକ ଗୋଷ୍ଠୀକୁ ଏହି ଚଳଚ୍ଚିତ୍ର ବିମୋହିତ କରିବ। ତେବେ ଉଭୟ ଗୋଷ୍ଠୀ ସ୍ବୀକାର କରିବେ ଯେ କେନେଡି ଚରିତ୍ରରେ ରାହୁଳ ଭଟ୍ଟ ଚମତ୍କାର ଅଭିନୟ କରିଛନ୍ତି।
କୋଭିଡ୍ ମହାମାରୀକାଳୀନ ମୁମ୍ବାଇ ସହରର ପୁଲିସ ବିଭାଗରେ ଦୁର୍ନୀତିର କାହାଣୀ ଏହି ଚଳଚ୍ଚିତ୍ରରେ ଚିତ୍ରିତ ହୋଇଛି, କିନ୍ତୁ ଦୁର୍ନୀତିର ଯନ୍ତା ଭିତରେ ରହି ଦାନବ ପାଲଟିଥିବା ଜଣେ ପୁଲିସ ଅଫିସରର ଚରିତ୍ର ଅଧ୍ୟୟନ ହେଉଛି ଏହି ଚଳଚ୍ଚିତ୍ରର ଅସଲ ଉଦ୍ଦେଶ୍ୟ। ପ୍ରଥମ ଅଧଘଣ୍ଟା କାହାଣୀ ସମ୍ପର୍କରେ କୌଣସି ଧାରଣା ପ୍ରଦାନ କରି ନଥାଏ। ତେବେ କ୍ରମେ ପରସ୍ତପରସ୍ତ କରି ଉନ୍ମୋଚିତ ହେଉଥିବା ଅନେକ ସୂକ୍ଷ୍ମ ବିଷୟ ଦର୍ଶକର ବୁଝାମଣାକୁ ସ୍ପଷ୍ଟ କରିବା ସହିତ ମନରେ ରୋମାଞ୍ଚ, ଉତ୍କଣ୍ଠା ଓ ଉଦ୍ବେଗର ତୀବ୍ରତା ମଧ୍ୟ ବଢ଼ିବଢ଼ି ଚାଲେ। କେନେଡି ଚରିତ୍ର ପ୍ରତି କେତେବେଳେ ଭୟ ଆଉ କେତେବେଳେ ଘୃଣା ଆସେ ତ ପୁଣି ତା’ ପାରିବାରିକ ସ୍ଥିତିକୁ ଦେଖିଲା ପରେ ମନରେ କରୁଣା ଜାତ ହୁଏ। ଶେଷରେ ସେ ପ୍ରତିଶୋଧ ନେବାରେ କେତେ ସଫଳ ହେଉଛି ଏବଂ ତା’ର ପରିଣତି କ’ଣ ହେଉଛି ତାହାକୁ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ପ୍ରଦର୍ଶନ କରାଯାଇଛି। ସିନେମା ଶେଷରେ ବାଜୁଥିବା ରିଂଟୋନ୍ଟି ଦୀର୍ଘ ସମୟ ମନରେ ବାଜିଚାଲିବ।
ଭ୍ରଷ୍ଟ ପୁଲିସ କମିସନର ଭାବେ ମୋହିତ ତକଲକର ଅନ୍ୟତମ ସ୍ମରଣୀୟ ଅଭିୟନ କରିଛନ୍ତି। ସନ୍ନି ଲିଓନିଙ୍କ ଅଭିନୀତ ଚାର୍ଲି ଚରିତ୍ରର ବିଶେଷ ଭୂମିକା ନଥିଲେ ବି ସେ ଏହାକୁ ନ୍ୟାୟ ଦେଇଛନ୍ତି। ଛୋଟରୁ ଛୋଟ ଚରିତ୍ରକୁ ଅଭିନେତାମାନେ ଜୀବନ୍ତ କରିଦେଇଛନ୍ତି। ସିନେମାଟୋଗ୍ରାଫି, ପୃଷ୍ଠଭୂମି ସଂଗୀତ, ଏଡିଟିଂ ପରି ପ୍ରାୟ ସବୁ ବିଭାଗରେ ଉତ୍କୃଷ୍ଟ କାମ ହୋଇଛି। ୨୨ ବର୍ଷୀୟ ଅନଭିଜ୍ଞ ରାପର୍ ବଏବ୍ଲାଙ୍କ୍ ଏବଂ କବି ଆମିର ଅଜୀଜ ଏହି ଚଳଚ୍ଚିତ୍ରର ଦୁଇ ଉଜ୍ଜ୍ବଳ ତାରକା। ସେମାନଙ୍କ ଦ୍ବାରା ପ୍ରସ୍ତୁତ ଗୀତଗୁଡ଼ିକ ଚଳଚ୍ଚିତ୍ରର ବିଷୟବସ୍ତୁକୁ ଅଧିକ ଅର୍ଥପୂର୍ଣ୍ଣ ଓ ପ୍ରଭାବଶାଳୀ କରିଛି। ଅନୁରାଗ କାହିଁକି ଆଜି ବି ଭାରତୀୟ ସିନେମା ଶିଳ୍ପର ଅନ୍ୟତମ ଅଭିନବ ତଥା ଶାଣିତ ସ୍ବର, ତାହା ଜାଣିବାକୁ ହେଲେ ‘କେନେଡି’ ନିଶ୍ଚୟ ଦେଖିବା ଉଚିତ।
“କେନେଡି’’
ନିର୍ଦେଶକ: ଅନୁରାଗ କଶ୍ୟପ
ମୁଖ୍ୟ ଚରିତ୍ରରେ: ରାହୁଳ ଭଟ୍ଟ, ସନ୍ନି ଲିଓନି, ମୋହିତ ତକଲକର
ସୌଜନ୍ୟ ସମ୍ବାଦ




