ଦେଶ ବିଦେଶବାଣିଜ୍ୟ

Gas Cylinder Crisis: ଏଲପିଜି ଅଭାବ: ଟ୍ରେନରେ ରନ୍ଧା ଖାଦ୍ୟ ସେବା ବନ୍ଦ ହେବ

ଯଦି ଏଲପିଜି ଯୋଗାଣ ଏମିତି କମ୍ ରହେ ତେବେ ଏହା ଆହୁରି ଖରାପ ରୂପ ନେଇପାରେ। ଟ୍ରେନର କ୍ୟାଟରିଂ ସେବା ସମ୍ପୂର୍ଣ୍ଣ ଭାବେ ମୁଖ୍ୟ ରୋଷେଇଶାଳା ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି।

ମୁମ୍ବାଇ: ସାରା ଦେଶରେ ଦେଖାଦେଇଥିବା ଏଲପିଜି ସିଲିଣ୍ଡର ଅଭାବ ଏବେ ଆଇଆରସିଟିସିର କ୍ୟାଟରିଂ ସେବା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଟ୍ରେନରେ ରନ୍ଧା ଖାଦ୍ୟ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରିବା ଓ ଟିକେଟ୍ ବୁକିଂ ସମୟରେ ପୂର୍ବରୁ ଖାଦ୍ୟ ପାଇଁ ଟଙ୍କା ପୈଠ କରିଥିବା ଯାତ୍ରୀମାନଙ୍କୁ ରିଫଣ୍ଡ ଦେବା ପାଇଁ ବିଚାର କରାଯାଉଛି। ସେହିପରି, ଷ୍ଟେସନ ଗୁଡିକରେ ରନ୍ଧା ଖାଦ୍ୟ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଇଣ୍ଡକ୍ସନ୍ କୁକର ଭଳି ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଜଣେ ରେଳ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ସିଲିଣ୍ଡର ଅଭାବ ଆଇଆରସିଟିସିର ମୁଖ୍ୟ ରୋଷେଇ ଶାଳଗୁଡ଼ିକୁ ପ୍ରଭାବିତ କରୁଛି ସେଠାରେ ଟ୍ରେନ୍ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାଣ୍ଟ୍ରି କାର୍‌ରେ ଲୋଡ୍ କରାଯାଇଥାଏ। ଟ୍ରେନରେ ଥିବା ପ୍ୟାଣ୍ଟ୍ରି କାରଗୁଡ଼ିକ ମୁଖ୍ୟତଃ ଖାଦ୍ୟ ବଣ୍ଟନ ଓ ଗରମ କରିବା ପାଇଁ ବ୍ୟବହୃତ ହୁଏ ଏବଂ ସେଥିରେ ଏଲପିଜି ସିଲିଣ୍ଡର ରଖାଯାଏ ନାହିଁ। କିନ୍ତୁ ମୁଖ୍ୟ ରୋଷେଶାଳକୁ ଗ୍ୟାସ୍ ଯୋଗାଣରେ ବ୍ୟାଘାତ ଘଟିଥିବାରୁ ଦୂରଗାମୀ ଟ୍ରେନ୍ ଗୁଡ଼ିକ ପାଇଁ ଖାଦ୍ୟ ପ୍ରସ୍ତୁତିରେ ସମସ୍ୟା ଉପୁଜିଛି।

ଟ୍ରେନରେ ସାରା ଦେଶରେ ପ୍ରତିଦିନ ପ୍ରାୟ ୧୭ ଲକ୍ଷ ଖାଦ୍ୟ ପରିବେଷଣ କରାଯାଏ। ରେଳବାଇର ମୋଟ ଖାଦ୍ୟର ପ୍ରାୟ ୨୦% କେବଳ ପଶ୍ଚିମ ଜୋନ୍‌ରେ ପରିବେଷଣ କରାଯାଏ ଯାହାଫଳରେ ଏହି ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦି ଏଲପିଜି ଯୋଗାଣ ସ୍ଥିତିରେ ସୁଧାର ନଆସେ,ମ ତେବେ ଆଗାମୀ ଦିନରେ ସମସ୍ୟା ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି।

ଏଲପିଜି ଯୋଗାଣ ଏମିତି କମ ରହିଲେ ପରିସ୍ଥିତି ଆହୁରି ଜଟିଳ ହେବ

ଜଣେ ଅଧିକାରୀ କହିଛନ୍ତି ଯେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଯଦି ଏଲପିଜି ଯୋଗାଣ ଏମିତି କମ୍ ରହେ ତେବେ ଏହା ଆହୁରି ଖରାପ ରୂପ ନେଇପାରେ। ଟ୍ରେନର କ୍ୟାଟରିଂ ସେବା ସମ୍ପୂର୍ଣ୍ଣ ଭାବେ ମୁଖ୍ୟ ରୋଷେଇଶାଳା ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି।

ରେଳବାଇ ଏହି ସମସ୍ୟା ବିଷୟରେ ରେଳ ବୋର୍ଡକୁ ଅବଗତ କରାଇଛି ଏବଂ ସଙ୍କଟରୁ ରକ୍ଷା ପାଇବା ପାଇଁ କିଛି ପଦକ୍ଷେପ ପ୍ରସ୍ତାବ ଦେଇଛି। ଏଥିମଧ୍ୟରେ ସାମୟିକ ଭାବେ ରନ୍ଧା ଖାଦ୍ୟ ବନ୍ଦ କରିବା ଏବଂ ଯାତ୍ରୀଙ୍କୁ ରିଫଣ୍ଡ୍ ଦେବା ଅନ୍ତର୍ଭୁକ୍ତ। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଏବଂ ନିର୍ଦ୍ଦେଶାବଳୀ ରେଳ ବୋର୍ଡ ପକ୍ଷରୁ ଜାରି କରାଯିବ।

ବର୍ତ୍ତମାନ ଆଇଆରସିଟିସି କର୍ତ୍ତୃପକ୍ଷ ଗ୍ୟାସ୍ ବିକ୍ରେତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି, କିନ୍ତୁ ଅଭାବ ବଢ଼ିଲେ କିଛି ନିର୍ଦ୍ଦିଷ୍ଟ ଟ୍ରେନରେ ସେବା ବନ୍ଦ କରିବା ଅପରିହାର୍ଯ୍ୟ ହୋଇପାରେ ବୋଲି କୁହାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button