ଦେଶ ବିଦେଶବାଣିଜ୍ୟ

Oil: ରୁଷରୁ ଭାରତ ଅଭିମୁଖେ ବାହାରିଲା ଅନେକ ଜାହାଜ

ଆମେରିକା ଲଗାଇଥିବା କଟକଣା ସାମୟିକ ହଟାଇବା ପରେ ଭାରତ ପୁଣି ଥରେ ରୁଷରୁ ବିପୁଳ ପରିମାଣର ତୈଳ କ୍ରୟ ଆରମ୍ଭ କରିଛି। ଭାରତୀୟ ତୈଳ କମ୍ପାନିଗୁଡ଼ିକ ରୁଷରୁ ୩୦ ନିୟୁତ ବ୍ୟାରେଲ ତେଲ କିଣିଛନ୍ତି।

ନୂଆଦିଲ୍ଲୀ: ଆମେରିକା ଲଗାଇଥିବା କଟକଣା ସାମୟିକ ହଟାଇବା ପରେ ଭାରତ ପୁଣି ଥରେ ରୁଷରୁ ବିପୁଳ ପରିମାଣର ତୈଳ କ୍ରୟ ଆରମ୍ଭ କରିଛି। ଭାରତୀୟ ତୈଳ କମ୍ପାନିଗୁଡ଼ିକ ରୁଷରୁ ୩୦ ନିୟୁତ ବ୍ୟାରେଲ ତେଲ କିଣିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ତେଲ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେ ଏହି ତେଲ ବଜାରରେ ସ୍ଥିରତା ଫେରାଇ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଆମେରିକା କଟକଣା ଲଗାଇବା ପରେ ଗତବର୍ଷଠାରୁ ଭାରତ ରୁଷରୁ ତେଲ କିଣା ବନ୍ଦ କରି ସାଉଦି ଆରବ ଓ ଇରାନରୁ ଅଧିକ ତେଲ କିଣୁଥିଲା। କିନ୍ତୁ ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ କରିବା ପରେ ସେହି ଯୋଗାଣ ପ୍ରଭାବିତ ହୋଇଛି। ସେଥିପାଇଁ ସାମୟିକ ଆଶ୍ବସ୍ତି ସ୍ବରୂପ ୩୦ ଦିନ ପାଇଁ ରୁଷରୁ ଭାରତ ତେଲ କିଣିପାରିବ ବୋଲି ଆମେରିକା ଅନୁମତି ଦେଇଛି। ଭାରତୀୟ କମ୍ପାନି ଇଣ୍ଡିଆନ ଅଏଲ୍‌ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ରୁଷ୍‌ରୁ ଅଧିକ ତେଲ କିଣୁଛନ୍ତି। ଇଣ୍ଡିଆନ ଅଏଲ୍‌ ୧୦ ନିୟୁତ ବ୍ୟାରେଲ୍‌ ରୁଷ ତେଲ କିଣିଛି। ରିଲାଏନ୍ସ ମଧ୍ୟ ସମାନ ପରିମାଣର ତେଲ କ୍ରୟ କରିଛି।

ଯୁଦ୍ଧ ପୂର୍ବରୁ ରୁଷ ତେଲ ରିହାତିରେ ମିଳୁଥିଲା। ଏବେ କିନ୍ତୁ ତାହା ବ୍ରେଣ୍ଟ୍‌ କ୍ରୁଡ୍‌ ଦରଠାରୁ ୨ରୁ ୮ ଡଲାର ପର୍ଯ୍ୟନ୍ତ ପ୍ରିମିୟମରେ ବିକ୍ରି ହେଉଛି। ଆମେରିକା କଟକଣା ହଟାଇବା ପରେ ବିଭିନ୍ନ ବନ୍ଦର ଓ ସମୁଦ୍ର ପଥରେ ଥିବା ରୁଷ‌ ତେଲ ଜାହାଜଗୁଡ଼ିକ ଭାରତ ଆଡ଼କୁ ମୁହାଁଇଛନ୍ତି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ‌ଏହି ଜାହାଜଗୁଡ଼ିକ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲେ। ଚୀନ ଲାଗି ତେଲ ଲୋଡ୍‌ କରିଥିବା କିଛି ଜାହାଜ ମଧ୍ୟ ନିଜ ଦିଗ ପରିବର୍ତ୍ତନ କରି ଭାରତ ଆସୁଛନ୍ତି।

ପାରମ୍ପରିକ ଭାବେ ରୁଷଠାରୁ ଭାରତ ତେଲ କିଣୁନଥିଲା। ମାତ୍ର ୨୦୨୨ରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ପରେ ବିପୁଳ ରିହାତିରେ ରୁଷ୍ ତେଲ ବିକ୍ରି କରିବା ପରେ ଭାରତ ସର୍ବାଧିକ ପରିମାଣର ତେଲ ସେଠାରୁ କିଣିଥିଲା। ଭାରତର ସେହି ଆଭିମୁଖ୍ୟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ୍ୟ କରିପାରିନଥିଲେ। ଯୁଦ୍ଧ ଲାଗି ରୁଷକୁ ଭାରତ ପାଣ୍ଠି ଯୋଗାଉଥିବା ଅଭିଯୋଗ କରିବା ପରେ ବିଭିନ୍ନ ଉପାୟରେ ଭାରତକୁ ଚାପରେ ରଖିବାକୁ ଉଦ୍ୟମ କରିଥିଲେ। ଶେଷରେ ଉଭୟ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ରୁଷ ତେଲ ଉପରେ କଟକଣା ଲଗାଇବା ପରେ ଭାରତକୁ ଆଉ ସେହି ତେଲ କିଣିବା ସହଜ ହୋଇନଥିଲା। ସେଥିପାଇଁ ଗତବର୍ଷଠାରୁ ତାହା ରୁଷ ତେଲ ମଗାଇବା ଏକ ପ୍ରକାର ବନ୍ଦ କରିଦେଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button