ଦେଶ ବିଦେଶବାଣିଜ୍ୟ

Iran Conflicts: ହର୍ମୁଜ୍‌ ପ୍ରଭାବ ଗୁରୁତର ସଂକଟ ସୃଷ୍ଟି କରିବ: ଜାତିସଂଘ

ଦୀର୍ଘ ଦିନ ଧରି ଯଦି ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ରହେ ତେବେ ଏହା ବିଶ୍ବବ୍ୟାପୀ ଗୁରୁତର ଅର୍ଥନୈତିକ ସଂକଟ ସୃଷ୍ଟି କରିବ। ଖାଦ୍ୟ ଦର ଅହେତୁକ ଭାବେ ବଢ଼ିଯିବା ସହ ଜୀବନ ଧାରଣର ମାନ ଗୁରୁତର ଭାବେ ପ୍ରଭାବିତ ହେବ।

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଯଦି ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ରହେ ତେବେ ଏହା ବିଶ୍ବବ୍ୟାପୀ ଗୁରୁତର ଅର୍ଥନୈତିକ ସଂକଟ ସୃଷ୍ଟି କରିବ। ଖାଦ୍ୟ ଦର ଅହେତୁକ ଭାବେ ବଢ଼ିଯିବା ସହ ଜୀବନ ଧାରଣର ମାନ ଗୁରୁତର ଭାବେ ପ୍ରଭାବିତ ହେବ। ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ପରିପ୍ରେକ୍ଷୀରେ ଏଭଳି ଆଶଙ୍କା ପ୍ରକଟ କରିଛି ଜାତିସଂଘ। ଜାତିସଂଘର ବାଣିଜ୍ୟ ଓ ବିକାଶ ସମ୍ମିଳନୀ (ଅଙ୍କଟାଡ୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପାରାସ୍ୟ ଉପସାଗର ଓ ଗଲ୍‌ଫ ଅଫ୍‌ ଓମାନ ମଧ୍ୟରେ ଥିବା ହର୍ମୁଜ ପ୍ରଣାଳୀ ଆନ୍ତର୍ଜାତିକ ସ୍ତରରେ ପଣ୍ୟବାହୀ ଜାହା ଚଳଚଳର ଏକ ପ୍ରମୁଖ ଜଳପଥ। ଜଳପଥରେ ହେଉଥିବା ତୈଳ ପରିବହନର ଅର୍ଦ୍ଧାଧିକ ପରିବହନ ଏହି ପ୍ରଣାଳୀ ଦେଇ ହୋଇଥାଏ।

୨୦୨୪ରେ ଏହି ଜଳପଥ ଦେଇ ଦୈନିକ ୨୦ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପରିବହନ ହୋଇଛି। ଏହାଛଡ଼ା ସାର ଓ ତରଳୀକୃତ ପ୍ରାକୃତିକ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ପରିବହନର ଏହା ଏକ ମୁଖ୍ୟ ମାଧ୍ୟମ। ତେଣୁ ଏହି ଜଳପଥ ଲମ୍ବା ସମୟ ଧରି ବନ୍ଦ ରହିବା ଫଳରେ ଅନେକ ଦେଶର ଅର୍ଥ ବ୍ୟବସ୍ଥା ଦୋହଲି ଯିବା ନେଇ ଅଙ୍କଟାଡ୍‌ ଏହାର ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରିଛି। ହର୍ମୁଜ ପ୍ରଣାଳୀ ଆଉ ଅଧିକ ଦିନ ବନ୍ଦ ରହିଲେ ଏହାର ବିସ୍ତାରିତ ପ୍ରଭାବ ପଡ଼ିବ। ସାମୁଦ୍ରିକ ପରିବହନ ଠାରୁ ଆରମ୍ଭ କରି ତୈଳ, ଖାଦ୍ୟ, ଭିତ୍ତିଭୂମି, ସାର ଶକ୍ତି ଉତ୍ପାଦନ ଆଦି ସବୁ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପଡ଼ିବ। ବିଶେଷକରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଏହି ପ୍ରତିକୂଳ ପ୍ରଭାବ ଅଧିକ ଅନୁଭୂତ ହେବ। ତୈଳ, ସାର ଓ ଖାଦ୍ୟ ଆମଦାନୀ କରୁଥିବା ରାଷ୍ଟ୍ରଗୁଡ଼ିକର ଅର୍ଥନୀତି ପୂରା ଭୁଶୁଡ଼ି ଯିବ। ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଦର ବଢ଼ିଲେ ଖାଦ୍ୟ ଦର ବହୁଗୁଣ ବଢ଼ିଯିବ ବୋଲି ଅଙ୍କଟାଡ୍‌ କହିଛି। ଏହା ସାଧାରଣ ଜୀବନଯାପନକୁ ପ୍ରଭାବିତ କରିବ।

ସୂଚନାଯୋଗ୍ୟ ଫେବ୍ରୁଆରି ୨୮ରେ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ପ୍ରତିଯବାବରେ ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ କରି ଦେଇଥିଲା। ତେଣୁ ସେହି ଦିନଠାରୁ ଏହି ବାଟ ଦେଇ ଅଶୋଧିତ ତୈଳ ପରିବହନ ୯୭ ପ୍ରତିଶତ ହ୍ରାସ ପାଇଛି। ଯୁଦ୍ଧ ଯେତେ ଦିନ ଜାରି ରହିବ, ଏହି ଜଳପଥକୁ ଇରାନ ସେତେଦେିନ ପର୍ଯ୍ୟନ୍ତ ଅବରୋଧ କରି ରଖିବ ବୋଲି ଜିଦ୍‌ରେ ଅଟଳ ରହିଛି। ଫଳରେ ଆଗକୁ ଏହା ଆନ୍ତର୍ଜାତିକ ସ୍ତରରେ ଓ ବିଶେଷକରି ଏସୀୟ ଦେଶଗୁଡ଼ିକୁ ତୈଳ ପରିବହନରେ ସଂକଟକୁ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button