Temperature: କାନାଡାରେ ତାପମାତ୍ରା ହ୍ରାସ ଭାରତରେ ଦୁର୍ବଳ ବୃଷ୍ଟିପାତ
ପ୍ରାୟ ଆଠ ହଜାର ବର୍ଷ ତଳେ କାନାଡାରେ ଆକସ୍ମିକ ତାପମାତ୍ରା ହ୍ରାସ ହେତୁ ଭାରତୀୟ ଗ୍ରୀଷ୍ମକାଳୀନ ମୌସୁମୀ ବାୟୁ ପ୍ରବାହ ହଠାତ୍ ଦୁର୍ବଳ ହୋଇଥାଇ ପାରେ ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି।

ପ୍ରାୟ ଆଠ ହଜାର ବର୍ଷ ତଳେ କାନାଡାରେ ଆକସ୍ମିକ ତାପମାତ୍ରା ହ୍ରାସ ହେତୁ ଭାରତୀୟ ଗ୍ରୀଷ୍ମକାଳୀନ ମୌସୁମୀ ବାୟୁ ପ୍ରବାହ ହଠାତ୍ ଦୁର୍ବଳ ହୋଇଥାଇ ପାରେ ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ପୃଥିବୀର ଗୋଟିଏ ପ୍ରାନ୍ତର ଜଳବାୟୁ ଅବସ୍ଥା କିପରି ସହସ୍ର କିଲୋମିଟର ଦୂର ପାଣିପାଗ ଧାରା ଉପରେ ପ୍ରଭାବ ପକାଇପାରେ ତାହା ଉପରୋକ୍ତ ଗବେଷଣା ଦର୍ଶାଉଛି। ‘୮.୨ କେଏ କୁଲିଂ ଇଭେଣ୍ଟ୍’ ନାମରେ ବିଦିତ ଏହି ପରିସ୍ଥିତି ପ୍ରାୟ ୮,୨୦୦ ବର୍ଷ ତଳେ ସଂଘଟିତ ହୋଇଥିଲା। ଏହାକୁ ‘ହୋଲସିନ୍’ ଯୁଗରେ ସଂଘଟିତ ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ଜଳବାୟୁଗତ ବିଭ୍ରାଟ ବୋଲି ବିବେଚନା କରାଯାଏ।
ସେ ସମୟରେ ଗ୍ରିନ୍ଲାଣ୍ଡ୍ର ତାପମାତ୍ରା ପ୍ରାୟ ୩ ଡିଗ୍ରି ସେଲ୍ସିୟସ୍ ହ୍ରାସ ପାଇଥିଲା। ତା’ ସହିତ ବାୟୁମଣ୍ଡଳୀୟ ମିଥେନ୍ ସ୍ତର ବି ଦ୍ରୁତ ହ୍ରାସ ପାଇଥିଲା। ଏହା ହେଉଛି ବିଶ୍ବବ୍ୟାପୀ ବ୍ୟାପକ ଜଳଚକ୍ରଗତ ପରିବର୍ତ୍ତନର ସୁସ୍ପଷ୍ଟ ଲକ୍ଷଣ ସମୂହ। ଏହିଭଳି ଶୀତଳତା ନିମନ୍ତେ ବୈଜ୍ଞାନିକମାନେ କାନାଡାସ୍ଥିତ ହିମବାହ ଉତ୍ସ-ସୃଷ୍ଟ ଆଗାସି ହ୍ରଦରୁ ବିପୁଳ ମଧୁରଜଳ ହଡ୍ସନ୍ ଉପସାଗର ମଧ୍ୟ ଦେଇ ଉତ୍ତର ଆଟ୍ଲାଣ୍ଟିକ୍ ମହାସାଗର ମଧ୍ୟକୁ ପ୍ରବାହିତ ହେବା ଘଟଣାକୁ ଦାୟୀ କରନ୍ତି। ଆକସ୍ମିକ ଭାବେ ବିପୁଳ ଜଳପ୍ରବାହ ସମୁଦ୍ର ସ୍ରୋତ ଧାରା, ବିଶେଷ ରୂପେ ବୈଶ୍ବିକ ଜଳବାୟୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ‘ଆଟ୍ଲାଣ୍ଟିକ୍ ମେରିଡିଓନାଲ୍ ଓଭର୍ଟର୍ଣ୍ଣିଂ ସର୍କ୍ୟୁଲେସନ୍’ରେ ବ୍ୟାଘାତ ସୃଷ୍ଟିକଲା। ସେ ଯାହାହେଉ, ଏ ଗବେଷଣାକୁ ତାତ୍ପର୍ଯ୍ୟପୂର୍ଣ୍ଣ କରିଥିବା ବିଶେଷ କଥାଟି ହେଉଛି ଭାରତୀୟ ମୌସୁମୀ ବାୟୁ ପ୍ରବାହ ଧାରା ଉପରେ ଉପରୋକ୍ତ ଘଟଣାର ପ୍ରଭାବ ଆବିଷ୍କାର। ଭାରତର ‘କୋର୍ ମନ୍ସୁନ୍ ଜୋନ୍’, ନିର୍ଦ୍ଦିଷ୍ଟ ଭାବରେ କେନ୍ଦ୍ରୀୟ ଭାରତରେ ଅବସ୍ଥିତ ଛତିଶଗଡ଼ ଅଞ୍ଚଳରେ ଗବେଷକମାନେ ଉପରୋକ୍ତ ବୈଶ୍ବିକ ଘଟଣାର ସ୍ପଷ୍ଟ ପ୍ରମାଣ ଚିହ୍ନଟ କରିଛନ୍ତି।
ପୃଥିବୀର ଗୋଟାଏ ପ୍ରାନ୍ତର ଜଳବାୟୁ ଅବସ୍ଥା କିପରି ସହସ୍ର କିଲୋମିଟର ଦୂର ପାଣିପାଗ ଧାରା ଉପରେ ପ୍ରଭାବ ପକାଇପାରେ ତାହା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଛତିଶଗଡ଼ରେ ଏହାର ସ୍ପଷ୍ଟ ପ୍ରମାଣ ଚିହ୍ନଟ କରାଯାଇଛି।
କୋର୍ବା ଜିଲ୍ଲା ଅନ୍ତର୍ଗତ ତୁମାନ୍ ହ୍ରଦ ଶଯ୍ୟାରୁ ଗୋଟାଏ ୧.୨ ମିଟର ବିଶିଷ୍ଟ ନଳାକୃତି କର୍ଦ୍ଦମରୁ ନିର୍ଗତ ଜୀବାଶ୍ମ ପରାଗରେଣୁ ଅନୁଶୀଳନ କରି ଗବେଷକ ଦଳ ଅତୀତର ବନସ୍ପତି ଓ ଜଳବାୟୁ ଅବସ୍ଥା ପୁନଃସଂରଚନା କରିଥିଲେ। ଆର୍ଦ୍ରତାପ୍ରିୟ ବୃଷ୍ଟିବନ ତରୁଲତାରୁ ନେଇ ଶୁଷ୍କତାପ୍ରିୟ ଉଦ୍ଭିଦ ପ୍ରଜାତି ଯାଏ ଏଭଳି ପରିବର୍ତ୍ତନ ସବୁ ଆଦରି ନେଇଥିଲେ ବୋଲି ବିଭିନ୍ନ ପ୍ରକାର ପରାଗରେଣୁରୁ ଜଣାପଡ଼ିଥିଲା। ସୁତରାଂ ‘୮.୨ କେଏ’ ସମୟରେ ମୌସୁମୀ ବାୟୁ ପ୍ରବାହଜନିତ ବୃଷ୍ଟିପାତ ହ୍ରାସ ପାଇଥିଲା। ଏଥିପାଇଁ ରେଡିଓକାର୍ବନ୍ ଡେଟିଂ ଏବଂ ଉନ୍ନତ ମଡେଲିଂ ବଳରେ ବୈଜ୍ଞାନିକମାନେ ଆଠହଜାର ବର୍ଷରୁ ଅଧିକ ସମୟ ପୂର୍ବବର୍ତ୍ତୀ କାଳଖଣ୍ଡର ଗୋଟାଏ ହାଇ-ରିଜଲ୍ୟୁସନ୍ ଜଳବାୟୁ ଟାଇମ୍ଲାଇନ୍ ପ୍ରସ୍ତୁତ କରିଥିଲେ।
‘କ୍ୱାଟର୍ନେରି ଇଣ୍ଟରନ୍ୟାସ୍ନାଲ୍’ ଜର୍ଣ୍ଣାଲ୍ରେ ପ୍ରକାଶିତ ଏହି ଗବେଷଣା-ପ୍ରସୂତ ନିବନ୍ଧ ଉତ୍ତର ଆଟଲାଣ୍ଟିକ୍ ଏବଂ ଭାରତୀୟ ମୌସୁମୀ ବାୟୁ ମଧ୍ୟରେ ସୁଦୃଢ଼ ‘ସୁଦୂରସଂଯୋଗ’ ଥିବା କଥା ଦର୍ଶାଏ। ଅର୍ଥାତ୍, ଉତ୍ତରାଞ୍ଚଳ ଅକ୍ଷାଂଶରେ ଶୀତଳତା ସଂଘଟିତ ହେଲେ ତାହା ମହାସାଗରୀୟ ସ୍ରୋତରାଜି ପରିବର୍ତ୍ତନ କରି ବୈଶ୍ୱିକ ବାୟୁ ପ୍ରବାହ ଧାରା ବଦଳାଇ ଦେଇଥାଇପାରେ। ସମ୍ଭବତଃ ସେଥିପାଇଁ ଉତ୍ତର ଗୋଲାର୍ଦ୍ଧରେ ମୌସୁମୀବାୟୁ ସମ୍ପ୍ରସାରଣ ଦୁର୍ବଳ ହୋଇଯାଇଥିଲା। ଏହି ଅନୁସନ୍ଧାନ ଦର୍ଶାଉଛି ଯେ ସୁଦୂର ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ୟ ଭାରତୀୟ ମୌସୁମୀ ବାୟୁ ପ୍ରବାହ ସମ୍ବେଦନଶୀଳ। ଦୀର୍ଘକାଳ ଧରି ଅପରିବର୍ତ୍ତିତ ଥିବା ମଧ୍ୟ-ହୋଲସିନ୍ ଯୁଗରେ ବି ମେରୁ ଅଞ୍ଚଳୀୟ ସମୁଦ୍ରରେ ଘଟୁଥିବା ବିଭ୍ରାଟ ତଥା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁଗତ ଅସ୍ଥିରତା ହେତୁ ମୌସୁମୀ ବାୟୁ ପ୍ରଭାବିତ ହୋଇଥିଲା।
ଉପରୋକ୍ତ ଗବେଷଣାର ଫଳାଫଳ ଏବର ସମୟ ପାଇଁ ବି ବେଶ୍ ଶିକ୍ଷଣୀୟ। କାରଣ, ଆଧୁନିକ ସମୟରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୈଶ୍ବିକ ଜଳବାୟୁ ଧାରା ପୂର୍ବବତ୍ ବ୍ୟାହତ ହୋଇପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଭବିଷ୍ୟତରେ ମେରୁ ଅଞ୍ଚଳରେ ହେବାକୁ ଥିବା ପରିବର୍ତ୍ତନ କେମିତି ଭାରତ ଭଳି ମୌସୁମୀ ବୃଷ୍ଟି ନିର୍ଭର ଦେଶଗୁଡ଼ିକୁ ପ୍ରଭାବିତ କରିବ, ତା’ର ପୂର୍ବାଭାସ ଜାଣିବାରେ ‘୮.୨ କେଏ କୁଲିଂ’ ଭଳି ଅଧ୍ୟୟନର ଅନୁମାନ ଉପାଦେୟ ସାବ୍ୟସ୍ତ ହେବ।
ସୌଜନ୍ୟ ସମ୍ବାଦ




