ଦେଶ ବିଦେଶ

LPG: ଦୂର ହେଉଛି ଏଲ୍‌ପିଜି ସଂକଟ-କାରଖାନାରେ ଫେରୁଛି ସ୍ବାଭାବିକତା

ଦେଶବ୍ୟାପୀ ଦେଖାଦେଇଥିବା ଏଲ୍‌ପିଜି ସଂକଟ ଏବେ କିଛି ମାତ୍ରାରେ କମିଛି। ସରକାର ନିକଟରେ ବାଣିଜ୍ୟିକ ଗ୍ୟାସ୍‌ ଯୋଗାଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଲ୍‌ପିଜି ଯୋଗାଣରେ ଉନ୍ନତି ଆସିବା ପରେ ପ୍ରବାସୀ ଶ୍ରମିକମାନେ ଏବେ କାର୍ଯ୍ୟ କରିବା ପାଇଁ କଳ କାରଖାନାକୁ ଫେରୁଛନ୍ତି।

ନୂଆଦିଲ୍ଲୀ: ଦେଶବ୍ୟାପୀ ଦେଖାଦେଇଥିବା ଏଲ୍‌ପିଜି ସଂକଟ ଏବେ କିଛି ମାତ୍ରାରେ କମିଛି। ସରକାର ନିକଟରେ ବାଣିଜ୍ୟିକ ଗ୍ୟାସ୍‌ ଯୋଗାଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଲ୍‌ପିଜି ଯୋଗାଣରେ ଉନ୍ନତି ଆସିବା ପରେ ପ୍ରବାସୀ ଶ୍ରମିକମାନେ ଏବେ କାର୍ଯ୍ୟ କରିବା ପାଇଁ କଳ କାରଖାନାକୁ ଫେରୁଛନ୍ତି। କମ୍ପାନିଗୁଡ଼ିକ କର୍ମଚାରୀଙ୍କ ପାଇଁ ଖାଦ୍ୟ କିମ୍ବା ବିକଳ୍ପ ରନ୍ଧନ ବ୍ୟବ୍ୟସ୍ଥା ଯୋଗାଇ ଦେଉଛନ୍ତି। ସରକାର ଗତ ଶୁକ୍ରବାର ୭୦ ପ୍ରତିଶତ ବାଣିଜ୍ୟିକ ଏଲ୍‌ପିଜି ଯୋଗାଇବା ଲାଗି ନିର୍ଦ୍ଦେଶ ଦେବା ସହିତ ଇସ୍ପାତ, ଅଟୋମୋବାଇଲ, ବୟନଶିଳ୍ପ, ରଙ୍ଗ, ରସାୟନ ଏବଂ ପ୍ଲାଷ୍ଟିକ୍‌ ଶିଳ୍କକୁ ଅଗ୍ରାଧିକାର ଭିତ୍ତିରେ ଏହା ପ୍ରଦାନ କରିବାକୁ କହିଥିଲେ। କାରଣ ଏସବୁ ଶିଳ୍ପରେ ଅଧିକ ସଂଖ୍ୟକ ଲୋକ କାର୍ଯ୍ୟ କରନ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ଓ ବ୍ୟବସାୟ ଏଗୁଡ଼ିକ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ରହିଛି। ତେଣୁ ଏସବୁ କ୍ଷେତ୍ରର କମ୍ପାନିଗୁଡ଼ିକରେ କାର୍ଯ୍ୟ ଧୀରେ ଧୀରେ ସ୍ବାଭାବିକତା ଆଡ଼କୁ ଫେରୁଛି। ଗୋଦ୍‌ରେଜ୍‌ ଏଣ୍ଟରପ୍ରାଇଜେସ୍‌ର ଆପ୍ଲାଏନ୍‌ସେସ୍‌ ବ୍ୟବସାୟ ମୁଖ୍ୟ କମଲ ନନ୍ଦୀଙ୍କ କହିବାନୁଯାୟୀ, ଏଲ୍‌ପିଜି ଯୋଗାଣରେ ଅନେକ ସ୍ଥିରତା ଫେରିଛି। ଶ୍ରମିକ କିମ୍ବା କଞ୍ଚାମାଲକୁ ନେଇ ବର୍ତ୍ତମାନ କୌଣସି ସମସ୍ୟା ନାହିଁ।

ଉତ୍ପାଦନ ପୂର୍ଣ୍ଣମାତ୍ରାରେ ଚାଲିଛି ବୋଲି ସେ କହିଛନ୍ତି। ସେହିଭଳି ଅଟୋମୋବାଇଲ କ୍ଷେତ୍ରର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଛୋଟ ଛୋଟ ଭେଣ୍ଡରଙ୍କ ଗ୍ୟାସ୍‌ ଯୋଗାଣଜନିତ ସମସ୍ୟା ଦୂର ‌ହେବାରେ ଲାଗିଛି। ବଡ଼ ଉତ୍ପାଦନକାରୀମାନେ ଅସୁବିଧାକୁ ଦୂର କରିବା ଲାଗି ବିକଳ୍ପ ଇନ୍ଧନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ବଢ଼ାଇବା ଏବଂ ଅଟୋମୋବାଇଲ କ୍ଷେତ୍ରକୁ ଏଥିରେ ସାମିଲ ଆମ ପାଇଁ ସହାୟକ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ପାର୍ଲେ କମ୍ପାନିର ଉପସଭାପତି ମୟଙ୍କ ଶାହ କହିଛନ୍ତି ଯେ ଏଲ୍‌ପିଜି ଯୋଗାଣରେ ଉନ୍ନତି ଆସିବା ଫଳରେ କାରଖାନାରେ ଉତ୍ପାଦନ ପୂର୍ବସ୍ଥିତିକୁ ଫେରୁଛି। ପ୍ୟାକେଜ୍‌ଡ ଫୁଡ୍‌କୁ ଅଗ୍ରାଧିକାର ବର୍ଗରେ ସାମିଲ କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଇପ୍ୟାକ୍‌ ଡ୍ୟୁରେବଲ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜୟ ଡିଡି ସିଂଘାନିଆ ମଧ୍ୟ କହିଛନ୍ତି ଯେ କାରଖାନାରେ କାର୍ଯ୍ୟ କରିବା ପାଇଁ ଶ୍ରମଶକ୍ତିଙ୍କୁ ରଖିବା ବର୍ତ୍ତମାନ ସେତେଟା ଅସୁବିଧା ନାହିଁ । ଆମେ ସେମାନଙ୍କୁ ମିଲ୍‌ ଦେଉଛୁ କିମ୍ବା ରୋଷେଇ ପାଇଁ ବିକଳ୍ପ ସମାଧାନ ଯୋଗାଇ ଦେଉଛୁ। ତେବେ ଗତ ମାସକ ମଧ୍ୟରେ ଉତ୍ପାଦନରେ ଯେଉଁ କ୍ଷତି ହୋଇଛି ତାହା ଫେରିବନି। କ୍ୟାଣ୍ଟିନରେ ମିଲ୍‌ ଯୋଗାଇ ଦେବା ଫଳରେ ଅନେକ କାରଖାନାରେ କର୍ମଚାରୀଙ୍କ ଉପସ୍ଥାନ ବଢ଼ିଛି। ପୂର୍ବରୁ ଏଲ୍‌ପିଜି ଯୋଗାଣ ବନ୍ଦ ହେବା, କଳାବଜାରରେ ଏହାର ଦର ବଢ଼ିବା ଏବଂ ହୋଟେଲ, ରେସ୍ତୋରାଁ ଆଦି ବନ୍ଦ ହୋଇଯିବା ଦ୍ବାରା ପ୍ରବାସୀ ଶ୍ରମିକମାନେ ଘରକୁ ପଳାଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button