ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇପାରେ। ହ୍ୱାଇଟ୍ ହାଉସ୍ ଏନେଇ ସବୁଜ ସଙ୍କେତ ଦେଇ କହିଛି ଯେ, ଦ୍ୱିତୀୟ ପର୍ଯ୍ୟାୟ ପାକିସ୍ତାନରେ ହେବାର ସମ୍ଭାବନା ଅଛି। ଏକ ପ୍ରେସ ବ୍ରିଫିଂରେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି, ଦ୍ୱିତୀୟ ବୈଠକ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ସ୍ଥିର ହୋଇନାହିଁ, କିନ୍ତୁ ଆଲୋଚନା ଜାରି ରହିଛି। ମଧ୍ୟପ୍ରାଚ୍ୟରେ କୂଟନୈତିକ ପ୍ରୟାସ ବୃଦ୍ଧି ପାଇଥିବା ସମୟରେ ଏହି ଅପଡେଟ୍ ଆସିଛି। ବୁଧବାର ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଇରାନର ରାଜଧାନୀ ତେହେରାନରେ ମଧ୍ୟ ପହଞ୍ଚିଛନ୍ତି। ଲେଭିଟ୍ ନିଶ୍ଚିତ କରିଛନ୍ତି ଯେ, ତେହେରାନ ସହିତ କୂଟନୈତିକ ଆଲୋଚନା ଚାଲିଛି। ଆଲୋଚନା ସକାରାତ୍ମକ ଭାବେ ଜାରି ରହିଛି।
ଆଲୋଚନାର ସ୍ଥାନ ବିଷୟରେ ପଚରାଯିବାରୁ, ଏହା ଇସଲାମାବାଦରେ ହେବ କି ନାହିଁ, ଲେଭିଟ୍ କହିଥିଲେ, ହଁ, ଏହା ପ୍ରାୟତଃ ପୂର୍ବ ପରି ସମାନ ସ୍ଥାନରେ ହୋଇପାରେ। ଏହି ସମୟରେ, ସେ ଆମେରିକା ଅସ୍ତ୍ରବିରତି ସମୟସୀମା ନେଇ ଅନୁରୋଧ କରିଥିବା ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଲେଭିଟ୍ ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ବୋଲି ଦର୍ଶାଇ କହିଛନ୍ତି, ଆମେରିକା ଅସ୍ତ୍ରବିରତି ବୃଦ୍ଧି ପାଇଁ କୌଣସି ଦାବି କରିନାହିଁ। ଲେଭିଟ୍ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରୁଥିବାରୁ ପାକିସ୍ତାନକୁ ପ୍ରଶଂସା କରିଛନ୍ତି। ଆଲୋଚନାରେ ପାକିସ୍ତାନ ଏକମାତ୍ର ମଧ୍ୟସ୍ଥି ଥିବା ସେ କହିଛନ୍ତି। ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଇରାନର ରାଜଧାନୀ ତେହେରାନରେ ପହଞ୍ଚିବା ପରେ ଏହି ବିବୃତି ଦିଆଯାଇଛି। ତାଙ୍କ ଗସ୍ତ ସମୟରେ ମୁନିର ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କୁ ଭେଟିଥିଲେ। ଉଭୟ ପକ୍ଷ ଆଲୋଚନା ଜାରି ରଖିବା ଏବଂ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ପାଇଁ ସହମତି ପ୍ରକାଶ କରିଥିଲେ।
ସୌଜନ୍ୟ ସମ୍ବାଦ

