Breakingଅପରାଧ

Dead Body found ଶିଖପାଲ୍ଲୀ ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲ୍ଲୀ ଗାଁ ନିକଟସ୍ଥ ଜଙ୍ଗଲର ଏକ ମହୁଲ ଗଛ ମୂଳରୁ  ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକହେଉଛନ୍ତି ନନ୍ଦିନୀପଡ଼ା ନାନାଦିବେଡା ଗ୍ରାମର ଲାଛା ମାଢିଙ୍କ ପତ୍ନୀ ସୋମେ ମାଢି। ପରିବାର ଲୋକେ ସୋମେଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ଘଟଣା ଅନୁଯାୟୀ, ଗତକାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ସୋମେ ମାଢି ସେଠାକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶୁକ୍ରବାର ସକାଳୁ ଶିଖପାଲ୍ଲୀ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମୃତକଙ୍କ ଭାଇ ରାମ ମାଡକାମିଙ୍କ କହିବା ଅନୁଯାୟୀ ତାଙ୍କ ଭଉଣୀଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି। ସେ ଏହି ଘଟଣାରେ ସେହି ଗ୍ରାମର ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ ପ୍ରକଟ କରି ପୁଲିସକୁ ସୂଚନା ଦେଇଛନ୍ତି।

ସୋମେଙ୍କ ସ୍ୱାମୀ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଛନ୍ତି। ଖବର ପାଇ, ମାଲକାନାଗିରି ଥାନା ଆଇଆଇସି ରିଗାନ୍ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ସାଇଣ୍ଟିଫିକ ଟିମକୁ ଡକାଯାଇଛି ଏବଂ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଓ ପରିବାର ଲୋକେ ଦାବି କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button