ଜାତୀୟ

pakistan: ଭାରତୀୟ ବିମାନ ପାଇଁ ବାୟୁସୀମା ବନ୍ଦ କଲା ପାକିସ୍ତାନ: ଜାରି କଲା ନୋଟାମ୍, ‘ରଣନୈତିକ ବ୍ଲାକଆଉଟ୍’ ପଛରେ ସିଆଇଏ-ଆଇଏସ୍‌ଆଇର ହାତ!

ନୂଆଦିଲ୍ଲୀ/ଇସଲାମାବାଦ: ପାକିସ୍ତାନ ଭାରତୀୟ ବିମାନ ପାଇଁ ମେ’ ୨୪ ପର୍ଯ୍ୟନ୍ତ ପାକିସ୍ତାନ ନିଜ ବାୟୁସୀମା ବନ୍ଦ କରିଦେଇଛି। ଗତବର୍ଷ ଏପ୍ରିଲ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ବିମାନ ପାଇଁ ସେମାନଙ୍କର ଏୟାରସ୍ପେସ୍ ବନ୍ଦ କରିଦେଇଥିଲେ। ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ ‘ନୋଟିସ୍ ଟୁ ଏୟାରମ୍ୟାନ୍’ (ନୋଟାମ୍)ରେ କହିଛନ୍ତି ଯେ ୨୪ ମେ’ ୨୦୨୬ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଭାରତୀୟ ପଞ୍ଜିକୃତ, ଲିଜ୍ ଅର୍ଡର, ବାଣିଜ୍ୟିକ ଏବଂ ସାମରିକ ବିମାନକୁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ପୂର୍ବ ନୋଟିସ୍‌ର ୨୪ ଏପ୍ରିଲ ଶେଷ ତାରିଖ ସରିବାର ହେବାର ଦୁଇ ଦିନ ପୂର୍ବରୁ ଏହି ନୂଆ ନୋଟିସ୍ ଜାରି କରାଯାଇଥିଲା।

ଭାରତ ପାଇଁ ପାକିସ୍ତାନର ଆକାଶ ସୀମା ବନ୍ଦ କରିବାର ସମୟସୀମା ବୃଦ୍ଧି ପରେ, ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ଏଜେଣ୍ଟ ଲକି ବିଷ୍ଟ୍ ଦାବି କରିଛନ୍ତି ଯେ, ୨୪ ମେ’ ପର୍ଯ୍ୟନ୍ତ ପାକିସ୍ତାନର ଆକାଶ ସୀମା ବନ୍ଦ କରିବା କେବଳ ଏକ ଅବରୋଧ ନୁହେଁ, ବରଂ ଏକ ରଣନୈତିକ ବ୍ଲାକଆଉଟ୍। ଇସଲାମାବାଦରେ ଆମେରିକୀୟ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା(ସିଆଇଏ) ଏବଂ ପାକିସ୍ତାନର ଗୁପ୍ତଚର ସଂସ୍ଥା ଇଣ୍ଟର ସର୍ଭିସ୍ ଇଣ୍ଟେଲଜେନ୍ସ(ଆଇଏସ୍‌ଆଇ) ମଧ୍ୟରେ ଗୁପ୍ତ ଶାନ୍ତି ଆଲୋଚନା ଚାଲିଛି। ଏହା ବ୍ୟତୀତ, ଇଜିପ୍ଟ ସହିତ ଥଣ୍ଡର-୨ ସାମରିକ ଅଭ୍ୟାସ ମଧ୍ୟ ଚାଲିଛି। ସେ କହିଛନ୍ତି, ଯେକୌଣସି ବାଣିଜ୍ୟିକ ଜାହାଜର ରାଡାର ମାଧ୍ୟମରେ ଯେପରି ଭିତରର ଗତିବିଧି ଜଣା ନପଡ଼ିବ ସେଥିପାଇଁ ଜାଣିଶୁଣି ବାୟୁସୀମାକୁ ସିଲ୍ କରାଯାଇଛି। ସେ ଏହାକୁ ଏକ ଜଣାଶୁଣା ଗୁପ୍ତଚର ଢାଲ ବୋଲି କହିଛନ୍ତି।

ପାକିସ୍ତାନର ଆକାଶମାର୍ଗ ଉପରେ ପ୍ରତିବନ୍ଧକ ଲାଗୁ ହେବାର ପ୍ରାୟ ଗୋଟିଏ ବର୍ଷ ବିତିଗଲାଣି, ଯାହା ଫଳରେ ଭାରତୀୟ ବିମାନଗୁଡ଼ିକୁ ବିଭିନ୍ନ ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଲମ୍ବା ରାସ୍ତା ନେବାକୁ ପଡୁଛି। ଭାରତ ୨୪ ଏପ୍ରିଲ ସକାଳ ୫:୩୦ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନକୁ ନିଜର ଆକାଶମାର୍ଗ ବ୍ୟବହାର କରିବାକୁ ବାରଣ କରିଛି ଏବଂ ଏହି ପ୍ରତିବନ୍ଧକ ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ଦ୍ୱାରା ପାକିସ୍ତାନ ବିରୋଧରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଏକ ଅଂଶ ଭାବରେ ଲାଗୁ ହୋଇଥିବା ଏହି ପ୍ରତିବନ୍ଧକ ପ୍ରାରମ୍ଭରେ ୨୦୨୫ ମେ’ ୨୪ ପର୍ଯ୍ୟନ୍ତ ଥିଲା ଏବଂ ପରେ ପ୍ରତି ମାସରେ ବୃଦ୍ଧି କରାଯାଇଥିଲା। ୧୯୯୯ କାର୍ଗିଲ ଯୁଦ୍ଧ ଏବଂ ୨୦୧୯ ପୁଲୱାମା ସଙ୍କଟ ସମୟରେ ମଧ୍ୟ ଅତୀତରେ ଆକାଶମାର୍ଗ ବନ୍ଦ କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More
Back to top button