Fire safety certificates: ୯୦% ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନର ନାହିଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌

କ୍ଷିତୀଶ ରାୟ

ଭୁବନେଶ୍ବର: କଟକଏସ୍‌ସିବି ମେଡିକାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ପରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ଚିନ୍ତା ବଢ଼ିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାର କିଭଳି ଅନୁପାଳନ କରାଯିବ ସେଥିପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୯୦% ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏବେ ବି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ଭିତ୍ତିଭୂମି, ଟାଉନ୍‌ ପ୍ଲାନିଂର ଅଭାବ ଭଳି କାରଣରୁ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକ ଏହି ସାର୍ଟିଫିକେଟ୍‌ ପାଇପାରୁନାହାନ୍ତି। ବହୁ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ତେଣୁ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ନେଇ ରହିଥିବା ସମସ୍ୟାର କିଭଳି ତ୍ବରିତ ଢଙ୍ଗରେ ସମାଧାନ କରାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ରାୟଗଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ଯଦି ମା’ ଓ ଶିଶୁ ହସ୍ପିଟାଲ(ଏମ୍‌ସିଏଚ୍‌)କୁ ବିଚାରକୁ ନିଆଯାଏ, ତାହାଲେ କେବଳ ରାୟଗଡ଼ାରେ ହିଁ ଏହି ସୁବିଧା ରହିଛି। ଭିତ୍ତିଭୂମିର ଅଭାବ, ଟାଉନ୍‌ ପ୍ଲାନିଂ-ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ, ମାନବ ସମ୍ବଳର ଅଭାବ ଓ ଜମିଜମା ରେକର୍ଡ ଭଳି ସମସ୍ୟା କାରଣରୁ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନକୁ ଏହି ସାର୍ଟିଫିକେଟ୍‌ ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ବର୍ତ୍ତମାନ ପରିସ୍ଥିତିରେ କେଉଁ ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ସୁରକ୍ଷା ପାଇଁ ଅଧା ହୋଇଛି ତ ଆଉ କେଉଁଠି କୋଠା ନିର୍ମାଣ କାର୍ଯ୍ୟ ଜାରି ରହିଛି।

୫ ସ୍ବାସ୍ଥ୍ୟାନୁଷ୍ଠାନ ବ୍ୟତୀତ ଅନ୍ୟମାନେ ସାର୍ଟିଫିକେଟ୍‌ ପାଇନାହାନ୍ତି
ଭିତ୍ତିଭୂମି, ଟାଉନ୍‌ ପ୍ଲାନିଂ, ମାନବ ସମ୍ବଳ ଓ ଜମିଜମା ରେକର୍ଡ ସାଜିଛି ବାଧକ
ଜରୁରୀ ପରିସ୍ଥିତି ପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ୪୫କୋଟି ମଞ୍ଜୁର

ରାଜ୍ୟର ୮ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟାଉନ୍‌ ପ୍ଲାନିଂ କିମ୍ବା ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ନାହିଁ। ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନରେ ଟାଉନ୍‌ ପ୍ଲାନିଂର ପ୍ରମୁଖ ସମସ୍ୟା ଦେଖିବାକୁ ମିଳିଛି। ୭ରୁ ଅଧିକ ସ୍ବାସ୍ଥ୍ୟାନୁଷ୍ଠାନର ଉଭୟ ଭିତ୍ତିଭୂମି ଓ ମାନବ ସମ୍ବଳର ଅଭାବ ରହିଥିବା ନଜରକୁ ଆସିଛି। ରାଉରକେଲାସ୍ଥିତ ଆରଜିଏଚ୍‌ର ଜମିଜମା ରେକର୍ଡ ସମସ୍ୟା ରହିଛି। ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ପାଇବା ପାଇଁ ଆର ଏଣ୍ଡ ବି, ଅଗ୍ନିଶମ, ଟାଉନ୍‌ ପ୍ଲାନିଂ, ଜିଇଡି, ମେଡିକାଲ ଅଧୀକ୍ଷକ ମିଳିତଭାବେ କାମ କରିବାର ଆବଶ୍ୟକତା ରହିଛି। ତେଣୁ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟାନୁଷ୍ଠାନ କିଭଳି ତ୍ବରିତ ଢଙ୍ଗରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ପାଇବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଚଳିତବର୍ଷ ସମୟସୀମା ଧାର୍ଯ୍ୟ କରାଯାଇଛି।

ଅପରପକ୍ଷରେ ପୂର୍ବରୁ ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା ନ ଥିଲା। ଏବେ ସ୍ବତନ୍ତ୍ର ବଜେଟ ଆସିବା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୭୦୦ ସ୍ବାସ୍ଥ୍ୟାନୁଷ୍ଠାନ ପାଇଁ ପ୍ରାୟ ୨୦୦ କୋଟି ଯୋଗାଇ ଦେଇଛନ୍ତି। ତହିଁରୁ ୨୦୨୫-୨୬ବର୍ଷରେ କେବଳ ୧୫୦ କୋଟି ଟଙ୍କା ଦିଆଗଲାଣି। ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌, ଓଡ଼ିଶା ପକ୍ଷରୁ ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କୁ ୪୫କୋଟି ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଏହି ଅର୍ଥ ରହିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ କେବଳ ଜରୁରିକାଳୀନ ପରିସ୍ଥିତିରେ ହିଁ ଖର୍ଚ୍ଚ କରାଯିବ। ଏଥିରେ ମେଡିକାଲ କଲେଜ ଥିବା ଜିଲ୍ଲାଗୁଡ଼ିକ ପାଇଁ ୨କୋଟି ଓ ଅନ୍ୟ ଜିଲ୍ଲାଙ୍କୁ କୋଟିଏ ଟଙ୍କା ଦିଆଯାଇଛି। ଏହି ଅର୍ଥ କିଭଳି ଢଙ୍ଗରେ ଖର୍ଚ୍ଚ କରାଯିବ ସେଥିପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ବାସ୍ଥ୍ୟାନୁଷ୍ଠାନଙ୍କ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ପାଇବା ପାଇଁ କେଉଁ କେଉଁ ସମସ୍ୟା ରହିଛି ଏହାଭିତରେ ତାହାର ଚିହ୍ନଟ ହୋଇସାରିଛି। ସେହି ଅନୁଯାୟୀ କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲାମାନଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ଚଳିତବର୍ଷ ଶେଷ ଆଡ଼କୁ ବାକି ରହିଥିବା ସ୍ବାସ୍ଥ୍ୟାନୁଷ୍ଠାନୁଗୁଡ଼ିକ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ହାସଲ କରିବେ ବୋଲି ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ