Forex Reserves Jump: ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ୭୦୩.୩ ବିଲିୟନ ଡଲାରକୁ ବୃଦ୍ଧି: ସୁନା ଭଣ୍ଡାର ଛୁଇଁଲା ୧୨୨.୧ ବିଲିୟନ ଡଲାର

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ୧୭ ଏପ୍ରିଲରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା (ଫରେକ୍ସ) ଭଣ୍ଡାର ୨.୩୬୨ ବିଲିୟନ ଡଲାର ବୃଦ୍ଧି ପାଇ ୭୦୩.୩୦୮ ବିଲିୟନ ଡଲାରରେ ପହଞ୍ଚିଛି। ପୂର୍ବ ରିପୋର୍ଟିଂ ସପ୍ତାହରେ ୩.୮୨୫ ବିଲିୟନ ଡଲାର ବୃଦ୍ଧି ପରେ ଏହା ଘଟିଛି। ସେତେବେଳେ ଭଣ୍ଡାର ୭୦୦.୯୪୬ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ବୈଦେଶିକ ମୁଦ୍ରା ଭଣ୍ଡାରର ଏକ ପ୍ରମୁଖ ଅଂଶ ସୁନା ଭଣ୍ଡାର ସପ୍ତାହକ ମଧ୍ୟରେ ୭୯୦ ନିୟୁତ ଡଲାର ବୃଦ୍ଧି ପାଇ ୧୨୨.୧୩୩ ବିଲିୟନ ଡଲାରରେ ପହଞ୍ଚିଛି। ବିଶ୍ୱରେ ଲାଗି ରହିଥିବା ଆର୍ଥିକ ଅନିଶ୍ଚିତତା ମଧ୍ୟରେ ସୁନା ଭଣ୍ଡାରରେ ନିରନ୍ତର ବୃଦ୍ଧି ଘଟିଛି।

ଭାରତୀୟ ମୁଦ୍ରା ଭଣ୍ଡାରର ସର୍ବବୃହତ ଅଂଶଥିବା ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫ୍‌ସିଏ) ୧.୪୮୧ ବିଲିୟନ ଡଲାର ବୃଦ୍ଧି ପାଇ ୫୫୭.୪୬୩ ବିଲିୟନ ଡଲାରରେ ପହଞ୍ଚିଛି। ୟୁରୋ, ପାଉଣ୍ଡ ଷ୍ଟର୍ଲିଂ ଏବଂ ୟେନ୍ ଭଳି ଅଣ-ଆମେରିକୀୟ ମୁଦ୍ରାର ଗତିବିଧିର ପ୍ରଭାବ ଏଫ୍‌ସିଏ ଉପରେ ପଡ଼ିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ଭାରତର ସ୍ୱତନ୍ତ୍ର ଡ୍ରଇଂ ରାଇଟ୍ସ (ଏସ୍‌ଡିଆର୍) ୭୮ ନିୟୁତ ଡଲାର ବୃଦ୍ଧି ପାଇ ୧୮.୮୪୧ ବିଲିୟନ ଡଲାର ଛୁଇଁଛି। ଆଇଏମ୍‌ଏଫ୍‌ ସହିତ ଦେଶର ରିଜର୍ଭ ସ୍ଥିତି ମଧ୍ୟ ୧୪ ନିୟୁତ ଡଲାର ବୃଦ୍ଧି ପାଇ ୪.୮୭ ବିଲିୟନ ଡଲାର ହୋଇଛି।

୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ସର୍ବାଧିକ ୭୨୮.୪୯୪ ବିଲିୟନ ଡଲାର ଛୁଇଁଥିଲା। ପଶ୍ଚିମ ଏସିଆରେ ବୃଦ୍ଧି ପାଇଥିବା ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ପରବର୍ତ୍ତୀ ସପ୍ତାହଗୁଡ଼ିକରେ ଭଣ୍ଡାର ହ୍ରାସ ପାଇଥିଲ। ଫଳରେ ଭାରତୀୟ ଟଙ୍କା ଉପରେ ଚାପ ପଡ଼ିଥିଲା। ମୁଦ୍ରା ବଜାରରେ ଡଲାର ବିକ୍ରୟ ମାଧ୍ୟମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଚାପ ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରିଥିଲା।

ବିଦେଶୀ ମୁଦ୍ରା ଭଣ୍ଡାରରେ ନିରନ୍ତର ବୃଦ୍ଧିକୁ ଦେଶର ଅର୍ଥନୀତି ପାଇଁ ଏକ ସକାରାତ୍ମକ ସଙ୍କେତ ଭାବରେ ବିବେଚନା କରାଯାଉଛି। ଏହା ବାହ୍ୟ ଅସ୍ଥିର ସ୍ଥିତି ସତ୍ତ୍ବେ ଦେଶକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ସହିତ ମୁଦ୍ରା ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବାର ଆଶା ରହିଛି।

 

 

ସୌଜନ୍ୟ ସମ୍ବାଦ