ପ୍ରଦୀପ ପାଢ଼ୀ
କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ୍ ଦେଇ ପ୍ରବାହିତ ଚିରସ୍ରୋତା ଝଞ୍ଜାବତୀ ନଦୀ ଶୁଖିଲା ପଡ଼ିଛି। ଧାରଟିଏ ହୋଇ ନଦୀ ପ୍ରବାହିତ ହେଉଥିବାରୁ ଚାଷ କାର୍ଯ୍ୟ ପାଇଁ ପାଣି ମିଳୁନି। ଏହାସହ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ୨୦୨୫ ଅକ୍ଟୋବରରୁ ନାରାୟଣପାଟଣା, ବନ୍ଧୁଗାଁ ଅଞ୍ଚଳରେ ବର୍ଷା ହୋଇ ନଥିବାରୁ ନଦୀ ଜଳସ୍ତର ହ୍ରାସ ପାଇ ଚାଲିଛି। ନାରାୟଣପାଟଣା ବ୍ଲକର ତଳଗୁମାଣ୍ଡି ଓ ବିଜାଘାଟି ଅଞ୍ଚଳରୁ ଝଞ୍ଜାବତୀ ନଦୀର ଉତ୍ପତ୍ତି। ଲକ୍ଷ୍ମୀପୁରରୁ ପ୍ରବାହିତ ଚମ୍ପାବତୀ ନଦୀ ନାରାୟଣପାଟଣା ଝାଡ଼େଶ୍ବର ମନ୍ଦିର ନିକଟରେ ଝଞ୍ଜାବତୀ ସହ ମିଶିଛି। ଝଞ୍ଜାବତୀ, ଚମ୍ପାବତୀ ଏକାଠି ନାରାୟଣପାଟଣା, ବନ୍ଧୁଗାଁ ଦେଇ ୩୦ କିମି ପ୍ରବାହିତ ହେବା ପରେ ନାଗାବଳୀରେ ମିଶିଛି। ବିଜାଘାଟି, ତେନ୍ତୁଳିପଦର, ବାଲିପେଟା ପାହାଡ଼ିଆ ଅଞ୍ଚଳରେ ବର୍ଷା ହେଲେ ଏହାର ପାଣି ଝଞ୍ଜାବତୀ ନଦୀକୁ ଆସିଥାଏ। ତେବେ ବର୍ଷ ବର୍ଷ ଧରି ପାହାଡ଼ିଆ ଅଞ୍ଚଳରେ ଗଛକଟା ସହିତ ପୋଡ଼ୁ ଚାଷ ବଢ଼ିବା ଯୋଗୁଁ ବର୍ଷା ପରିମାଣ କମିବାରେ ଲାଗିଛି।

