କଣାସ,୨୮/୦୪ : ରଙ୍ଗମଞ୍ଚ ପାଲଟିସଲା ରଣକ୍ଷେତ୍ର । ବୁଲିଲା ଠେଙ୍ଗା । ଯିଏ ଯାହାକୁ ପାରିଲା ଧମକାଇଲା । ଡ୍ରାମା ଚାଲିଥିବା ବେଳେ ଦେଖାଦେଲା ହାଇଡ୍ରାମା । ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ।
ରିପୋର୍ଟ ଅନୁସାରେ, ରେଙ୍ଗଳ ଗ୍ରାମରେ ଡ୍ରାମା ପରିବେଷଣ ହେଉଥିଲା । ଏତିକି ବେଳେ ଉପରସାହିର ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଥିଲେ। ପରେ ସେମାନେ ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚକୁ ଚଢିଯାଇଥିଲେ । ଏହାସହ ଉପରେ ଡ୍ରାମା ପରିବେଷଣ କରୁଥିବା ବେଳେ ଆତଙ୍କ ସୃଷ୍ଟି କରିଥିଲେ । ଏପରିକି ଭୟରେ ସେଠାରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଏଥିରେ ଅନେକ ଗୁରୁତର ଥିବା ଜଣାପଡିଛି l
ଏହା ଦୁଇସାହି ବିବାଦର ହିଂସାତ୍ମକ ପରିଣତି ବୋଲି କୁହାଯାଉଛି । କେବଳ ଦର୍ଶକ ନୁହେଁ ମଞ୍ଚରେ ଚଢ଼ି ବ୍ୟାପକ ଭଙ୍ଗାରୁଜା କରିବା ସହ କଳାକାର ମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହାସହ ଦୁର୍ବୃତ୍ତମାନେ ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଯୁବକ ମାନଙ୍କ ଆତଙ୍କରେ ଦର୍ଶକମାନେ ଭୟଭୀତ ହୋଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦଳାଚକଟାରେ ଏକାଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭୁବନେଶ୍ବର ଏମସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଏନେଇ ରେଙ୍ଗଳ ଡ୍ରାମାଟିକ୍ ଆସୋସିଏସନ୍ର ସଭାପତି ବିକ୍ରମ ସାହୁ, ପ୍ରଶାନ୍ତ ରାୟ, ଦୀପକ ବାରିକ, ଗଣେଶ ମହାପାତ୍ର ଓ ଦୀପକ ଲେଙ୍କା ପ୍ରମୁଖ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନାରେ ମାମଲା ରୁଜୁ ହୋଇଛି। ସେହିପରି ଅପରପକ୍ଷ ଥାନାରେ ପାଲଟା ଅଭିଯୋଗ କରିଥିବା ବେଳେ ଏସଂକ୍ରାନ୍ତରେ ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଡେଲାଙ୍ଗ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି l
ସୌଜନ୍ୟ Prameya News7

