ରାଜ୍ୟ

Minor Girl Missing Case: ମୋବାଇଲ ହଜିଯିବା ପରେ ହଜିଗଲେ ନାବାଳିକା; ଇନଷ୍ଟାଗ୍ରାମରୁ ଠାବ କଲା ପୁଲିସ, ଖୁସିରେ ଆତ୍ମହରା ପରିବାର

ରା.ଉଦୟଗିରି/ମୋହନା,୨୪/୧୧: କେଶମନିଙ୍କୁ ୧୬ ବର୍ଷ  ହୋଇଥିଲା । ସାଙ୍ଗଙ୍କ କଥାରେ ପଡ଼ି  ଦାଦନ ଖଟିବାକୁ ଘରୁ ବାହାରି  ଯାଇଥିଲେ । କିଛିଦିନ ପରେ ତାଙ୍କ  ସହ ଆଉ ଯୋଗାଯୋଗ ହୋଇପାରିଲା ନାହିଁ । ପରିବାର ପକ୍ଷରୁ ଗଜପତି  ଜିଲ୍ଲା ରା.ଉଦୟଗିରି ଥାନାରେ ଏତଲା  ଦିଆଗଲା । ପୁଲିସ ତାମିଲନାଡ଼ୁ,  ହାଇଦ୍ରାବାଦ ଆଦି ଅନେକ ରାଜ୍ୟରେ ଖୋଜିଖୋଜି ନୟାନ୍ତ ହୋଇଗଲା ।  ଝିଅକୁ ଝୁରିଝୁରି ଭାଙ୍ଗିପଡ଼ିଲେ  ପରିବାର ।  ହେଲେ ୧୦ ବର୍ଷ ପରେ ଇନ୍‌ଷ୍ଟାଗ୍ରାମ୍‌ରେ ପୁଲିସ କେଶମନିଙ୍କ ଫଟୋ ଦେଖି ତାଙ୍କୁ ଠାବ କରିଛି ।  ସୋମବାର ବାଲେଶ୍ୱରରୁ ଉଦ୍ଧାର କରିବା ପରେ ପରିବାର ଲୋକ ଭାବବିହ୍ୱଳ ହୋଇପଡ଼ିଛନ୍ତି । ତେବେ  ନାବାଳିକା ଏବେ ବିବାହିତା ମହିଳା ବୋଲି କହିଛନ୍ତି ରା.ଉଦୟଗିରି  ଥାନା ଅଧିକାରୀ କଳ୍ପଲତା ପ୍ରଧାନ ।

ପୁଲିସ ସୂଚନା ଅନୁସାରେ,  ରା.ଉଦୟଗିରି ଥାନା ଅଧୀନ ପରିମଳ ନୂଆସାହି ଗାଁର କାଞ୍ଜି ଗମାଙ୍ଗଙ୍କ ୧୬  ବର୍ଷୀୟା ଝିଅ କେଶମନି ଦାଦନ ଖଟିବାକୁ ଯାଇଥିଲେ । ସେ କିଛି  ଝିଅଙ୍କ ସହ ପ୍ରଥମେ ତାମିଲନାଡ଼ୁର  କନ୍ୟାକୁମାରୀ ଯାଇଥିଲେ । ଏହାପରେ ସେଠାରୁ ହାଇଦ୍ରାବାଦ ଆସି ଏକ  କମ୍ପାନୀରେ କାମ କରୁଥିଲେ । ତେବେ  ୨୦୧୬ ଅକ୍ଟୋବରରୁ ଝିଅ ସହ ପରିବାରର ଯୋଗାଯୋଗ ହୋଇପାରିନ ଥିଲା । କିଛିଦିନ ପରେ ଅନ୍ୟ ଝିଅମାନେ  ଫେରିଥିଲେ । କିନ୍ତୁ କେଶମନି ଫେରି ନ ଥିଲା । ୨୦୧୬ ଅକ୍ଟୋବର ୩ରେ ରା.ଉଦୟଗିରି ଥାନାରେ ଅଭିଯୋଗ  କରିଥିଲେ ନାବାଳିକାଙ୍କ ବାପା । ପୁଲିସ କନ୍ୟାକୁମାରୀ, ହାଇଦ୍ରାବାଦର  ବିଭିନ୍ନ କମ୍ପାନୀରେ ଖୋଜି ବିଫଳ  ହୋଇଥିଲା । ଇତିମଧ୍ୟରେ ୧୦ ବର୍ଷ  ବିତିଯାଇଛି । ବର୍ତ୍ତମାନ ଏହି ମାମଲାର  ତଦନ୍ତ ଅଧିକାରୀ ରା.ଉଦୟଗିରି  ଥାନା ଏସ୍‌ଆଇ ଲକ୍ଷ୍ମଣ ବେସ୍ରା ପୁଣି  ତଦନ୍ତ ଆରମ୍ଭ କରିଥିଲେ । ନିଖୋଜ  ନାବାଳିକାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । କେଶମନିଙ୍କ ଭଉଣୀର ଇନ୍‌ଷ୍ଟଗ୍ରାମ ଯାଞ୍ଚ୍‌ କରିଥିଲେ ।  ଫ୍ରେଣ୍ଡ୍‌ ଲିଷ୍ଟ୍‌ ଯାଞ୍ଚ୍‌ କରି କେଶମନିଙ୍କ  ଫଟୋକୁ ଚିହ୍ନଟ କରିଥିଲେ ପରିବାର ।  ଏହାପରେ ଇନ୍‌ଷ୍ଟାଗ୍ରାମ୍‌ର ମୋବାଇଲ୍‌ ନମ୍ବର ଯାଞ୍ଚ୍‌ ପରେ ବାଲେଶ୍ୱରର ବଳଙ୍ଗା ଗାଁରେ ଥିବା ଜାଣିବାକୁ ପାଇଥିଲେ ।  ସୋମବାର ଏସ୍‌ଆଇ ଲକ୍ଷ୍ମଣ ବେସ୍ରାଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ବଳଙ୍ଗା ଗାଁରେ ପହଞ୍ଚିଥିଲା । ସେଠାରେ କେଶମନିଙ୍କୁ  ଜଣେ ବ୍ୟକ୍ତିଙ୍କ ଘରେ ଠାବ କରିଥିଲେ ।

କେଶମନିଙ୍କ କହିବା ଅନୁଯାୟୀ,  ହାଇଦ୍ରାବାଦରେ କାମ କରୁଥିବା ବେଳେ ତାଙ୍କ ମୋବାଇଲ ହଜି ଯାଇଥିଲା ।  ପରିବାର ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା । ବାଧ୍ୟ ହୋଇ ସେହି କମ୍ପାନୀରେ କାମ କରୁଥିଲେ ।  ଦେଢ଼ ବର୍ଷ ତଳେ ବାଲେଶ୍ୱର ବଳଙ୍ଗାର ଜଣେ ପୁଅ ମଧ୍ୟ ସେହି  କମ୍ପାନୀରେ କାମ କରୁଥିଲେ । ଉଭୟଙ୍କ  ମଧ୍ୟରେ ପ୍ରେମ ହେବା ପରେ ବିବାହ କରିଛନ୍ତି । ବର୍ତ୍ତମାନ ଦମ୍ପତିଙ୍କ ଦେଢ଼ ମାସର ପୁଅଟିଏ ଅଛି । କେଶମନି  ବର୍ତ୍ତମାନ ସ୍ୱାମୀ ଓ ତାଙ୍କ ପରିବାର  ସହ ବାଲେଶ୍ୱର ବଳଙ୍ଗାରେ ଖୁସିରେ ରହୁଥିବା କହିଛନ୍ତି । ପୁଲିସ ତାଙ୍କୁ  ଉଦ୍ଧାର କରି ସୋମବାର ରା.ଉଦୟଗିରି ଥାନାକୁ ଆଣିଥିଲେ । କୋର୍ଟ ଚାଲାଣ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର  କରାଯାଇଥିବା ଥାନା ଅଧିକାରୀ କହିଛନ୍ତି । ଦୀର୍ଘ ୧୦ ବର୍ଷ ପରେ  ନିଖୋଜ ଝିଅକୁ ପାଇ ଖୁସିରେ  ଆତ୍ମହରା ହୋଇଯାଇଛନ୍ତି ପରିବାର  ଲୋକ । କେଶମନି ସ୍ୱାମୀଙ୍କ ସହ ପୁଣି  ବାଲେଶ୍ୱର ଚାଲିଯାଇଥିବା ଜଣାପଡ଼ିଛି ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button