ଭୁବନେଶ୍ୱର ୨୮।୦୪ : ୯୦ ବର୍ଷରେ ପାଦ ଥାପିଛି ଓଡ଼ିଆ ସିନେମା । ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ କରିଥିଲେ । ଏହି ଦିନ ହିସାବରେ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି। କିନ୍ତୁ ଦୁଃଖ ୯୦ ବର୍ଷରେ ଆମ ପାଖରେ ୯୦ଟି ସିନେମା ହଲ୍ ନାହିଁ । ପୂର୍ବରୁ କୁଆଡ଼େ ୩୦୦ ହଲ୍ ଥିଲା, ୧୯୯୯ ମହାବାତ୍ୟା ପରେ ଏହି ସଂଖ୍ୟା କମିଗଲା। ପୁଣି ୨୦୧୯ରେ ଆସିଲା କରୋନା । ହଲରେ ତାଲା ପକାଇ ବିବାହ ମଣ୍ଡପ ଆଉ ସପିଂ ମଲ୍ ଗଢ଼ା ଦେଲା। ଏସବୁ ଏବେ ଇତିହାସ ।
ଜଣେ ବିତରକଙ୍କ ମତରେ, ରାଜ୍ୟରେ ମୋଟ୍ ୫୪ଟି ହଲ୍ ରହିଛି। ସେହି ଅଭାବ ପାଇଁ ଆଜି ଗୋଟିଏ ଅନ୍ୟ ଭାଷାଭାଷୀ ସିନେମା ଆସିଲେ ଓଡ଼ିଆ ସିନେମା ହଲ୍ରୁ ଉଠିଯାଉଛି, ନଚେତ୍ ମୁକ୍ତିଲାଭ ପାଇଁ ତାରିଖ ଖୋଜୁଛି। ଏସବୁ ଭିତରେ ସବୁଠୁ ବଡ଼ ବିଡ଼ମ୍ବନା, ଯେଉଁଠି ଓଡ଼ିଆ ସିନେମାର ଅନ୍ତୁଡ଼ି ଜଳିଥିଲା, ଅର୍ଥାତ୍ ପୁରୀ ସହର ସେଠି ସିନେମା ହଲ୍ଟିଏ ନାହିଁ । ପୁରୀ ସହର ଛାଡ଼ନ୍ତୁ ସମଗ୍ର ଜିଲ୍ଲାରେ ବି ହଲ୍ଟିଏ ନାହିଁ । ବାକି ରାଜ୍ୟରେ ଯେତେ ସିଙ୍ଗଲ୍ ସ୍କ୍ରିନ୍ ଅଛି ଅଧାରୁ ଅଧିକ ଭାଙ୍ଗିରୁଜି ଗଲାଣି। ଅନେକ ସ୍ଥାନରେ ବିଭିନ୍ନ ଦୋକାନ, ବଜାର, ମଣ୍ଡପ, ମଲ୍ ଓ ଆପାର୍ଟମେଣ୍ଟ ଛିଡ଼ା ହେଲାଣି। ଆଉ କିଛି ସ୍ଥାନରେ ବଡ଼ ବଡ଼ କମ୍ପାନି ଆସି ଲିଜ୍ ସୂତ୍ରରେ ହଲ୍ ଖୋଲୁଛନ୍ତି। ଏଇ ଯେମିତି ଜଟଣୀ, ନୟାଗଡ଼, ସାଲେପୁର। ଯାହା ଆବଶ୍ୟକ ତୁଳନାରେ ଯଥେଷ୍ଟ ନୁହେଁ । ଏବେ କମ୍ପାନି ପରିଚାଳନା ଯୋଗୁ ଟିକଟ୍ ଦର ବି ଉଚ୍ଚା। ସାଧାରଣ ପରିବାରଟିଏ ଯଦି ମାସରେ ୨-୪ ଓଡ଼ିଆ ଓ ଅନ୍ୟ ଭାଷାଭାଷୀ ସିନେମା ଦେଖେ ତେବେ ମାସଟିଯାକ ଚଳିବା କଷ୍ଟକର । ସେଭିତରେ ଦର୍ଶକଙ୍କ ଅଭିଯୋଗ ଭଲ ଓଡ଼ିଆ ସିନେମା ନାହିଁ । ପ୍ରଯୋଜକଙ୍କ ଦାବି, ଆଉ ଖରାପ ସିନେମା ନାହିଁ ହେଲେ ହଲ୍ ମିଳୁନି । ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ନିରବ । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ସଂସ୍ଥା ଅଛି, ହେଲେ କେହି ଜାଣନ୍ତି ନାହିଁ । ବାକି କଳାକାର, ସଂଘ, ପ୍ରଯୋଜକ ସମସ୍ତେ ଚୁପ୍ । ବେଶି ଆଲୋଚନା ହେଲେ ଓଡ଼ିଆ ସିନେମାର ଏକମାତ୍ର ସମ୍ପତ୍ତି କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟର ସମୀକ୍ଷା ଯାହା ୨୦୨୧ରୁ ଭେଣ୍ଟିଲେଟରରେ ଅଛି ।
ଆଗାମୀ ୧୦ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ସେଥିପାଇଁ ଓଡ଼ିଶା ସରକାର ସମୃଦ୍ଧ ଓଡ଼ିଶାର ପରିକଳ୍ପନା କରି ଯୋଜନା ମୁତାବକ କାମ କରୁଛନ୍ତି। ସେହିକ୍ରମରେ ଓଡ଼ିଆ ସିନେମାକୁ ବି ୧୦୦ ବର୍ଷ ପୂରିବ, ହେଲେ ସମୃଦ୍ଧ ଓଡ଼ିଆ ସିନେମା ପାଇଁ କାହାରି ଚିନ୍ତା ନାହିଁ । ରାଜ୍ୟରେ ପ୍ରତିଟି କାର୍ଯ୍ୟ ପାଇଁ ନୀତି ନିୟମ ଅଛି। ମାତ୍ର ଏତେ ବର୍ଷର ଓଡ଼ିଆ ସିନେମା ପାଇଁ ସ୍ୱତନ୍ତ୍ର ନୀତିଟିଏ ନାହିଁ । ସରକାର ୨୦୧୯ ମାର୍ଚ୍ଚ ୨ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨ ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । ସେ ବିଷୟରେ ବି କାହାରି ଚିନ୍ତା ନାହିଁ । ଏସବୁ ବୁଝିବାକୁ ସରକାର ଓଏଫ୍ଡିସି ପ୍ରତିଷ୍ଠା କରିଥିଲେ । ଏବେ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଅଚଳ । ଯୋଜନା କଲେ ବି କାର୍ଯ୍ୟକାରୀ କରିବାକୁ ଲୋକ ନାହାନ୍ତି । ଦୀର୍ଘଦିନ ହେଲା ମୁରବି ବିହୀନ ହୋଇପଡ଼ିଛି । ତେଣୁ ନୀତି ନାହିଁ କି ନେତା ନାହାନ୍ତି ଯିଏ ଓଡ଼ିଆ ସିନେମା ପାଇଁ ଲଢ଼ିବେ ।
ସୌଜନ୍ୟ Prameya News7

