Trump: ଟ୍ରମ୍ପଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ ପାକିସ୍ତାନୀ ରାଜନେତା ଶାହବାଜ-ମୁନିର!

ୱାସିଂଟନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିର୍ଲ୍ଡ ମାର୍ଶାଲ ଅସୀମ ମୁନିର ଶାନ୍ତିଦୂତ ସାଜି ଡୋନାଲ୍ଡ ଟ୍ରମ୍ପଙ୍କୁ ଠକିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ ତଥ୍ୟ ପ୍ରକାଶ ପାଇଛି ଯେ, ଇରାନୀ ସାମରିକ ଜେଟ୍‌କୁ ପାକିସ୍ତାନ ଏହାର ଏୟାରବେସରେ ଡକିଂ କରିବାକୁ ଅନୁମତି ଦେଇଥିଲା। ଅନୁମାନ କରାଯାଉଛି ଯେ, ଇରାନକୁ ଆମେରିକାର ବିମାନ ଆକ୍ରମଣରୁ ରକ୍ଷା କରିବା ପାଇଁ ପାକିସ୍ତାନ ଏହି ପଦକ୍ଷେପ ନେଇଥିଲା ଯାହା ଦ୍ବାରା ଇରାନର ଲଢୁଆ ବିମାନ ଗୁଡ଼ିକ ସୁରକ୍ଷିତ ରହିପାରିବ। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏପ୍ରିଲ୍ ପ୍ରାରମ୍ଭରେ ଆମେରିକା-ଇରାନ ଅସ୍ତ୍ରବିରତି ଘୋଷଣା ହେବାର କିଛି ସମୟ ପରେ, ଇରାନ ପାକିସ୍ତାନର ରାୱଲପିଣ୍ଡିରେ ଥିବା ନୁର ଖାନ ବାୟୁସେନା ଘାଟିକୁ ଅନେକ ବିମାନ ପଠାଇଥିଲା।

ପାକିସ୍ତାନ ଏହି ଦାବିଗୁଡ଼ିକୁ ଅସ୍ୱୀକାର କରିଛି

ଏହି ବିମାନଗୁଡ଼ିକ ମଧ୍ୟରେ ଗୁପ୍ତଚର ସଂଗ୍ରହ ଏବଂ ନିରୀକ୍ଷଣ ପାଇଁ ବ୍ୟବହୃତ ହେଉଥିବା ବିମାନ ଆର୍‌ସି-୧୩୦ ମଧ୍ୟ ସାମିଲ ଥିଲା। ଯୁଦ୍ଧ ସମୟରେ ବିମାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଇରାନ ଏହାର କିଛି ବେସାମରିକ ବିମାନକୁ ସୁରକ୍ଷା ପାଇଁ ଆଫଗାନିସ୍ତାନକୁ ମଧ୍ୟ ପଠାଇଥିଲା। ପାକିସ୍ତାନ ଏହି ଦାବିଗୁଡ଼ିକୁ ଅସ୍ୱୀକାର କରିଛି। ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି ଯେ, ନୁର ଖାନ ଏୟାରବେସ୍ ସହରର ମଧ୍ୟଭାଗରେ ଅବସ୍ଥିତ, ତେଣୁ ଏତେ ବଡ଼ ବିମାନଗୁଡ଼ିକୁ ସାଧାରଣ ଦୃଷ୍ଟିରୁ ଲୁଚାଇ ରଖିବା ଅସମ୍ଭବ। ତାଲିବାନ ମଧ୍ୟ ଆଫଗାନିସ୍ତାନରେ ଇରାନୀ ବିମାନର ଉପସ୍ଥିତିକୁ ଅସ୍ୱୀକାର କରିଛି। ଏହି ରିପୋର୍ଟ ଆମେରିକାରେ ଅସନ୍ତୋଷ ସୃଷ୍ଟି କରିଛି। କିଛି ଆମେରିକୀୟ ସେନେଟର ଚେତାବନୀ ଦେଇଛନ୍ତି ଯେ, ଯଦି ଏହା ସତ୍ୟ ପ୍ରମାଣିତ ହୁଏ, ତେବେ ପାକିସ୍ତାନ ସହିତ ସମ୍ପର୍କକୁ ପୁନର୍ବିଚାର କରିବାକୁ ପଡିବ। ଗତ ମାସରେ, ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷର ଅନ୍ତ ପାଇଁ ମୁହାଁମୁହିଁ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏହାର କୌଣସି ନିଷ୍କର୍ଷ ବାହାରି ନଥିଲା। ଇରାନ ଯୁଦ୍ଧ କ୍ଷତି ପାଇଁ କ୍ଷତିପୂରଣ ଏବଂ ହରମୁଜର ଅବରୋଧ ସମାପ୍ତ କରିବାକୁ ଦାବି କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଇରାନର ପ୍ରସ୍ତାବକୁ ଅସ୍ବୀକାର୍ଯ୍ୟ ବୋଲି କହି ପ୍ରତ୍ୟାଖ୍ୟାନ କରି ଯୁଦ୍ଧର ଅନ୍ତ ହେବାର ଆଶାକୁ ଧୂଳିସାତ୍ କରିଦେଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ