ଭୁବନେଶ୍ୱର: ବହୁଚର୍ଚ୍ଚିତ ବାଲିଅନ୍ତା ବର୍ବରକାଣ୍ଡରେ ମୃତ କନେଷ୍ଟବଳ ସୌମ୍ୟରଞ୍ଜନଙ୍କ ଷ୍ଟିରୋଏଡ ଥିଓରୀକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଠିଛି। ଅପରଧସ୍ଥଳରେ ସୌମ୍ୟଙ୍କ ହାବଭାବ ଓ ଚାଲିଚଳଣ ଅସ୍ୱାଭାବିକ ଥିବାରୁ ସେ ଏହି ଶକ୍ତି ବଦ୍ଧକ ଔଷଧ ସେବନ କରିଥିବା ପୁଲିସ ଅନୁମାନ କରୁଛି । କାହିଁକି ନା, ଆକ୍ରମଣକାରୀଙ୍କ ନିର୍ଘାତ ମାଡ଼ ଖାଇବା ସତ୍ତ୍ୱେ ସୌମ୍ୟ ଅସ୍ବାଭାବିକ ଆଚରଣ କରୁଥିଲେ।
ତାଙ୍କ ସଙ୍ଗ ଓମପ୍ରକାଶଙ୍କ କହିବା ଅନୁସାରେ ବାଇକ୍ ପଛରେ ବସିଥିବା ସୌମ୍ୟ ପ୍ରଥମେ ତାଙ୍କ ବେକକୁ ଜାବୁଡ଼ି ଧରିଥିଲେ। ଯେଉଁଥିପାଇଁ ସ୍ଫୁଟି ସହ ଦୁର୍ଘଟଣା ଘଟିଲା। ପରେ ଯୁବତୀ ଜଣଙ୍କୁ ମଧ୍ୟ ସେ ମାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସୌମ୍ୟଙ୍କୁ ଅଟକାଇବାକୁ ଯାଇ ଓମ୍ ପ୍ରକାଶ ମଧ୍ୟ ମାଡ଼ ଖାଇଥିଲେ । ପରେ ସୌମ୍ୟଙ୍କ ଅସ୍ୱାଭାବିକ ଆଚରଣ ଆହୁରି ବଢ଼ିଯାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଘେରିଯାଇ ପ୍ରବଳ ମାଡ଼ ମାରିଥିଲେ। ସୌମ୍ୟ ବାଉଳି ଚାଉଳି ହେବା ସହ ଖୁବ୍ ଜୋରରେ ଚିଲ୍ଲାଇବାକୁ ଲାଗିଲେ । ବେଳେ ବେଳେ ଛିଟିକି ଯାଇଥିଲେ । ଲୋକଙ୍କୁ ପିଟିବାକୁ ଉଦ୍ୟମ କରୁଥିଲେ । ଏମିତିକି ସେ ନାଗିନ୍ ଭଳି ହାତ ଦୁଇଟିକୁ ଯୋଡ଼ି ଫଣା ଟେକୁଥିବାର ଦୃଶ୍ୟ ମଧ୍ୟ ରହିଛି। ପୁଲିସ ପହଞ୍ଚିବା ପରେ ମଧ୍ୟ ସୌମ୍ୟଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହେଲାନାହିଁ । ତାଙ୍କୁ ପିସିଆର ଯୋଗେ ହସ୍ପିଟାଲକୁ ନିଆଯିବା ବେଳେ ସେ ଆହୁରି ଛାଟିପଟି ହୋଇଥିଲେ।
ରିପୋର୍ଟରେ ଷ୍ଟିରଏଡ୍ ସେବନ ନେଇ ସୂଚନା ରହିଛି । ସୌମ୍ୟଙ୍କ ରକ୍ତ ନମୁନାରେ ଆନାବୋଲିକ୍ -ଆୟୋନୋନିକ ଷ୍ଟେରୋଏନ୍ର ମାତ୍ର ରହିଛି । ପୁଲିସ ତରଫରୁ ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟ ଘଟଣା ପୂର୍ବଦିନ ଅଡଶପୁରସ୍ଥିତ ‘ସିଗ୍ନେସ ଗ୍ୟାଲେସ୍ଟ’ ଷ୍ଟେରଏଡ ନେଇଥିଲେ । ବାଲିଅନ୍ତା ଥାନା ଓ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ଏନେଇ ଯାଞ୍ଚ କରି ଫେରିଛି।
ମିଷ୍ଟର ଇଣ୍ଡିଆ ବିଜେତା ଭବାନୀ ଶଙ୍କରଙ୍କ କହିବା ମୁତାବକ, ଷ୍ଟେରଏଡ ସାଧାରଣତଃ ବଡି ବିଲ୍ଡର ଓ କୁସ୍ତି ଯୋଦ୍ଧା ବ୍ୟକ୍ତିମାନେ ସେବନ କରିଥାନ୍ତି । କୌଣସି ପ୍ରତିଯୋଗିତରେ ନିଜ ଶରୀରକୁ ହୃଷ୍ଟପୃଷ୍ଟ ଭାବେ ଦେଖାଇପାରନ୍ତି। କିନ୍ତୁ ଏହି ଷ୍ଟେରୋଏଡ୍ ମାତ୍ରାଧିକ ଭାବେ ସେବନ କଲେ, ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ । ଅର୍ଥାତ୍, ବ୍ୟକ୍ତିଜଣକ ହାଇପର ଟେନସନର ଶିକାର ହୋଇପାରନ୍ତି। ଏହାସହ ହୃଦ୍ଘତ, ବ୍ଲଡ କଟ୍ ଓ ଆଥେରୋଲେରୋସିସ୍ ହୋଇପାରେ। କିନ୍ତୁ ସୌମ୍ୟଙ୍କ କ୍ଷେତ୍ରରେ ଅଧିକ ତଦନ୍ତ କଲେ, ଏହାର ରହସ୍ୟ ଉନ୍ମୋଚିତ ହୋଇପାରିବ।
ସେ ଯାହା ହେଉନା କାହିଁକି, କମିଶନରେଟ୍ ପୁଲିସ ଆକ୍ସନ ଛାଡ଼ି କାଗଜପତ୍ର କାମରେ ପୂରା ମାଜିଛି। ଫଳରେ ଅପରାଧୀ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଏକଦମ ହୁଗୁଳା ହୋଇଯାଇଛି।
ସୌଜନ୍ୟ Prameya News7

