ଜାତୀୟ

PM Narendra Modi: ସଂସଦରେ ବଡ଼ ନିଷ୍ପତ୍ତି ପାଇଁ ମୋଦୀଙ୍କ ପ୍ରସ୍ତୁତି, ମନ୍ତ୍ରୀଙ୍କୁ ଡିସେମ୍ବର ୧୫ ଯାଏଁ ଡେଡ୍‌ଲାଇନ୍‌ !

ନୂଆଦିଲ୍ଲୀ, ୨୬।୧୧: ସଂସଦର ଆଗାମୀ ଅଧିବେଶନକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଜୋରଦାର ହୋଇଛି । ଏହାରି ଭିତରେ ମନ୍ତ୍ରୀମାନଙ୍କୁ ଏକ ବଡ଼ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିସେମ୍ବର ୧୫ ପୂର୍ବରୁ ସଂସଦ ଅଧିବେଶନ ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଶେଷ କରିବା ସହ ଏହି ସମୟ ମଧ୍ୟରେ ବିଦେଶ ଗସ୍ତରୁ ଦୂରେଇ ରହିବାକୁ ମନ୍ତ୍ରୀମାନଙ୍କୁ କହିଛନ୍ତି ମୋଦୀ । ନିଜ ନିଜ ମନ୍ତ୍ରଣାଳୟକୁ ଅଧିବେଶନ ପାଇଁ ପ୍ରସ୍ତୁତ ରଖିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ସଂସଦ ଅଧିବେଶନରେ ପରିସୀମନ ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ସରକାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତେବେ ଅଧିବେଶନର ତାରିଖ ଓ ଅବଧି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ୍‌ କମିଟି ନେବ ।

୧୦୦ ଦିନରୁ ଅଧିକ ସମୟ ହେଲାଣି ଅଧିବେଶନକୁ ଅପେକ୍ଷା:   

ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଆଗାମୀ ସଂସଦ ଅଧିବେଶନକୁ ନେଇ ଆଲୋଚନା ହୋଇଛି । ସଂସଦର ଶୀତକାଳୀନ ଅଧିବେଶନ ଡାକିବାରେ ବିଳମ୍ବ ହେଉଥିବା ନେଇ ବିରୋଧୀ ଦଳ ଲଗାତାର ପ୍ରଶ୍ନ ଉଠାଉଛନ୍ତି । ଅଗଷ୍ଟ ୧୩ ତାରିଖରେ ସଂସଦର ଉଭୟ ସଦନର କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଥିଲା । ଏହାପରେ ୧୦୦ ଦିନରୁ ଅଧିକ ସମୟ ବିତିଗଲାଣି । ଅଧିବେଶନର ତାରିଖ ଘୋଷଣା ହୋଇନଥିବାରୁ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି ।

ପରିସୀମନ ବିଲ୍‌ ପାଇଁ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ:

ଆଗାମୀ ଅଧିବେଶନରେ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌, ୨୦୨୬ ଆଗତ ହେବାର ସମ୍ଭାବନା ରହିଛି । ଏହି ବିଲ୍‌ ପରିସୀମନ ଓ ମହିଳା ସଂରକ୍ଷଣ ସହ ଜଡ଼ିତ । ଗତ ଏପ୍ରିଲ ୧୭ ତାରିଖରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆବଶ୍ୟକ ସମର୍ଥନ ନମିଳିବାରୁ ଏହା ପାରିତ ହୋଇପାରିନଥିଲା । ଏହି ବିଲ୍‌କୁ ଲୋକସଭାରେ ପାରିତ କରିବା ପାଇଁ ଦୁଇ-ତୃତୀୟାଂଶ ଅର୍ଥାତ୍‌ ୩୬୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ୫୪୩ ଆସନ ବିଶିଷ୍ଟ ଲୋକସଭାରେ ବର୍ତ୍ତମାନ ୩ଟି ଆସନ ଖାଲି ଥିବାରୁ ମୋଟ୍‌ ୫୪୦ ଜଣ ସାଂସଦ ଅଛନ୍ତି । ଏନ୍‌ଡିଏ ପାଖରେ ୩୨୦ ଜଣ ସାଂସଦ ଥିବାରୁ ବିଲ୍‌ ପାରିତ କରିବା ପାଇଁ ଆହୁରି ସମର୍ଥନ ଆବଶ୍ୟକ ।

ରାଜ୍ୟଗୁଡ଼ିକରେ ଲୋକସଭା ଆସନ ୫୦% ବୃଦ୍ଧି ଯୋଜନା !

ପରିସୀମନକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଚିନ୍ତା ଦୂର କରିବା ପାଇଁ ସରକାର ଏକ ବିକଳ୍ପ ଉପରେ ବିଚାର କରୁଥିବା ସୂତ୍ରରୁ ଜଣାପଡ଼ିଛି । ଏହା ଅନୁସାରେ ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାର ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବିତ ବ୍ୟବସ୍ଥାରେ ୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକ ମଧ୍ୟରେ ଲୋକସଭା ଆସନର ବର୍ତ୍ତମାନ ଅନୁପାତ ବଜାୟ ରଖିବାକୁ ବିଚାର କରାଯାଉଛି । ତେବେ ଏନେଇ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।

ଏସ୍‌ଆଇଆର୍‌ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରସଙ୍ଗ ଉଠାଇବ ବିରୋଧୀ:

ଆଗାମୀ ସଂସଦ ଅଧିବେଶନରେ ଭୋଟର ତାଲିକାର ପୁନଃଯାଞ୍ଚ ବା ଏସ୍‌ଆଇଆର୍‌ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ ଦଳ । ଏହା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଉଠାଇବାକୁ ବିରୋଧୀ ଯୋଜନା କରିପାରନ୍ତି । ଅନ୍ୟପଟେ ଶାସକ ଦଳର ଜଣେ ସାଂସଦଙ୍କ କହିବା ଅନୁସାରେ, ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ଓ ଭୋଟିଂ ପାଇଁ ସଂସଦର କାର୍ଯ୍ୟଧାରା ସୁରୁଖୁରୁରେ ଚାଲିବା ଆବଶ୍ୟକ । ତେଣୁ ଆଗାମୀ ଅଧିବେଶନକୁ ନେଇ ଏବେଠାରୁ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button