ଜାତୀୟ

Gang War: ପୁଲିସ ଫାଣ୍ଡି ପାଖରେ ଗୁଳିକାଣ୍ଡ, ଢାବାରେ ପଶି ୪ ଶୁଟରଙ୍କୁ ହତ୍ୟା

ହରିୟାଣା, ୨୬।୧୧: ହରିୟାଣାର ରୋହତକରେ ଭୟଙ୍କର ଗ୍ୟାଙ୍ଗୱାର । ଏକ ଢାବାରେ ଆଖିବୁଜା ଗୁଳିମାଡ଼ରେ ୪ ଜଣ ଶୁଟରଙ୍କ ମୃତ୍ୟୁ ହୋଇଛି । ଖରାୱଡ଼ ପୁଲିସ ଫାଣ୍ଡି ନିକଟରେ ଥିବା ମିଲନ ଢାବାରେ ଏହି ଗୁଳିକାଣ୍ଡ ଘଟିଛି । ମୃତକମାନେ ସନ୍ନି ରିଟୋଲିଆ ଗ୍ୟାଙ୍ଗର ଶୁଟର ବୋଲି ପ୍ରାରମ୍ଭିକ ସୂଚନା ମିଳିଛି । ଏହି ଆକ୍ରମଣ ପଛରେ ହିମାଂଶୁ ଭାଉ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । ପୁଲିସ ଗ୍ୟାଙ୍ଗୱାର ସମେତ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ଏକ ସ୍ୱିଫ୍ଟ କାର୍‌ରେ ମିଲନ ଢାବାରେ ପହଞ୍ଚିଥିଲେ । ସେହି ସମୟରେ କିଛି ଯୁବକ ଢାବାରେ ବସି ଖାଦ୍ୟ ଖାଉଥିଲେ । ହଠାତ୍ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ।

ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ପିଛା କରି ଗୁଳି କରିଥିଲେ । ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ କିଛି ସମୟ ଧରି ଅସ୍ତ୍ରଶସ୍ତ୍ର ଧରି ଘଟଣାସ୍ଥଳରେ ବୁଲିବା ପରେ ଫେରାର ହୋଇଯାଇଥିଲେ । ପ୍ରାରମ୍ଭିକ ତଥ୍ୟ ଅନୁସାରେ, ମୃତକଙ୍କ ମଧ୍ୟରୁ ୩ ଜଣ ଝଜ୍ଜର ଜିଲ୍ଲାର ଡିଘଲ ଗାଁର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ବେରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ମୃତକଙ୍କ ପରିଚୟ, ଅପରାଧିକ ପୃଷ୍ଠଭୂମି ଓ ଗ୍ୟାଙ୍ଗୱାରର ସମ୍ଭାବ୍ୟ କାରଣ ଖୋଜୁଛି । ଏଥିସହ ନିକଟରେ ଡିଘଲ ଗାଁରେ ଜଣେ ଯୁବକଙ୍କ ହତ୍ୟା ଘଟଣା ସହ ଏହି ଗୁଳିକାଣ୍ଡର କୌଣସି ସମ୍ପର୍କ ରହିଛି କି ନାହିଁ, ସେ ଦିଗରୁ ମଧ୍ୟ ତଦନ୍ତ ହେଉଛି ।

ଖବର ପାଇ ରୋହତକ ରେଞ୍ଜ ଆଇଜି ହାମିଦ ଅଖତର ରାତି ଅଧରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସ୍‌ପି ଗୌରବ ରାଜପୁରୋହିତଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ । ସିଆଇଏ, ସ୍ପେଶାଲ ସେଲ୍ ଓ ଏଫ୍‌ଏସ୍‌ଏଲ୍‌ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି । ଅନ୍ୟପଟେ, ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ଢାବା ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button