Humans living 1400 years: ଏଆଇକୁ ନେଇ ବୈଜ୍ଞାନିକଙ୍କ ଭବିଷ୍ୟବାଣୀ, ୧,୪୦୦ ବର୍ଷ ବଞ୍ଚିବ ମଣିଷ!

ନୂଆଦିଲ୍ଲୀ, ୨୬/୧୧: ଦୈନନ୍ଦିନ ଜୀବନରେ ଏଆଇର ପ୍ରବେଶ ପରେ ଲୋକଙ୍କ ବିଶ୍ୱାସ ଯେ ଆଗକୁ କର୍କଟ, ହୃଦ୍ରୋଗ ଭଳି ସମସ୍ୟା ରହିବ ନାହିଁ । ଆଶ୍ଚର୍ଯ୍ୟର କଥା, ଆନ୍ଥ୍ରୋପିକ୍ର ସହ-ସଂସ୍ଥାପକ ଓ ସିଇଓ ଡାରିଓ ଅମୋଡେଇ ମଧ୍ୟ ପୂର୍ବରୁ ଏହା କହିସାରିଛନ୍ତି । ଏବେ ଏକ ନୂଆ ପଡ୍କାଷ୍ଟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଏଭଳି କଥା କହିଛନ୍ତି, ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ମଣିଷର ବୟସ ବୃଦ୍ଧି ପ୍ରକ୍ରିୟା ଯଦି ଅଟକିଯାଏ, ସେ କେତେ ବର୍ଷ ବଞ୍ଚିବ? ୧୦୦, ୨୦୦ ନା ୫୦୦ ବର୍ଷ? ସ୍ୱିଡେନ୍ ଦାର୍ଶନିକ ଓ ଅକ୍ସଫୋର୍ଡର ପୂର୍ବତନ ପ୍ରଫେସର ନିକ୍ ବୋଷ୍ଟ୍ରମ୍ ଏହି ପ୍ରଶ୍ନର ଆଶ୍ଚର୍ଯ୍ୟଚକିତ ଉତ୍ତର ଦେଇଛନ୍ତି । ତାଙ୍କ ମତରେ, ଯଦି ଭବିଷ୍ୟତରେ ଏଆଇ ସାହାଯ୍ୟରେ ବାର୍ଦ୍ଧକ୍ୟକୁ ରୋକିବା ସମ୍ଭବ ହୁଏ, ମଣିଷର ହାରାହାରି ବାକି ଜୀବନକାଳ ପ୍ରାୟ ୧,୪୦୦ ବର୍ଷ ହୋଇପାରେ ।
ଏହା ସାଇନ୍ସ ଫିକ୍ସନ୍ ଫିଲ୍ମର କାହାଣୀ ଭଳି ମନେହେଉଛି । କିନ୍ତୁ ବୋଷ୍ଟ୍ରମ୍ ଏହା ପଛର ଗାଣିତିକ ମଡେଲ ବି ଦେଖାଇଛନ୍ତି । ତାଙ୍କ କହିବା ଅନୁସାରେ, ଏଆଇ ଔଷଧ ଆବିଷ୍କାର, ଚିକିତ୍ସା ଓ ଶରୀରରେ ବୟସ ବୃଦ୍ଧି ଯୋଗୁ ହେଉଥିବା କ୍ଷତିକୁ ବୁଝିବାର ବେଗ ଖୁବ୍ ବଢ଼ାଇପାରେ । ତେବେ, ମଣିଷ ଖୁବ୍ଶୀଘ୍ର ୧,୪୦୦ ବର୍ଷ ବଞ୍ଚିବ ବୋଲି ସେ ଦାବି କରିନାହାନ୍ତି । ଏହା ଏଭଳି ଏକ ସମ୍ଭାବନା ଯାହା ଅନେକ ବୈଜ୍ଞାନିକ ସଫଳତା ଉପରେ ନିର୍ଭର କରେ । ବୋଷ୍ଟ୍ରମ୍ ନିଜର ୱର୍କିଂ ପେପର୍ ‘ଅପ୍ଟିମାଲ ଟାଇମିଂ ଫର୍ ସୁପରଇଣ୍ଟେଲିଜେନ୍ସ’ରେ ଏହି ବିଚାରକୁ ବୁଝାଇଲେ । ତାଙ୍କ ଗଣିତ ଏକ ସ୍ୱତନ୍ତ୍ର ମାନ୍ୟତା ଉପରେ ପର୍ଯ୍ୟବସିତ । ବିକଶିତ ଦେଶମାନଙ୍କରେ ଯଦି ୨୦ରୁ ୨୫ ବର୍ଷ ବୟସର ସୁସ୍ଥ ଯୁବାଙ୍କ ବାର୍ଷିକ ମୃତ୍ୟୁ ହାର ପ୍ରାୟ ୦.୦୭ ପ୍ରତିଶତ ମନେକରାଯାଏ ଓ ବୟସ ବୃଦ୍ଧି ସହିତ ଏହି ବିପଦ ବଢ଼ିବା ବନ୍ଦ ହୋଇଯାଏ, ତେବେ ହାରାହାରି ବାକି ଜୀବନ କାଳ ପ୍ରାୟ ୧,୪୦୦ ବର୍ଷ ହେଉଛି ।
ସୌଜନ୍ୟ ପ୍ରମେୟ




