Ratna Bhandar Inventory: ଆଜିଠୁ ପୁଣି ରତ୍ନ ଅଳଙ୍କାର ଗଣତିମଣତି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯିବ ରତ୍ନଭଣ୍ଡାର ତାଲା

ପୁରୀ, ୨୬/୧୧: ଆଜିଠୁ ପୁଣି ଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ । ଏହା ଦୁଇ ଦିନ ଚାଲିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ତାଲା ଖୋଲାଯିବ। ଗଣତିମଣତି ସମୟର ଭିଡିଓଗ୍ରାଫି, ଫଟୋଗ୍ରାଫି ସହ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ୍ କରାଯିବ ।
ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ସରିଛି । କାର୍ତ୍ତିକ ମାସରେ ନୀତି ବହୁଳତା ଥିବାରୁ ସେବକ ଏବଂ କମାଣ୍ଡରଙ୍କ ପରାମର୍ଶ ନେଇ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ଆଜି ଓ କାଲି ପୁଣି ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ପୁନର୍ବାର ଚାଲିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଆଧାରରେ ଏହି ଗଣତି କାର୍ଯ୍ୟ କରାଯିବ ଏବଂ ଅନୁମୋଦିତ ବ୍ୟକ୍ତିମାନଙ୍କ ଜରିଆରେ ଏହା ସମ୍ପାଦନ ହେବ । ପାଳିଆ ସେବାରେ ଥିବା ସମସ୍ତ ସେବକ ବନ୍ଧୁ ଓ ସେବକ ନିଯୋଗମାନଙ୍କୁ ସହଯୋଗ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି ।
ପୂର୍ବ ଭଳି ଗଣତି ସମୟରେ ଭକ୍ତମାନଙ୍କ ପାଇଁ ବାହାର କାଠରୁ ଦର୍ଶନ ବ୍ୟବସ୍ଥା ରହିବ । ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼େ, ସେଥିପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯାଉଥିବା ସୂଚନା ରହିଛି ।
ସୌଜନ୍ୟ ପ୍ରମେୟ




