Murder accused: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବି: ଶବକୁ ୧୫ କିମି ସାଇକଲ୍‌ରେ ବୋହିଲେ, ଥାନା ଆଗରେ ୪ ଘଣ୍ଟା ଧାରଣା

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଦୃଶ୍ୟ। ଏକ ହତ୍ୟା ମାମଲାର ତଦନ୍ତରେ ପୁଲିସର ଅବହେଳା ଅଭିଯୋଗ ତଥା ନ୍ୟାୟ ଦାବିରେ ଶବ ଧରି ରାସ୍ତାକୁ ଓହ୍ଲାଇଛନ୍ତି ପରିବାର ଲୋକ। ଶବକୁ ସାଇକଲ୍‌ରେ ଲଦି ପ୍ରାୟ ୧୫ କିଲୋମିଟର ଆସିବା ପରେ ଖଇରା ଥାନା ଆଗରେ ଧାରଣା ଦେଇଥିଲେ। ତେବେ ୪ ଘଣ୍ଟା ଧରି ଧାରଣା ପରେ ଏସ୍‌ପିଙ୍କ ହସ୍ତକ୍ଷେପ ଏବଂ ନ୍ୟାୟ ପ୍ରତିଶ୍ରୁତି ମିଳିବାରୁ ଧାରଣା ପ୍ରତ୍ୟାହୃତ ହୋଇଛି। ଖଇରାର ଏହି ଘଟଣା ମଧ୍ୟ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତ ରବିବାର ଅପରାହ୍ଣରେ ଖଇରା ଥାନା ଅଧୀନ ହରିପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ନୂତନ ଘରର ଛାତ ପଡ଼ିବା ଲାଗି କାମ ଚାଲିଥିଲା। ଏହି ସମୟରେ ପଡ଼ୋଶୀ ଭରତ ଜେନାଙ୍କ ପରିବାର ସହ ସୁରେନ୍ଦ୍ରଙ୍କ ପରିବାରର ଜମି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା। ଭରତ ଓ ତାଙ୍କ ପରିବାର ଲୋକ ଶାବଳରେ ସୁରେନ୍ଦ୍ରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁରେନ୍ଦ୍ରଙ୍କ ପତ୍ନୀ ଶକୁନ୍ତଳା ଓ ଭଉଣୀ କମଳା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଖଇରା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ରବିବାର ରାତି ୨ଟାରେ କମଳାଙ୍କ ମୃତ୍ୟୁ ଘଟିଥିଲା ଓ ଶକୁନ୍ତଳା ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଏନେଇ ଖଇରା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଗତକାଲି କମଳାଙ୍କ ଶବ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତିରେ ମୃତଦେହ ଗାଁକୁ ଅଣାଯାଇଥିଲା। ଏହି ଘଟଣାରେ ଖଇରା ପୁଲିସ ମୁଖ୍ୟ ଅଭିଯୁକ୍ତ ଭରତଙ୍କ ପତ୍ନୀ ଭାରତୀଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରୁନି ବୋଲି
ଅଭିଯୋଗ କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ନ୍ୟାୟ ଦାବିରେ ଆଜି ମୃତକଙ୍କ ଶବକୁ ସାଇକଲ୍‌ରେ ଲଦି ଖଇରା ଥାନା ଅଭିମୁଖେ ବାହାରିଥିଲେ ପରିବାର ଓ ଗ୍ରାମବାସୀ। ଥାନା ଅଧିକାରୀ ଜନ୍‌ ପଟ୍ଟନାୟକ ସୂଚନା ପାଇବା ପରେ ଅଧାବାଟରୁ ଶବକୁ ଆଣିବା ଲାଗି ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ମଧ୍ୟ ମୃତକଙ୍କ ପରିବାର ଲୋକେ ରାଜି ନଥିଲେ। ତେବେ ସ୍ଥାନୀୟ ପୁଲିସ ରାସ୍ତାରେ ସବୁପ୍ରକାର ସହଯୋଗ କରିଥିଲେ। ସାଇକଲରେ ଶବ ଲଦି ଆସିବା ପରେ ସେମାନେ ଖଇରା ଥାନା ଆଗରେ ଧାରଣାରେ ବସିଥିଲେ। ପ୍ରାୟ ୪ ଘଣ୍ଟା ଧରି ଡହଡହ ଖରାରେ ଧାରଣା ଦେବା ସହ ପୁଲିସ ବିରୋଧରେ ନାରାବାଜି କରିଥିଲେ। ଏଏସ୍‌ପି ନିରଞ୍ଜନ ବେହେରା, ସଦର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ନାୟକ, ଖଇରା ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ପାତ୍ର, ଔପଦା ଥାନା ଅଧିକାରୀ ପ୍ରମୋଦ କୁମାର ଦାସ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ। ଶେଷରେ ଏସ୍‌ପି ପ୍ରତ୍ୟୁଷ ଦିବାକର ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି।

 

 

ସୌଜନ୍ୟ ସମ୍ବାଦ