Mining Mafia: ଖଇରା ମାଇନିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ

ସୋର: ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ କରିବା ସହ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୁଲିସ୍ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂରେ ଯିବା ସମୟରେ ଗୋଟିଏ କାର ଏବଂ ୨ଟି ବାଇକରେ ମୋରମ ମାଫିଆମାନେ ଆସି ସୁନ୍ଦରପୁର ଛକ ନିକଟରେ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିକୁ ଅଟକାଇ ଗାଡ଼ିର କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ।

ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ ମୋରମ୍ ମାଫିଆ

ଅଧିକାରୀ ନିଜକୁ ବଞ୍ଚାଇବାକୁ ଗାଡ଼ିଟିକୁ ନେଇ ସିଧା ଖଇରା ଥାନାକୁ ଆସିଥିଲେ। ମୋରମ୍ ମାଫିଆ ମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ। ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ପରେ ନୀଳଗିରି ଏବଂ ସୋର ଜୁନିୟର ମାଇନିଂ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସେହିପରି ସୋରରେ ମାଇନିଂ ଅଫିସର କିଛି ଟଙ୍କା ନେଇ ଗାଡ଼ି ଛାଡ଼ି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସୌଜନ୍ୟ ସମ୍ବାଦ