3 Main Accused Arrested: ରାୟଗଡା ଗୁଳି କରି ହତ୍ୟା ଘଟଣା, ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡା: ରାୟଗଡା ଜିଲ୍ଲାର ବହୁ ଚର୍ଚ୍ଚିତ ନିଖିଲ ହାଡପାକୁ ଗୁଳି କରି ହତ୍ୟାକାଣ୍ଡ ଘଟଣାରେ ପୁଲିସକୁ ମିଳିଛି ସଫଳତା । ଏହି ଗ୍ୟାଙ୍ଗୱାର ଜନିତ ହତ୍ୟାକାଣ୍ଡକୁ ନେଇ ରାୟଗଡା ଜିଲ୍ଲା ହୋଇଥିଲା ଅଶାନ୍ତ । ରାୟଗଡା ପୁଲିସ ଆଜି ନିଜର ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛି ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ମଦନପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ହତ୍ୟା ଘଟଣାର ମୁଖ୍ୟ ତିନି ଅଭିଯୁକ୍ତଙ୍କୁ  ପୁଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମାନେ ହେଲେ ଉମେଶ ହିଆଲ,ରାଜ ସିମେଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ ।

ଶେଷରେ ବିହାରରୁ ଗିରଫ

ପୁଲିସ ସୂଚନା ପ୍ରଦାନ କରି କହିଛି ହତ୍ୟା ଅପରାଧରେ ଜଡିତ ଏହି ଅଭୁଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ସମୟରେ ତାଙ୍କ ନିକଟତର ହୋଇଥିଲେ କିନ୍ତୁ ଅପରାଧୀ ମାନେ କୌଣସି ମତେ ଖସିଯାଉଥିଲେ, ଶେଷରେ ବିହାରରୁ ଗିରଫ କରିବାରେ ସଫଳ ହୋଇଥିଲେ। ପୁଲିସ ଅପରାଧୀମାନଙ୍କୁ  ବିହାରରୁ ଗିରଫ କରିଥିବାରୁ ତାଙ୍କୁ ଟ୍ରାଞିଟ ରିମାଣ୍ଡରେ ଆଣି ଆଇନ ଅନୁଯାୟି ତଦନ୍ତ କରାଯାଉଛି । ଏନେଇ ଆହୁରି ତଦନ୍ତ କରି ଚଢ଼ାଉ ଜାରି ରହିଛି ଏବଂ ଖୁବ ଶୀଘ୍ର ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି । ରାୟଗଡା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ କୁମାରଙ୍କ ନେତୃତ୍ବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ପୁଲିସର ଟେକନିକାଲ ଟିମ ସହାୟତାରେ ତଦନ୍ତ କରୁଥିଲେ । ଏହି ଘଟଣାରେ ପୁଲିସ ୬ଟି ଟିମ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ତଦନ୍ତ ଜାରି ରଖିଥିଲା। ପୁଲିସ ତଦନ୍ତ  ସଂପର୍କରେ ତଦନ୍ତ ବ୍ୟାଘତ ହେଉଥିବାରୁ ପରବର୍ତ୍ତି ସମୟରେ ସୂଚନା ଦିଆଯିବ ବୋଲି କୁହାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟଯେ  ଗତ ୯ ତାରିଖ ରାତିରେ ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳି କରି ରାୟଗଡା ସହର ସ୍ଥିତ ଆମ୍ବେଦକର ସାହିର ଜଣେ ଯୁବକ  ନିଖିଲ ହାଡ଼ପାକୁ ଗୋଡାଇ ଗୋଡାଇ ହତ୍ୟା କରିଥିଲେ । ପୂର୍ବ ଶତୃତା ଓ ଜୁଆ ଆଡ୍ଡାରୁ ଲୁଟ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି I ପୂର୍ବରୁ ୨ଗ୍ୟାଙ୍ଗ ମଧ୍ୟରେ ବିଭିନ୍ନ କାରଣରୁ ତିକ୍ତତା ଲାଗିରହିଥିଲା । ସୂଚନାଯୋଗ୍ୟ ଯେ ୯ତାରିଖ ରାତି  ପାଖାପାଖି ରାତି ୧୦ଟା କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲକୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ନିଖିଲି  ଦୌଡି ପଳେଇବା ସମୟରେ ଗୁଳି କରି ଅପହରଣ କରିଥିଲେ । ଏବଂ ହତ୍ୟା କରି ନିଖିଲକୁ ସହର ସ୍ଥିତ ତୁ୍ମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ପଠାରେ ମୃତଦେହକୁ ଫିଙ୍ଗିଦେଇଥିଲେ ।

 

 

 

ସୌଜନ୍ୟ ସମ୍ବାଦ