କିଛି ରୋଗ ଔଷଧ ଅପେକ୍ଷା ସକାରାତ୍ମକ ଭାବନା ଦ୍ବାରା ଶୀଘ୍ର ଭଲ ହୋଇଥାଏ। ନିଜେ ଅଙ୍ଗେ ନିଭାଇବା ପରେ ଏପରି ଏକ ବାର୍ତ୍ତାର ସତ୍ୟତାକୁ ଅନୁଭବ କରିଛନ୍ତି ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ। ୨୦୧୮ ମସିହାରେ ‘ସାକ୍ରେଡ୍ େଗମ୍ସ’ ଓ ପରେ ୨୦୨୩ ମସିହାରେ ‘ଟ୍ରାଏଲ୍ ବାଏ ଫାୟାର’ ପରି ୱେବ୍ ସିରିଜ୍ ପାଇଁ ବେଶ୍ ଚର୍ଚ୍ଚିତ ରାଜଶ୍ରୀ ସ୍ତନ କର୍କଟରେ ଆକ୍ରାନ୍ତ ବୋଲି ନିକଟରେ ଜଣାପଡ଼ିଥିଲା। ରୋଗ ବିଷୟରେ ଜାଣିବା ପରେ ହିଁ ସେ ଜଣେ ଯୋଦ୍ଧା ପରି ତା’ର ମୁକାବିଲା କରିଚାଲିଛନ୍ତି।
ହସ୍ପିଟାଲରେ ଏକାକୀ ଥିବା ସମୟରେ ସେ ଅନେକଥର ଭାଙ୍ଗିପଡ଼ିଥିବା ବେଳେ ତାଙ୍କୁ ଡାକ୍ତର କହିଥିବା କଥାକୁ ମନେପକାଇଛନ୍ତି। ରାଜଶ୍ରୀ ଯେତେବେଳେ ଦୁର୍ବଳ ହୋଇପଡୁଥିଲେ, ଡାକ୍ତର ତାଙ୍କୁ ନକାରାତ୍ମକ ଲୋକଙ୍କ ସହ ମିଶିବାକୁ ବାରଣ କରୁଥିଲେ। ଏହାପରେ ସେ ନିଜ ଜୀବନରେ ସକାରାତ୍ମକ ଚିନ୍ତାଧାରା ଓ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଗୁରୁତ୍ୱ ଦେଇଥିଲେ। ଯାହାପରେ ତାଙ୍କ ଅବସ୍ଥାରେ ସୁଧାର ଆସିଛି ବୋଲି ସେ ବିଶ୍ବାସ କରନ୍ତି। କର୍କଟ ପରି ଏକ ରୋଗ ଲୋକଙ୍କୁ ଶାରୀରିକ ଭାବେ ଯେତିକି ଦୁର୍ବଳ କରେନାହିଁ, ମାନସିକ ଭାବେ ତା’ଠାରୁ ଅଧିକ ଦୁର୍ବଳ କରିପକାଏ। ତେଣୁ ମାନସିକ ସ୍ତରରେ ନିଜକୁ ଦୃଢ଼ ରଖିବା ସହ ସେ ମହିଳାମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍ ସହ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି। ୪୩ ବର୍ଷୀୟା ରାଜଶ୍ରୀ କର୍କଟ ଆକ୍ରାନ୍ତ ବୋଲି ମାର୍ଚ୍ଚ ମାସରେ ଜଣାପଡ଼ିଥିଲା।
ସୌଜନ୍ୟ ସମ୍ବାଦ

