ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୬ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ ହୋଇଥିଲା। ରାୟଗଡ଼ା ପୋଲିସ ଶନିବାର ନିଜର ହ୍ବାଟ୍‌ସାପ୍‌ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛି, ବିହାର ରାଜ୍ୟର ଔରଙ୍ଗାବାଦ ଜିଲା ମଦନପୁର ଥାନା ଅଞ୍ଚଳରୁ ହତ୍ୟା ଘଟଣାର ମୁଖ୍ୟ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତମାନେ ହେଲେ ଉମେଶ ହିଆଲ, ରାଜ ସିମେଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ।

ପୋଲିସ ସୂଚନା ପ୍ରଦାନ କରି କହିଛି, ହତ୍ୟା ଅପରାଧରେ ଜଡ଼ିତ ଏହି ଅଭୁଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ସମୟରେ ତାଙ୍କ ନିକଟତର ହୋଇଥିଲେ କିନ୍ତୁ ଅପରାଧୀମାନେ କେଣସି ମତେ ଖସି ଯାଉଥିଲେ। ଶେଷରେ ବିହାରରୁ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପୋଲିସ ଅପରାଧୀମାନଙ୍କୁ ବିହାରରୁ ଗିରଫ କରିଥିବାରୁ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଆଇନ ଅନୁଯାୟୀ ତଦନ୍ତ କରାଯାଉଛି। ଏନେଇ ଆହୁରି ତଦନ୍ତ ଚଢ଼ାଉ ଜାରିରହିଛି। ଖୁବ୍‌ଶୀଘ୍ର ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି। ରାୟଗଡା ଏସ୍‌ପି ସ୍ବାଥୀ ଏସ୍‌ କୁମାରଙ୍କ ନେତୃତ୍ୱରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ପୋଲିସର ଟେକନିକାଲ ଟିମ୍‌ ସହାୟତାରେ ତଦନ୍ତ କରିଥିଲେ। ଏହି ଘଟଣାରେ ପୋଲିସ ୬ଟି ଟିମ୍‌ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ତଦନ୍ତ ଜାରି ରଖିଥିଲା।

ସୂଚନାଯୋଗ୍ୟ, ଗତ ୯ ତାରିଖ ରାତିରେ ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୃତ୍ତ ଗୁଳିକରି ରାୟଗଡ଼ା ସହରସ୍ଥିତ ଆମ୍ବେଦକର ସାହିର ଜଣେ ଯୁବକ ନିଖିଲ ହାଡ଼ପାକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ରାତି ୧୦ଟା କିଛି ଯୁବକ ଗୋଟିଏ ବୁଲେଟ୍‌ ଏବଂ ଏକ ଚାରି ଚକିଆ ଗାଡ଼ିରେ ନିଖିଲକୁ ପିଛା କରଥିଲେ। ଏହି ସମୟରେ ନିଖିଲି ଦୌଡ଼ି ପଳେଇବା ସମୟରେ ଗୁଳି କରି ଅପହରଣ କରିଥିଲେ। ହତ୍ୟା କରି ନିଖିଲଙ୍କୁ ସହରସ୍ଥିତ ତୁମ୍ବିଗୁଡ଼ା ନିକଟସ୍ଥ ନାଗାବଳୀ ନଦୀପଠାରେ ମୃତଦେହକୁ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣା ରାୟଗଡ଼ା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ସୌଜନ୍ୟ ଧରିତ୍ରୀ